ରାଜ୍ୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପ୍ରାୟ ୫୦ ପ୍ରତିଶତରୁ ଅଧିକ ପିଲାଙ୍କୁ ‘ହରଣ’ ଆସୁନି । ୩୦ ପ୍ରତିଶତରୁ ଅଧିକ ପିଲାଙ୍କୁ ‘ଫେଡ଼ାଣ’ ଆସୁନି । ରାଜ୍ୟରେ ସ୍କୁଲ ଶିକ୍ଷାର ଏଭଳି ଦୟନୀୟ ଚିତ୍ରକୁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି । କିନ୍ତୁ ୨୦୨୪ ଜାତୀୟ ପରିସଂଖ୍ୟାନ ତୁଳନାରେ ଓଡ଼ିଶାର ଅନୁପାତ ଊର୍ଦ୍ଧ୍ୱରେ ରହିଛି ବୋଲି କହି ବାହାବା ନେବାକୁ ବି ପଛାଇନାହାନ୍ତି । ବିଧାନସଭାରେ ଶୁକ୍ରବାର ବିଧାୟକ ଚକ୍ରମଣି କହଁରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ‘ଅସର’ ସର୍ବେକ୍ଷଣ ରିପୋର୍ଟକୁ ଆଧାର କରି ରାଜ୍ୟରେ ଅଷ୍ଟମ ଶ୍ରେଣୀ ପିଲାମାନଙ୍କର ଶିକ୍ଷଣସ୍ତରର(ଫେଡ଼ାଣ ଓ ହରଣ)ର ତଥ୍ୟ ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ଗଣ୍ଡ ତାଙ୍କ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି ଯେ, ‘ଅସର’ ସର୍ବେକ୍ଷଣ ରିପୋର୍ଟ -୨୦୨୪ ଅନୁସାରେ ‘ଫେଡ଼ାଣ’ ସମାଧାନ କରିପାରୁଥିବା ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬୯.୫ ପ୍ରତିଶତ ରହିଛି । ବିଗତ ଏକ ଦଶନ୍ଧି ମଧ୍ୟରେ ପ୍ରାୟ ୬% ପଏଂଟ ବଢ଼ିଛି । ଅର୍ଥାତ୍ ୨୦୧୪ ମସିହାରେ ଅଷ୍ଟମରେ ପଢ଼ୁଥିବା ୬୩.୪ ପ୍ରତିଶତ ପିଲା ଫେଡ଼ାଣ ସମାଧାନ କରିପାରୁଥିବାବେଳେ ୨୦୨୪ରେ ଏହି ହାର ୬୯.୫ ପ୍ରତିଶତ ରହିଛି । ଏବେବି ୩୦.୫ପ୍ରତିଶତ ପିଲା ଅଷ୍ଟମ ଶ୍ରେଣୀରେ ପଢ଼ି ମଧ୍ୟ ଫେଡ଼ାଣ ସମାଧାନ କରିବା ଶିଖିନାହାନ୍ତି । ତେବେ ଜାତୀୟସ୍ତରରେ ଅଷ୍ଟମରେ ପଢ଼ୁଥିବା ୬୮.୫ ପ୍ରତିଶତ ପିଲା ଫେଡ଼ାଣ ସମାଧାନ କରିପାରୁଛନ୍ତି । ଜାତୀୟସ୍ତର ତୁଳନାରେ ଓଡ଼ିଶାର ଅନୁପାତ ଅଧିକ ଅଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।
ସେହିପରି ରାଜ୍ୟର ଅଷ୍ଟମ ଶ୍ରେଣୀର ମାତ୍ର ୪୮.୫ ପ୍ରତିଶତ ଛାତ୍ରଛାତ୍ରୀ ‘ହରଣ’ ସମାଧାନ କରିପାରୁଛନ୍ତି । ୨୦୧୪ରେ ଏହି ପରିମାଣ ୩୭.୯ ପ୍ରତିଶତ ଥିବାବେଳେ ୨୦୨୪ରେ ଏହା ୪୮.୫ ପ୍ରତିଶତ ହୋଇଛି । ଅର୍ଥାତ୍ ଏବେବି ରାଜ୍ୟର ୫୧.୫ ପ୍ରତିଶତ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ‘ହରଣ’ ଶିଖିନାହାନ୍ତି । ମାତ୍ର ଗଣଶିକ୍ଷା ମନ୍ତ୍ରୀ ଏହି ହାରକୁ ଜାତୀୟସ୍ତରର ହାର ସହ ତୁଳନା କରି ଓଡ଼ିଶା ଭଲ ସ୍ଥିତିରେ ଅଛି ବୋଲି କହିବାକୁ ପଛାଇନାହାନ୍ତି । ଜାତୀୟସ୍ତରରେ ଅଷ୍ଟମ ଶ୍ରେଣୀର ୪୫.