୨୫ରେ ଆସିବେ ରାଷ୍ଟ୍ରପତି, କଟକରେ ୬ରୁ ଅଧିକ କାର୍ଯ୍ୟକ୍ରମ

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଜୁଲାଇ ୨୫ ତାରିଖରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଓଡ଼ିଶା ଆସିବେ ଓ ଉକ୍ତଦିନ ରାଜଭବନଠାରେ ରାଜ୍ୟର ଆଦିମ ଜନଜାତି ସମୁଦାୟର ପ୍ରତିନିଧିମାନଙ୍କୁ ଭେଟିବେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

  • Published: Monday, 17 July 2023
  • , Updated: 17 July 2023, 10:24 PM IST

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୫ତାରିଖରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତକାଳରେ ରାଜଭବନ ପରିସରରେ ଆଦିମ ଜନଜାତି ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ସମେତ କଟକ ସହରରେ ଦିନତମାମ ୬ରୁ ଅଧିକ କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ସୁନିଶ୍ଚିତ କରିବା ପାଇଁ ଶକ୍ତି ବିଭାଗ, ଟାଟା ପାୱାରକୁ ଭଲ ଭାବେ ତଦାରଖ ପାଇଁ ନିର୍ଦ୍ଦେଶ ଦେବା ସହ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଯାଂଚ ନିମନ୍ତେ ଅଭିଜ୍ଞ ନିର୍ବାହୀ ଯନ୍ତ୍ରୀମାନଙ୍କୁ ମୁତୟନ ଓ ଯଥେଷ୍ଟ ସଂଖ୍ୟକ ଜେନେରେଟର ମହଜୁଦ୍ ରଖିବାକୁ ଶ୍ରୀ ଜେନା ତାଗିଦ୍ କରିଥିବା ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ନିମନ୍ତେ ଗୃହ ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ।

ସୂଚନା ଅନୁସାରେ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଜୁଲାଇ ୨୫ ତାରିଖରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଓଡ଼ିଶା ଆସିବେ ଓ ଉକ୍ତଦିନ ରାଜଭବନଠାରେ ରାଜ୍ୟର ଆଦିମ ଜନଜାତି ସମୁଦାୟର ପ୍ରତିନିଧିମାନଙ୍କୁ ଭେଟିବେ। ୨୬ତାରିଖରେ କଟକ ଚଣ୍ଡିମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବାସଭବନ ଓ  ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ। ସେହିଦିନ କଟକରେ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ। ୨୭ତାରିଖରେ ଭୁବନେଶ୍ୱରର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପେ୍ଲକ୍ସର ଶିଳାନ୍ୟାସ  କରିବା ସହ ଭଦ୍ରକ ଯାଇ ଭଦ୍ରକ ସ୍ୱୟଂଶାସିତ କଲେଜର ହୀରକ ଜୟନ୍ତୀ ସମାରୋହରେ  ଯୋଗ ଦେଇ ନୂଆଦିଲ୍ଲୀ ଫେରିଯିବେ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱରରେ ପହଂଚିବାରୁ ଛାଡ଼ିବା ପର୍ଯ୍ୟନ୍ତ ତାଙ୍କର ରହଣୀ, ସୁରକ୍ଷା ବ୍ୟବସ୍ଥା ଓ କାର୍ଯ୍ୟକ୍ରମର ଗଣମାଧ୍ୟମରେ ପ୍ରକାଶନ ଓ ପ୍ରସାରଣ ଆଦି ସୁନିଶ୍ଚିିତ କରିବାକୁ କୁହାଯାଇଛି। ରାଜ୍ୟ ପ୍ରଶାସନ ଓ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ କିଭଳି ସୁରକ୍ଷା ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବେ ତାହା ଉପରେ ଆଜିର ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଜିର ଏହି ପ୍ରସ୍ତୁତି ବୈଠକରେ ଓଡ଼ିଶା ହାଇକୋର୍ଟ, କେନ୍ଦ୍ରାଂଚଳ ଆରଡିସି, ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଭୁବନେଶ୍ୱର ଓ କଟକ ମହାନଗର କମିଶନରଙ୍କ ସମେତ ଗୃହ ସଚିବ, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ, ପୁଲିସ ଡିଜି, ରାଜ୍ୟପାଳଙ୍କ ପ୍ରମୁଖ ସଚିବ, ଶକ୍ତି ସଚିବ, ସ୍ୱାସ୍ଥ୍ୟ ସଚିବ, ପୁଲିସ କମିଶନର ଓ  ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Related story