Advertisment

ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପକ୍ଷରୁ ଆସନ୍ତା ୨୬ ତାରିଖରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପଠାଯିବ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା।

author-image
Tapaswini Nayak
Exam

Exam

ଜାନୁଆରୀ ୨ ତାରିଖରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହେବ। ହାତରେ ଆଉ କମ୍ ସମୟ ରହିଛି। ତେଣୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପକ୍ଷରୁ ଆସନ୍ତା ୨୬ ତାରିଖରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପଠାଯିବ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା।

Advertisment

ଚଳିତ ମାସ ୩୧ସୁଦ୍ଧା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ପହଞ୍ଚିବ ଏସବୁ ସାମଗ୍ରୀ। ପରୀକ୍ଷା ଅଧୀକ୍ଷକମାନେ ପ୍ରଶ୍ନପତ୍ର, ଉତ୍ତର ଖାତା ସମେତ ଅନ୍ୟାନ୍ୟ କାଗଜପତ୍ର ଗ୍ରହଣ କରିବା ସମୟରେ ତାହାକୁ ଭଲ ଭାବେ ଯାଞ୍ଚ କରିବେ। ଯଦି କୌଣସି ସ୍ଥାନରେ ପ୍ରଶ୍ନପତ୍ର କିମ୍ବା ଉତ୍ତର ଖାତାରେ ତ୍ରୁଟି ରହିଥିବ, ସଙ୍ଗେ ସଙ୍ଗେ ପରୀକ୍ଷା ନିୟନ୍ତ୍ରକଙ୍କୁ ଫୋନ୍ କରି ଜଣାଇବାକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଚିଠି ଲେଖିଛି CHSE।

ପରୀକ୍ଷା ସରିବା ପରେ ମଧ୍ୟ ପ୍ରଶ୍ନପତ୍ର ଓ ପ୍ୟାକେଟ୍ ସାମଗ୍ରୀକୁ ସେମାନେ ସାଇତି ରଖିବେ।୨୦୨୪ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବାର ଅତି କମରେ ମାସେ ପର୍ଯ୍ୟନ୍ତ ସେଗୁଡ଼ିକୁ ଯତ୍ନର ସହ ରଖିବେ। ଜାନୁଆରୀ ୨ରୁ ୧୨ ତାରିଖ ଯାଏଁ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ବିଭିନ୍ନ ବିଷୟ ପରୀକ୍ଷା ଅନୁଷ୍ଠିତ ହେବ।

Advertisment

ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଇଲେକ୍ ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋ- ଟେକ୍ନୋଲୋଜି, ପରିସଂଖ୍ୟାନ, ଭୂଗୋଳ, ଭୂତତ୍ତ୍ବ ବିଜ୍ଞାନ ଓ ଆଇଟି ବିଷୟର ପ୍ରାକ୍ଟିକାଲ ପରୀକ୍ଷା ହେବ। ସେହିପରି କଳା ବିଭାଗର ଶିକ୍ଷା, ଆଇଟି, ମନୋବିଜ୍ଞାନ, ନୃତତ୍ତ୍ୱ ବିଜ୍ଞାନ, ଇଣ୍ଡିଆନ୍ ମ୍ୟୁଜିକ୍, ହୋମ୍ ସାଇନ୍ସ, ପରିସଂଖ୍ୟାନ ଓ ଭୂଗୋଳ ବିଷୟ ଏବଂ ବାଣିଜ୍ୟ ବିଭାଗର ଆଇଟି ଓ କମ୍ପ୍ୟୁଟର ସାଇନ୍ସ ବିଷୟର ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବ।

ଇଣ୍ଟିଗ୍ରେଟେଡ୍ ଭୋକେସନାଲ ପାଠ୍ୟକ୍ରମର ପ୍ରାକ୍ଟିକାଲ୍ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ୧୫ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ୍ ପାଇଁ ୨ ଘଣ୍ଟା, ୬୦, ୩୦ ଓ ୨୦ ମାର୍କ ପରୀକ୍ଷା ପାଇଁ ୩ ଘଣ୍ଟା ଧାର୍ଯ୍ୟ ହୋଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି। ଫେବ୍ରୁଆରୀ ୧୬ରୁ ଯୁକ୍ତ ୨ ଥିଓରି ପରୀକ୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି।

CHSE Plus 2 Exam