Exam Hall
ରାଜ୍ୟରେ ପ୍ରତିଯୋଗିତାମୂଳକ ପରୀକ୍ଷା ବ୍ୟବସ୍ଥାଜନିତ ତ୍ରୁଟିକୁ ସୁଧାରିବା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିବା ସତ୍ତ୍ୱେ ପ୍ରଶ୍ନପତ୍ର ଲିକ୍ ଭଳି ଅଭିଯୋଗ ପୁଣିଥରେ ଚର୍ଚ୍ଚାକୁ ଆସିଛି । ରାଜ୍ୟ ସରକାର ସ୍ପେଶାଲ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ(ଓଟିଇଟି) ପାଇଁ ନିର୍ଦ୍ଧାରିତ ପରୀକ୍ଷା କାର୍ଯ୍ୟସୂଚୀକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପରେ ପ୍ରଶ୍ନପତ୍ର ଲିକକୁ ନେଇ ହେଉଥିବା ଚର୍ଚ୍ଚା ଏବେ ସତ ପ୍ରମାଣିତ ହେବାରେ ଲାଗିଛି । ତେବେ ହଜାର ହଜାର ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହ ଖେଳୁଥିବା ଦୋଷୀଙ୍କ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାରେ ସରକାର କାହିଁକି ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ।
ପରୀକ୍ଷା ସ୍ଥଗିତ ନେଇ ବିଜ୍ଞପ୍ତି ଜାରି
ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତିଙ୍କ ଦ୍ୱାରା ଗତକାଲି(ଜୁଲାଇ ୧୯ତାରିଖ) ବିଳମ୍ବିତ ରାତ୍ରିରେ ଏକ ବିଜ୍ଞପ୍ତି ଜାରି ହେଲା । ଯେଉଁଥିରେ ଜୁଲାଇ ୨୦ତାରିଖରେ ପ୍ରସ୍ତାବିତ ସ୍ପେଶାଲ ଓଟିଇଟି-୨୦୨୫ (ପେପର-୧ ଓ ୨)ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ଦର୍ଶାଯାଇଛି। ମାତ୍ର କେଉଁ କାରଣରୁ ମାତ୍ର ୧୪-୧୫ଘଣ୍ଟା ପୂର୍ବରୁ ପରୀକ୍ଷା ସ୍ଥଗିତ ନେଇ ବିଜ୍ଞପ୍ତି ଜାରି କରାଗଲା ତାହା ସରକାରଙ୍କ ପକ୍ଷରୁ ଉଲ୍ଲେଖ କରାଯାଇ ନାହିଁ। ଅନ୍ୟପକ୍ଷରେ ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।
ରାଜ୍ୟରେ କାର୍ଯ୍ୟରତ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ପରୀକ୍ଷା
ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ସ୍ପେଶାଲ ଓଟିଇଟି-୨୦୨୫ ପରୀକ୍ଷା ଆଜି(ଜୁଲାଇ ୨୦)ରେ ରାଜ୍ୟର ୧୯୩ଟି ପରୀକ୍ଷା କେନ୍ଦ୍ରରେ ହେବାର କାର୍ଯ୍ୟକ୍ରମ ରହିଥିଲା । ଏଥିପାଇଁ ୭୫୪୦୩ଜଣ ପ୍ରାର୍ଥୀ ଫର୍ମ ପୂରଣ କରିଥିଲେ । ଏହି ସ୍ପେଶାଳ ଓଟିଇଟି-୨୦୨୫ ପରୀକ୍ଷା କେବଳ ରାଜ୍ୟରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ଆବଶ୍ୟକ ଯୋଗ୍ୟତା ହାସଲ ନିମନ୍ତେ ସୁଯୋଗ ଦେବାକୁ ଉଦ୍ଦିଷ୍ଟ ଥିଲା । ପ୍ରଥମରୁ ପଂଚମ ଶ୍ରେଣୀ ପାଠ ପଢ଼ାଉଥିବା ଶିକ୍ଷକମାନଙ୍କ ପାଇଁ ପେପର-୧ ଓ ଷଷ୍ଟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କ ପାଇଁ ପେପର-୨ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଥିଲା ।
ପ୍ରଶ୍ନପତ୍ର ଲିକ୍ , ଦାୟୀ କିଏ
କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ପ୍ରଶ୍ନପତ୍ର ପ୍ରସ୍ତୁତ ହେଉଥିଲେ ମଧ୍ୟ ତାହା କିଭଳି ଲିକ୍ ହେଉଛି ଓ ସରକାରଙ୍କୁ ଏହି ପରୀକ୍ଷା ସ୍ଥଗିତ ରଖିବାକୁ ପଡ଼ୁଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଗତ ବର୍ଷମାନଙ୍କରେ ଅନେକ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହେବାର ଘଟଣା ସାମ୍ନାକୁ ଆସିଛି। ମାତ୍ର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏହି ପ୍ରଶ୍ନପତ୍ର ଲିକ୍ ଘଟଣା ଜାରି ରହିଛି । ଯଦିଓ ସରକାର ପ୍ରଶ୍ନପତ୍ର ଲିକ୍ ଆଦି ଘଟଣାରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ କଠୋର ଆଇନର ବ୍ୟବସ୍ଥା କରିଛନ୍ତି କିନ୍ତୁ ପ୍ରକୃତ ଦୋଷୀଙ୍କୁ ଖୋଜି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଥିବା ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Exam_Hall_1752997968.jpg)