Advertisment

ବଦଳିଲା ‘ମୋ ସ୍କୁଲ’ର ନାଁ

ଗୋଦାବରୀଣ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନାମରେ ଏକ ନୂତନ ଯୋଜନା ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ସରକାର।

CM

CM

Advertisment

ବିଜେଡି ସରକାର ଅମଳର ‘ମୋ ସ୍କୁଲ୍’ ଯୋଜନାର ନାଁ ବଦଳାଇ ଦେଇଛନ୍ତି ରାଜ୍ୟର ପ୍ରଥମ ବିଜେପି ସରକାର। ‘ମୋ ସ୍କୁଲ୍’ର ନାଁ ବଦଳାଇ ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’ ରଖାଯାଇଛି। ଆଜି ବିଧାନସଭାରେ ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିଲେ ଏହି ସୂଚନା।

Advertisment

ଅର୍ଥ ବିଭାଗକୁ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରିବା ବେଳେ କହିଥିଲେ, ଗୁଣାତ୍ମ ପ୍ରାଥମିକ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସ୍ତରର ଶିକ୍ଷଣ ନିମନ୍ତେ ଗଢ଼ିତୋଳେ। ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳର ପିଲାମାନଙ୍କୁ ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଗୋଦାବରୀଣ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନାମରେ ଏକ ନୂତନ ଯୋଜନାର ପ୍ରସ୍ତାବ ଦେଉଛି। ଏଥିପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି। ଆମେ ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’ ଯୋଜନା ଅଧୀନରେ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନରେ ବିଦ୍ୟାଳୟର ବିକାଶ ପାଇଁ ସରକାରୀ ଅଂଶ ବାବଦକୁ ୨୦୨୪-୨୫ ଆର୍ଥିକ ବର୍ଷରେ ୩୩୨ କୋଟି ଟଙ୍କା ଆବଣ୍ଟନ କରିବୁ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ସମସ୍ତ ବିଦ୍ୟାଳୟରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଏବଂ ଆବଶ୍ୟକୀୟ ସୁବିଧା ପ୍ରଦାନ କରି କୌଣସି ଛାତ୍ରଛାତ୍ରୀ ଯେପରି ଅଧାରୁ ବିଦ୍ୟାଳୟ ନ ଛାଡ଼ିବେ, ତାହା ସୁନିଶ୍ଚିତ କରିବା ପାଇଁ ସମଗ୍ର ଶିକ୍ଷା ଏବଂ Strengthening Teaching-Learning and Results for States (STARS) କାର୍ଯ୍ୟକାରୀ କରାଯିବ। ଚଳିତ ବର୍ଷ ମୁଁ ସମଗ୍ର ଶିକ୍ଷା ପାଇଁ ୩୭୯୧ କୋଟି ଟଙ୍କା ଏବଂ STARS ପାଇଁ ୭୧୪ ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରଖୁଛି। ଉଭୟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୂଚନା ପ୍ରଯୁକ୍ତି ବିଦ୍ୟା, ସଂଚାର ଓ ଯୋଗାଯୋଗ ଉପରେ ଗୁରୁତ୍ୱ ଦିଆଯିବ। ସ୍କୁଲ୍ ୟୁନିଫର୍ମ, ସାଇକେଲ ଇତ୍ୟାଦି ଯୋଗାଇ ଦେଇ ବିଦ୍ୟାଳୟରେ ନାମଲେଖା ବୃଦ୍ଧି ପାଇଁ ‘ଗଙ୍ଗାଧର ମେହେର ଶିକ୍ଷାମାନକ ବୃଦ୍ଧି’ ଯୋଜନାରେ ୪୦୯ କୋଟି ଯୋଗାଇ ଦିଆଯିବ।

Advertisment

ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ସରକାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା (PM USHA) ପ୍ରଚଳନ କରୁଛନ୍ତି, ଯେଉଁଥିରେ ଉଚ୍ଚ ଶିକ୍ଷାରେ ସମାନତା,ଉପଳବ୍ଧତା ଓ ଅନ୍ତର୍ଭୁକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୬୦:୪୦ ଅନୁପାତରେ ପାଣ୍ଠି ସହାୟତାରେ ଗୁଣାତ୍ମକ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାର ବିକାଶ, ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱୀକୃତି, ସୂଚନା, ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରିବା ସହ ବହୁ ବିଭାଗୀୟ ପାଠ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ଦକ୍ଷତା ବୃଦ୍ଧି କରିବା ଏହି ପଦକ୍ଷେପର ଲକ୍ଷ୍ୟ। ଏହି ଯୋଜନା ପାଇଁ ୧୫୫ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ଅଛି।

ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏକାଡେମିକ, ପ୍ରଶାସନିକ, ପାଠାଗାର, ହଷ୍ଟେଲ କୋଠା ନିର୍ମାଣ ତଥା ଭିତ୍ତିଭୂମି ବିକାଶ ପାଇଁ ୨୦୨୪-୨୫ ବଜେଟରେ ୩୨୫ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Odisha Budget Budget 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe