Advertisment

ଓଡ଼ିଆ ବିଶ୍ୱ ବିଦ୍ୟାଳୟର ନୂଆ କ୍ୟାମ୍ପସ୍‌ ଲୋକାର୍ପିତ

ସତ୍ୟବାଦୀକୁ ଓଡ଼ିଆ ନବଜାଗରଣର ପୀଠ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ କର୍ମଭୂମୀ ହେଉଛି ସତ୍ୟବାଦୀ। ଭାଷା ଗୋଟିଏ ଜାତିର ଅସ୍ମିତାର ପରିଚୟ। ଗୋଟେ ଜାତିର ମୁକୁଟ ହେଉଛି ତା’ର ଭାଷା।

author-image
Manoranjan Sial
Odia University

Odia University

ପୁରୀ ଜିଲ୍ଲା ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍‌ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂଆ କ୍ୟାମ୍ପସ୍‌କୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସମୟ ହେଉଛି ଓଡ଼ିଆ ଜାତି ପାଇଁ ଏକ ଗୌରବମୟ ସମୟ।

Advertisment

ସେ କହିଛନ୍ତି, ନିକଟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ଆଜି ଓଡ଼ିଆ ବିଶ୍ୱ ବିଦ୍ୟାଳୟର କ୍ୟାମ୍ପସ୍‌ ଲୋକାର୍ପଟ ହେଲା। ଜାନୁଆରୀ ୨୭ ତାରିଖରେ ସମଲେଇ ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି। ଫେବୃଆରୀ ୩ ତାରିଖରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ହେବ। ତେଣୁ ନିଶ୍ଚିତ ଭାବେ ଏହା ଆମ ସମସ୍ତଙ୍କ ପାଇଁ, ସମଗ୍ର ଓଡ଼ିଆ ଜାତି ପାଇଁ ଏକ ଗୌରବର ସମୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସତ୍ୟବାଦୀକୁ ଓଡ଼ିଆ ନବଜାଗରଣର ପୀଠ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ କର୍ମଭୂମୀ ହେଉଛି ସତ୍ୟବାଦୀ। ଭାଷା ଗୋଟିଏ ଜାତିର ଅସ୍ମିତାର ପରିଚୟ। ଗୋଟେ ଜାତିର ମୁକୁଟ ହେଉଛି ତା’ର ଭାଷା। ଭାଷାର ବ୍ୟବହାର ବଢିଲେ ଏହା ସମୃଦ୍ଧ ହୋଇଥାଏ ଏବଂ ଜାତିର ଗୌରବ ବୃଦ୍ଧି କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ସେ ପୁଣି କହିଛନ୍ତି, ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷା। ଏହା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ଓଡ଼ିଆ ଭାଷାରେ ଅନେକ ସମୃଦ୍ଧ ସାହିତ୍ୟ ସୃଷ୍ଟି ହୋଇଛି। ଆମ ସାହିତ୍ୟର ସାରା ବିଶ୍ୱରେ ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରାଯିବା ଦରକାର। ଆମ ଭାଷା ପ୍ରତି ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଯିବା ଦରକାର। ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି କରାଯିବା ଦରକାର। ଏହା ସହିତ ଓଡ଼ିଆ ଭାଷା ଉପରେ ଅଧିକ ଗବେଷଣା କରାଯିବା ଦରକାର ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି, ଓଡ଼ିଆ ଭାଷା ଓ ଅସ୍ମିତାର ସୁରକ୍ଷା ପାଇଁ ଓଡ଼ିଆ ବିଶ୍ୱବିଦ୍ୟାଳୟ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଏକ ବଡ଼ ଅବଦାନ। ଓଡ଼ିଆ ବିଶ୍ୱବିଦ୍ୟାଳୟ ଯୋଗୁ ଓଡ଼ିଆ ଭାଷା ଓ ସାହିତ୍ୟକୁ ଭଲ ପାଉଥିବା ଦେଶ ବିଦେଶରେ ରହୁଥିବା ଓଡ଼ିଆମାନେ ଖୁବ ଉତ୍ସାହିତ ବୋଲି ସେ କହିଛନ୍ତି।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, କୁଳପତି ପ୍ରଫେସର ସବିତା ପ୍ରଧାନ ପ୍ରମୁଖ ଅଭିଭାଷଣ ଦେଇଥିଲେ।

୨୦୧୮ ମସିହା ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ଵବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିଥିଲେ। ଆଜି ଏହାର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟିତ ହୋଇଛି। ୯.୬୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ବିଶ୍ଵ ବିଦ୍ୟାଳୟକୁ ଅତ୍ୟାଧୁନିକ ସ୍ଥାପତ୍ୟ ଶୈଳୀ ଓ ଟେକ୍ନୋଲୋଜିରେ ନିର୍ମାଣ କରାଯାଇଛି। ପ୍ରଶାସନିକ ବିଲ୍‌ଡିଂରେ ସ୍ଥାପିତ ଓଡ଼ିଆ ବର୍ଣ୍ଣମାଳା ଅତୀବ ମନୋରମ ପରିଦୃଶ୍ୟ ହେଉଛି। ଏଥିରେ ସ୍କୁଲ ଅଫ ଲର୍ଣିଂ, ଗ୍ରନ୍ଥାଗାର, ହଷ୍ଟେଲ, ରାଧାକୁଣ୍ଡ ପୁଷ୍କରିଣୀ, କାଫେଟେରିଆ, ଫାଉଣ୍ଟେନ୍ ଇତ୍ୟାଦି ରହିଛି। ଏ ସବୁ ନିର୍ମାଣ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଛି। ଏହା ସହିତ ମୁକ୍ତ ପରିବେଶରେ ପାଠ ପଢ଼ାର ବ୍ୟବସ୍ଥା ମଧ୍ୟ ଅଛି।

Puri