Advertisment

୫-ଟି ସ୍କୁଲରେ ଖସିଲା ସିଲିଂ; ଶିକ୍ଷୟିତ୍ରୀ ଓ ଦୁଇ ଶିକ୍ଷକ ମେଡ଼ିକାଲ୍‌ରେ

ତେବେ ଆର୍ଟ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତିଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟିହୋଇ ପ୍ରବଳ ରକ୍ତଶ୍ରାବ ହୋଇଛି। ତେଣୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

author-image
Manoranjan Sial
ଅଦ୍ୟତନ ହୋଇଛି
puri

5T School

୫-ଟି ସ୍କୁଲ ନିର୍ମାଣକୁ ବର୍ଷେ ପୂରିନି। ହେଲେ ତାହା ପୂର୍ବରୁ ସ୍କୁଲ ଛାତରୁ ଖସିଲା ସିଲିଂ। ରକ୍ତାକ୍ତ ହେଲେ ଶିକ୍ଷୟିତ୍ରୀ ଓ ଦୁଇ ଶିକ୍ଷକ। ୫ଟିର ଏପରି ବିକଳ ଚିତ୍ର ଆଜି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ। ଶିକ୍ଷୟିତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ତାଳଦା ଏଡବାଂଶ ପଢ଼ିଆରୀ ବିଦ୍ୟାପୀଠ ହେଉଛି ବହୁ ପୁରାତନ ସ୍କୁଲ। ଏହି ସ୍କୁଲକୁ ରାଜ୍ୟ ସରକାର ୫ଟିରେ ଅନ୍ତର୍ଭୁକ୍ତ କରିଥିଲେ। ୫-ଟିରେ ଅନ୍ତର୍ଭୁକ୍ତ ହେବା ପରେ ଗତବର୍ଷ ସ୍କୁଲକୁ ନବୀକରଣ କାର୍ଯ୍ୟ କରାଯାଇଥିଲା। ତା’ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍କୁଲକୁ ଲୋକାର୍ପିତ କରିଥିଲେ। ଆଜି ସେହି ସ୍କୁଲରେ ଅଘଟଣ ଘଟିଛି।

ମଧ୍ୟାହ୍ନରେ ସବୁ ଶିକ୍ଷକ ଓ ଶିକ୍ଷୟିତ୍ରୀ କମନ୍‌ ରୁମ୍‌ରେ ବସିଥିଲେ। ଠିକ୍‌ ସେହି ସମୟରେ ଛାତରୁ ସିଲିଂ ଖସି ପଡ଼ିଥିଲା। ଫଳରେ ଆର୍ଟ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି, ସହକାରୀ ଶିକ୍ଷକ ତ୍ରିଲୋଚନ ବେହେରା ଓ ଦୈତାରୀ ବେହେରା ଆହତ ହୋଇଥିଲେ। ସମସ୍ତଙ୍କୁ ବାଲିକୁଦା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

Advertisment

ତେବେ ଆର୍ଟ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତିଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟିହୋଇ ପ୍ରବଳ ରକ୍ତଶ୍ରାବ ହୋଇଛି। ତେଣୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ନିମ୍ନମାନର କାମ ଯୋଗୁ ସିଲିଂ ଖସିଥିବା ଅଭିଯୋଗ ହେଉଛି। ଶିକ୍ଷକ ଓ ଶିକ୍ଷୟିତ୍ରୀ ବସୁଥିବା କମ୍‌ନ ରୁମ୍‌ର ଯଦି ଏମିତି ଅବସ୍ଥା, ତାହାହେଲେ କ୍ଲାସ୍‌ ରୁମ୍‌ କେମିତି ଥିବ? ତାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

ସୂଚନାରୁ ପ୍ରକାଶ, ପୂର୍ବରୁ ନିମାପଡ଼ାରେ ଏକ ୫ଟି ସ୍କୁଲରେ ସିଲିଂ ଖସିଥିବା ବେଳେ ଅସ୍ତରଙ୍ଗରେ ପାଚେରୀ ଭାଙ୍ଗିଥିଲା।

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

Puri 5T