Strike
‘୨୨୦ ଦିନର କାର୍ଯ୍ୟ ଦିବସ ଭରଣା କର । ନଚେତ ଆଗାମୀ ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ ତାହାକୁ ଭରଣା କରିବ ।’ ୩ ଦଫା ଦାବି ପୂରଣ ନିମନ୍ତେ ସମୂହ ଛୁଟିରେ ଯାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣରେ ବସିଥିବା ପ୍ରାଥମିକ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏପରି ନାଲି ଆଖି ଦେଖାଇଛନ୍ତି ରାଜ୍ୟ ସରକାର ।
ପ୍ରାଥମିକ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପ୍ରାଥମିକ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ସବ୍ କମିଟି ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲୋଚନା ଜାରି ରଖିଛି। ଏନେଇ ଶିକ୍ଷକଙ୍କୁ ଅବଗତ କରିବାକୁ ଡିଇଓ ଏବଂ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ କୌଣସି ସମାଧାନର ବାଟ ବାହାରି ପାରୁନି।
ତେଣୁ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ବି ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି। ତେଣୁ ଯେକୌଣସି ପରିସ୍ଥିତିରେ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଆନ୍ଦୋଳନରୁ ହଟାଇବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ।
ଶିକ୍ଷକଶିକ୍ଷୟିତ୍ରୀମାନେ ଶିକ୍ଷା ବିଭାଗର ବିନା ଅନୁମତିରେ ଛୁଟିରେ ଯାଇଥିବାରୁ ତୁରନ୍ତ ଫେରି କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି। ଏଥିସହ ୨୨୦ ଦିନ କାର୍ଯ୍ୟଦିବସ ପୂରଣ ନ ହେଲେ ପରବର୍ତ୍ତୀ ସମୟରେ ସମୂହ ଛୁଟିରେ ଥିବା ଶିକ୍ଷକମାନେ ତାହାକୁ ଭରଣା କରିବେ ବୋଲି ଚିଠିରେ ଦର୍ଶାଯାଇଛି।
ଏପରିକି ଆନ୍ଦୋଳନ ଯୋଗୁ ଚଳିତ ବର୍ଷ ଯେତିକି କାର୍ଯ୍ୟ ଦିବସ ନିଅଣ୍ଟ ହେବ ଆସନ୍ତା ବର୍ଷ ୨୨୦ ଦିନର କାର୍ଯ୍ୟ ଦିବସ ପରେ ତାହାକୁ ସେମାନେ ଭରଣା କରିବେ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି।
ମାତ୍ର ସରକାରଙ୍କ ନାଲି ଆଖିକୁ ଶିକ୍ଷକମାନେ ଡରୁ ନ ଥିବା ବେଳେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ପଛ ଘୁଞ୍ଚା ଦେବାର ପ୍ରଶ୍ନ ଉଠୁନି ବୋଲଇ ସ୍ପଷ୍ଟ ଭାବେ ଶୁଣାଇଛନ୍ତି।
ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟରେ ପାଠ ପଢ଼ା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ଯାଇଛି । ୪ ଦିନ ଧରି ବିଇଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ପରେ ଗତକାଲିଠାରୁ ସମୂହ ଛୁଟିରେ ଯାଇଛନ୍ତି ପ୍ରାଥମିକ ଶିକ୍ଷକ । ଫଳରେ ରାଜ୍ୟରେ ପ୍ରାଥମିକ ଶିକ୍ଷାରେ ଡୋରି ବନ୍ଧା ହୋଇଛି ।
ରାଜ୍ୟର ୫୬ ହଜାର ପ୍ରାଥମିକ ସ୍କୁଲରେ ତାଲା ପଡ଼ିବା ସହ ଶିକ୍ଷାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ନିର୍ବାଚନୀ ବର୍ଷରେ ଶିକ୍ଷକଙ୍କ ଏଭଳି ଆନ୍ଦୋଳନ ଏବେ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି।
ଶିକ୍ଷକ ପ୍ରତିନିଧିଙ୍କ ସହ ସରକାର ଆଲୋଚନା କରି ଦାବି ସମ୍ପର୍କରେ ୫ ଜଣିଆ ସବ୍ କମିଟି ବି ଗଠନ କରିଛନ୍ତି । କିନ୍ତୁ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବା ଜିଦରେ ଅଟଳ ରହିଛନ୍ତି ଶିକ୍ଷକ ।
ଠିକା ଅବଧି ୬ ବର୍ଷ ଏବଂ ଶିକ୍ଷାକର୍ମୀ ୪ ବର୍ଷ ସମୟକୁ ଚାକିରିରେ ଗଣନା କରି ନ୍ୟାସନାଲ ଓ ଇକ୍ରିମେଣ୍ଟ ପ୍ରଦାନ କରିବା, ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡ଼ର ଭୁକ୍ତ କରିବା, କଳା, କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା ଦାବି ସହ ଯୁକ୍ତ ଦୁଇ ଯୋଗ୍ୟତା ଆଧାରରେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ସହ ପୁରୁଣା ପେନସନ ପୁନଃ ପ୍ରଚଳନ ନିମନ୍ତେ ଆନ୍ଦୋଳନ ଚଳାଇଛନ୍ତି ପ୍ରାଥମିକ ଶିକ୍ଷକ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