୮ ପ୍ରତିଶତ ପିଲା ‘ହରଣ’ ଶିଖିଥିବାବେଳେ ଓଡ଼ିଶାର ୪୮.୫ ପ୍ରତିଶତ ପିଲା ଏହି ‘ହରଣ’ ଶିଖିଛନ୍ତି । ଓଡ଼ିଶାରେ ଅଷ୍ଟମ ଶ୍ରେଣୀ ପିଲା ଯେଉଁ ହରଣ ସମାଧାନ କରିପାରୁଛନ୍ତି ସେମାନଙ୍କ ସଂଖ୍ୟା ବିଗତ ଏକ ଦଶନ୍ଧିରେ ପ୍ରାୟ ୧୧ ପ୍ରତିଶତ ବଢ଼ିଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ।
ରାଜ୍ୟ ସରକାର ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ମାଧ୍ୟମରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଓଡ଼ିଆ, ଗଣିତ ଓ ଇଂରାଜୀ ବିଷୟରେ କାର୍ଯ୍ୟପୁସ୍ତିକା ଯୋଗାଇ ଦିଆଯାଇ ଅଭ୍ୟାସ କରାଯାଉଅଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିବା ସହ ଛାତ୍ରଛାତ୍ରୀମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଉପଯୁକ୍ତ ଶିକ୍ଷଣ ସାମଗ୍ରୀ ଯୋଗାଇବାର ପ୍ରସ୍ତାବ ‘ସମଗ୍ର ଶିକ୍ଷା ଯୋଜନା’ ଅନ୍ତର୍ଗତ ବାର୍ଷିକ ୱାର୍କ ପ୍ଲାନ ଓ ବଜେଟ ୨୦୨୫-୨୬ରେ ଉପସ୍ଥାପନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ଶୁକ୍ରବାର ବିଧାନସଭାରେ ସୂଚନା ଦେଇଛନ୍ତି ।
ତେବେ ରାଜ୍ୟରେ ସ୍କୁଲ ଶିକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟିକୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ କାହିଁକି ପିଲାମାନଙ୍କ ପାଠପଢ଼ାରେ ସୁଧାର ପରିଲକ୍ଷିତ ହେଉନି ସେଦିଗରେ ରାଜ୍ୟ ସରକାର ନିରବ ରହିଛନ୍ତି ।
ଉଲ୍ଲେଖଯୋଗ୍ୟ, ‘ସମଗ୍ର ଶିକ୍ଷା ଯୋଜନା’ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣା ପାଠ୍ୟପୁସ୍ତକ, ୟୁନିଫର୍ମ, ଜୋତା ଓ ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯାଉଛି । ଗତ ଶିକ୍ଷାବର୍ଷରେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୪୪ଲକ୍ଷ ୯୮ହଜାର ୧୧୨ଜଣ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲା । ସମଗ୍ର ରାଜ୍ୟରେ କେବଳ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ୨୧ଲକ୍ଷ ୧୦ହଜାର ୭୩୬ଜଣ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ସେଥିରୁ ୩ଲକ୍ଷ ୨୧ହଜାର ୮୧୬ଜଣ ଛାତ୍ରଛାତ୍ରୀ ବିଭିନ୍ନ ଘରୋଇ ସ୍କୁଲରେ ପଢ଼ୁଛନ୍ତି ବୋଲି ସ୍କୁଲ ବିଭାଗର ରିପୋର୍ଟରୁ ଜଣାପଡ଼ିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।