ରାଜ୍ୟର ପ୍ରତ୍ୟେକ ପଂଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ । ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଆଦର୍ଶ ଶିକ୍ଷାଦାନ ପାଇଁ ପରିବେଶ ରହିଥିଲା, ସେଭଳି ପରିବେଶ ଏସବୁ ବିଦ୍ୟାଳୟରେ ସୃଷ୍ଟି କରାଯିବ । ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ଯୋଜନା ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଖୁବଶୀଘ୍ର ଶୁଭାରମ୍ଭ କରିବେ । ଆଜି ଲୋକସେବା ଭବନରେ ରାଜ୍ୟ ପ୍ରାଥମିକ ଶିକ୍ଷାର ଉନ୍ନୀତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ରାଜ୍ୟରେ ଖୁବଶୀଘ୍ର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କରାଯିବ । ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ପଂଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ । ମୋଟ ୬୭୯୪ଟି ସ୍କୁଲ ନିର୍ମାଣ କରାଯିବ । ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଏକ ଆଦର୍ଶ ଶିକ୍ଷା ପରିବେଶ ଥିଲା ସେଭଳି ପରିବେଶ ଏସବୁ ବିଦ୍ୟାଳୟରେ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ବିଶେଷକରି ପିଲାମାନଙ୍କ ଭାଷା ଜ୍ଞାନ ଓ ମୌଳିକ ଗାଣିତିକ ଜ୍ଞାନ ଉପରେ ଗୁରୁତ୍ୱାରୋପ କରାଯିବ । ଏହାଦ୍ୱାରା ପିଲାମାନେ ଉଚ୍ଚତର ଶ୍ରେଣୀରେ ସହଜରେ ଶିକ୍ଷାଗ୍ରହଣ କରିପାରିବେ । ଉନ୍ନତ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ଓ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ପିଲାମାନଙ୍କର ମୌଳିକ ଜ୍ଞାନ ଓ ବୌଦ୍ଧିକ ବିକାଶକୁ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନିଆଯିବ । ଏହି ଯୋଜନାରେ ନୂଆ କ୍ଲାସରୁମ, ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟର ବ୍ୟବସ୍ଥା, ପ୍ରାଚୀର ନିର୍ମାଣ, ସବୁଜ ପରିବେଶ, ଡିଜିଟାଲ ଲାଇବ୍ରେରୀ ଓ ଲାଙ୍ଗୁଏଜ୍ ଲ୍ୟାବ, ଖେଳପଡ଼ିଆ, ଡାଇନିଂ ହଲ, କମ୍ପ୍ୟୁଟର, ସ୍ମାର୍ଟବୋର୍ଡ ଆଦିର ବ୍ୟବସ୍ଥା କରାଯିବ । ଏହାସହିତ କ୍ରୀଡ଼ା, ଶାରୀରିକ ବ୍ୟାୟାମ, ସାମାଜିକ ଓ ସାଂସ୍କୃତିକ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।
ଏହି ସମୀକ୍ଷାବେଳେ ଐତିହ୍ୟ ବିଦ୍ୟାଳୟଗୁଡ଼ିକର ବିକାଶ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ରାଜ୍ୟର ୧୦୦ବର୍ଷରୁ ଊର୍ଦ୍ଧ୍ୱ ପୁରାତନ ସ୍କୁଲ ଓ ସ୍ୱାଧୀନତା ପୂର୍ବରୁ ସ୍ଥାପନ ହୋଇଥିବା ସ୍କୁଲଗୁଡ଼ିକର ବିକାଶ କରାଯାଇ ଏହାର ଐତିହ୍ୟ ଓ ଐତିହାସିକ ଗୌରବର ପୁନଃପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯିବ । ଏହି ଯୋଜନାରେ ମୋଟ ୪୫ଟି ଐତିହ୍ୟ ବିଦ୍ୟାଳୟର ବିକାଶ କରାଯିବ । ଏହି ବିଦ୍ୟାଳୟରେ ଶିକ୍ଷକତା କରିଥିବା ଅବା ଶିକ୍ଷାଗ୍ରହଣ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କର ଅବଦାନକୁ ମଧ୍ୟ ସ୍ମରଣୀୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ବୈଠକରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉନ୍ନୀତିକରଣ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।