Advertisment

ଯୁକ୍ତ ଦୁଇ ଆଡ୍‌ମିଶନରେ ହେରଫେର୍‌; ବାଦ ପଡ଼ିଲେ ମେଧାବୀ

ସାମ୍ସ ଗାଇଡ୍‌ଲାଇନ୍ ଅନୁଯାୟୀ ସ୍ପଟ୍ ଆଡମିଶନ କେବଳ ମେରିଟ ଆଧାରରେ ହେବ। ଏନସିସି, ସ୍କାଉଟ୍‌ ଗାଇଡ୍‌ ଭଳି କୌଣସି ୱେଟେଜ୍‌ ମାର୍କକୁ ମଧ୍ୟ କାଉଣ୍ଟ କରାଯିବ ନାହିଁ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏଫଏମ୍‌ ଜୁନିଆୟର କଲେଜରେ କମ୍‌ ମାର୍କ ପାଇଥିବା ପିଲା ଆଡମିଶନ ନେଇଛନ୍ତି।

author-image
Manoranjan Sial
students

students

ଯୁକ୍ତ ଦୁଇ ଆଡମିଶନରେ ବଡ଼ ହେରଫେର୍‌। ବାଦ ପଡିଛନ୍ତି ମେଧାବୀ। ନାଁ ଲେଖାଇଲେ କମ୍‌ ମାର୍କ ରଖିଥିବା ଛାତ୍ରଛାତ୍ରୀ। ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ(ସାମ୍ସ)ର ସ୍ୱଚ୍ଛତା ଉପରେ ସାଂଘାତିକ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି। ବାଲେଶ୍ୱର ଫକୀର ମୋହନ ଜୁନିୟର କଲେଜରୁ ଆସିଛି ଏଭଳି ଅଭିଯୋଗ।

Advertisment

ଜୀତେନ୍ଦ୍ର ବାରିକ। ୮୬.୬୬ ପ୍ରତିଶତ ମାର୍କ ରଖିଛନ୍ତି। କିନ୍ତୁ ସ୍ପଟ ଆଡମିଶନ ଲିଷ୍ଟରେ ଜିତେନ୍ଦ୍ରଙ୍କ ନାଁ ନାହିଁ। ତାଙ୍କ ସ୍ଥାନରେ ୮୧.୧୭ ପ୍ରତିଶତ ମାର୍କଧାରୀଙ୍କୁ ମିଳିଛି ବିଜ୍ଞାନରେ ଆଡମିଶନ। ସେହିପରି ଆଉ ଜଣେ ମେଧାବୀ ଛାତ୍ର ହେଉଛନ୍ତି ସେକ୍‌ ହୁସେନ। ସେ ମଧ୍ୟ ଆଡମିଶନ୍ ପାଇନାହାଁନ୍ତି। ଇଣ୍ଟିମେସନ ମଧ୍ୟ ଯାଇନି। ଜଣେ କି ଦୁଇ ଜଣ ନୁହେଁ, ବିଜ୍ଞାନ ବିଭାଗରେ ୧୭ ଜଣ ଛାତ୍ରଛାତ୍ରୀ କମ୍‌ ମାର୍କ ରଖି ଆଡମିଶନ ପାଇଛନ୍ତି। ଯାହାକୁ ନେଇ ପିଲା ଓ ଅଭିଭାବକଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ବର୍ଷ ସ୍ପଟ ଆଡମିଶନରେ ହେଉଥିବା କେଳେଙ୍କାରୀ ରୋକିବା ଲାଗି ଅନଲାଇନ ଆବେଦନ ବ୍ୟବସ୍ଥା ଲାଗୁ ହୋଇଛି। ଏହାସତ୍ତ୍ୱେ କିପରି ଆଡମିଶନରେ ଗଡ଼ବଡ଼ି ହେଉଛି, ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ସାମ୍ସ ଗାଇଡ୍‌ଲାଇନ୍ ଅନୁଯାୟୀ ସ୍ପଟ୍ ଆଡମିଶନ କେବଳ ମେରିଟ ଆଧାରରେ ହେବ। ଏନସିସି, ସ୍କାଉଟ୍‌ ଗାଇଡ୍‌ ଭଳି କୌଣସି ୱେଟେଜ୍‌ ମାର୍କକୁ ମଧ୍ୟ କାଉଣ୍ଟ କରାଯିବ ନାହିଁ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏଫଏମ୍‌ ଜୁନିଆୟର କଲେଜରେ କମ୍‌ ମାର୍କ ପାଇଥିବା ପିଲା ଆଡମିଶନ ନେଇଛନ୍ତି। ବଳକା ସିଟରେ ୧୦ ଗୁଣା ପିଲାଙ୍କୁ ଇଣ୍ଟିମେସନ ଯିବା କଥା, ଯାହା ହୋଇନଥିବା ଅଭିଯୋଗ ଆସିଛି। ଯୁକ୍ତ ଦୁଇ ଆଡମିଶନରେ ଏ ତ୍ରୁଟିକୁ ସାମ୍ସ ଜିଲ୍ଲା ନୋଡାଲ୍‌ ଅଫିସର ମଧ୍ୟ ସ୍ୱୀକାର କରିଛନ୍ତି। ତେବେ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅବଗତ କରାଇଥିବା କହିଛନ୍ତି ସାମ୍ସ ଜିଲ୍ଲା ନୋଡାଲ ଅଫିସର ଡକ୍ଟର ଭାଗବତ ଭୂୟାଁ।

Advertisment

ସେପଟେ ବୈଷୟିକ ତ୍ରୁଟି ପାଇଁ ଏଭଳି ହୋଇଛି। ଆଡମିଶନରୁ ବାଦ ପଡିଥିବା ଛାତ୍ରଛାତ୍ରୀ ଦିନେ ଦୁଇଦିନ ଭିତରେ ଆଡମିଶନ ପାଇବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରିପୋର୍ଟ-ବାଲେଶ୍ୱରରୁ ରଶ୍ମିରଞ୍ଜନ ଦାସ

Odisha Education