Advertisment

NTA ଏକ ପ୍ରାଇଭେଟ୍ ସୋସାଇଟି?

ବହୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପରିଚାଳନା କରୁଥିବା NTA, ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ, 1860 ଅନୁଯାୟୀ ଏକ ପ୍ରାଇଭେଟ ସୋସାଇଟି ଭାବରେ ପଞ୍ଜିକୃତ।

author-image
Debibandita Barick
ଅଦ୍ୟତନ ହୋଇଛି
NTA

NTA

ଡାକ୍ତରୀ ପ୍ରବେଶିକା ବା NEET-UG ପରୀକ୍ଷାରେ ବ୍ୟାପକ ଅନିୟମିତତା ଏବଂ UGC-NET ପରୀକ୍ଷା ରଦ୍ଦ ହେବାକୁ ନେଇ ସରକାରୀ ନିୟନ୍ତ୍ରିତ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA)ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରୀକ୍ଷାରେ ବ୍ୟାପକ ତ୍ରୁଟି ପାଇଁ ଅନେକ NTAକୁ ଦାୟୀ କରିଆସୁଛନ୍ତି। 

Advertisment

ସରକାର NTA ମୁଖ୍ୟଙ୍କୁ ବହିଷ୍କାର କରିବା ସହ ଏଥିରେ ସଂସ୍କାର ଆଣିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିବାବେଳେ ସାରା ଦେଶରେ ପରୀକ୍ଷା ସଂସ୍ଥା ବିରୋଧରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ତେବେ ଏହାରି ମଧ୍ୟରେ NTAର ପରିଚାଳନା ବ୍ୟବସ୍ଥା ଉପରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି।

ବାସ୍ତବରେ NTA ସମ୍ପୂର୍ଣ୍ଣ ସରକାର ନିୟନ୍ତ୍ରଣାଧୀନ ନୁହେଁ, ଏହା ଏକ ପ୍ରାଇଭେଟ ସୋସାଇଟି ବା ଘରୋଇ ସମିତି। JEE, NEET, UGC-NET, CMAT ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପରିଚାଳନା କରୁଥିବା NTA, ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ, 1860 ଅନୁଯାୟୀ ଏକ ପ୍ରାଇଭେଟ ସୋସାଇଟି ଭାବରେ ପଞ୍ଜିକୃତ ହୋଇଛି।

Advertisment

2017ରେ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱୟଂଶାସିତ ତଥା ଆତ୍ମନିର୍ଭରଶୀଳ ପରୀକ୍ଷଣ ସଂଗଠନ ଭାବରେ ଏହି ସଂସ୍ଥା ପ୍ରତିଷ୍ଠା କରାଯାଇଥିଲା। NTA ଏକ ଗଭର୍ଣ୍ଣିଂ ବଡି ଦ୍ୱାରା ପରିଚାଳିତ ଏବଂ ଏହାର ଜେନେରାଲ ବଡି ନାହିଁ।

ଏହା କୌଣସି ସଂସଦୀୟ ନିୟମ ଦ୍ୱାରା ପରିଚାଳିତ ହୁଏ ନୁହେଁ କି ଏଥିରେ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥିବା ନିୟମ ଅନୁସାରେ କାର୍ଯ୍ୟ କରାଯାଏ ନାହଁ। ତଥାପି, NTA ରାଇଟ୍ ଟୁ ଇନଫରମେସନ୍ ଆକ୍ଟ (ଆରଟିଆଇ) ଅଧୀନରେ ରହିଛି।

NTA ଗଠନ ପୂର୍ବରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC), କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଜେଏନୟୁ ପରି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ନିଜ ପରୀକ୍ଷା ନିଜେ କରୁଥିଲେ। 

କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଏବଂ ପରିଚାଳିତ ଜାତୀୟ ଶିକ୍ଷା ବୋର୍ଡ CBSE ପୂର୍ବରୁ  UGC-NET ଏବଂ NEET ପରୀକ୍ଷା 2018 ପର୍ଯ୍ୟନ୍ତ ପରିଚାଳନା କରି ଆସୁଥିଲା। କିନ୍ତୁ ଏହା ପରେ ଏହି ସବୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପରିଚାଳନା ଦାୟିତ୍ୱ NTAକୁ ହସ୍ତାନ୍ତର କରା ଯାଇଥିଲା। କିନ୍ତୁ NTA ଦାୟିତ୍ୱ ନେବା ପରଠାରୁ ବ୍ୟାପକ ଅନିୟମିତତାର ଚିତ୍ର ସାମ୍ନାକୁ ଆସିଛି। 

2018 ରେ NTA ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଏଜେନ୍ସି ଦ୍ୱାରା ପରିଚାଳିତ ଅତି କମରେ 12ଟି ପରୀକ୍ଷାରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ଲିକର୍ ଅଭିଯୋଗ ହୋଇଛି। କିନ୍ତୁ 2024ରେ ଏହା ଚରମରେ ପହଞ୍ଚିଛି। 67 ଜଣ ଛାତ୍ରଛାତ୍ରୀ ମେଡିକାଲ ପ୍ରବେଶିକା ପରୀକ୍ଷାରେ 720ରୁ 720 ପୂର୍ଣ୍ଣ ମାର୍କ ରଖିବା ଏବଂ କିଛି ପିଲାଙ୍କୁ ଗ୍ରେସ୍ ମାର୍କ ମିଳିବାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାକୁ ନେଇ NTAର ପରୀକ୍ଷା ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

NTA NEET Exam NTA Private Society NET