Advertisment

ଅଷ୍ଟମ ଦିନରେ ଶିକ୍ଷକ ଆନ୍ଦୋଳନ: ନାଲି ଆଖି ଦେଖାଇଥିଲେ, ଏବେ ଭଣ୍ଡୁର ପାଇଁ ସରକାରଙ୍କ ଉଦ୍ୟମ

ରାଜ୍ୟ ସରକାର ଗତ ୩ଦିନ ତଳେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଧାରଣାରତ ଶିକ୍ଷକମାନଙ୍କୁ ଆନ୍ଦୋଳନରୁ ଓହରି ଯିବା ନିମନ୍ତେ ନାଲି ଆଖି ଦେଖାଇବାକୁ ପଛାଇ ନଥିଲେ ।

Teacher

Teacher

Advertisment

୩ ଦଫା ଦାବି ନେଇ ଗତ ୮ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ପ୍ରାୟ ଦେଢ଼ ଲକ୍ଷ ପ୍ରାଥମିକ ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାର ଏବେ ଉଦ୍ୟମ ଆରମ୍ଭ କରିଛନ୍ତି । ୩୧୪ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକମାନେ ଧାରଣାରେ ବସିଥିବାରୁ ରାଜ୍ୟର ପ୍ରାୟ ୫୬ହଜାର ପ୍ରାଥମିକ ସ୍କୁଲରେ ତାଲା ଝୁଲିବା ସହ ପାଠପଢ଼ା ପ୍ରଭାବିତ ହୋଇଛି । ଆନ୍ଦୋଳନରୁ ଓହରିବା ପାଇଁ ଶିକ୍ଷକମାନଙ୍କୁ ଗତ ୩ଦିନ ତଳେ ନାଲି ଆଖି ଦେଖାଇଥିବା ସରକାର ଆଜି ଆନ୍ଦୋଳନକୁ ଭଣ୍ଡୁର ପାଇଁ ଅନ୍ୟ ଶିକ୍ଷକ ସଂଘର ସହାୟତା ନେଇଥିବା ଜଣାପଡ଼ିଛି । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବାର ପ୍ରଶ୍ନ ଉଠୁନି ବୋଲି ଅଲଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ସ୍ପଷ୍ଟ କରିଛି । ସେପଟେ ପ୍ରାଥମିକ ସ୍କୁଲ ଶିକ୍ଷକମାନଙ୍କ ଆନ୍ଦେଳାନକୁ କଂଗ୍ରେସ ଓ ବିଜେପି ସମର୍ଥନ ଦେଇଥିବାବେଳେ ଓଷ୍ଟା ଓ ଅଭିଭାବକ ସଂଘ ମଧ୍ୟ ନିଜର ସମର୍ଥନ ଘୋଷଣା କରିଛନ୍ତି ।

Advertisment

ସୂଚନା ଅନୁସାରେ, ରାଜ୍ୟ ସରକାର ଏକ ପ୍ରେସ୍ ରିଲିଜ୍ ଜାରି କରି ପ୍ରାଥମିକ ସ୍କୁଲରେ ପାଠପଢ଼ା ବନ୍ଦ ହୋଇନାହିଁ ଓ ଶିକ୍ଷକମାନେ ସେମାନଙ୍କର ଦାୟିତ୍ୱ ତୁଲାଉଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏବେ ଚାଲିଥିବା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନରେ ରାଜ୍ୟର ୩ଟି ଶିକ୍ଷକ ସଂଘ ସାମିଲ ହୋଇନାହାନ୍ତି । ଲେଫ୍ଟଆଉଟ ଗଣଶିକ୍ଷକ, ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡ଼ର) ମହାସଂଘ ଓ ନିଖିଳ ଓଡ଼ିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ପକ୍ଷରୁ ଏହି ଆନ୍ଦୋଳନକୁ ସମର୍ଥନ କରାଯାଉନି । ଏସବୁ ସଂଘର ସଦସ୍ୟମାନେ (ଶିକ୍ଷକମାନେ) ସମୂହ ଛୁଟିରେ ନଯାଇ ସ୍କୁଲରେ ନିଜର ଦାୟିତ୍ୱ ତୁଲାଉଛନ୍ତି । ଲେଫ୍ଟଆଉଟ୍ ଗଣଶିକ୍ଷକ ସଂଘ ସଭାପତି ରାଜକିଶୋର ତ୍ରିପାଠୀ, ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର) ମହାସଂଘ ସାଧାରଣ ସମ୍ପାଦକ ପ୍ରଶାନ୍ତ ଖମାରୀ ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ସଚିବଙ୍କୁ ଚିଠି ଲେଖି ଚାଲିଥିବା ଆନ୍ଦୋଳନରେ ସେମାନେ ସାମିଲ ନଥିବା ଜଣାଇଛନ୍ତି । ସେହିପରି ନିଖିଳ ଓଡ଼ିଶା ପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ ମଧ୍ୟ ଧାରଣାରେ ସାମିଲ ହୋଇନଥିବା ନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଅବଗତ କରିଛି ।

ତେବେ ୩ ଦଫା ଦାବି ନେଇ ଅଲଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ବ୍ୟାନରରେ ରାଜ୍ୟର ପ୍ରାୟ ଦେଢ଼ଲକ୍ଷ ପ୍ରାଥମିକ ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀ ଅଷ୍ଟମ ଦିନ ପାଇଁ କାର୍ଯ୍ୟବନ୍ଦ କରି ରାଜ୍ୟବ୍ୟାପୀ ଧାରଣାରେ ବସିଥିବାବେଳେ ଉପରୋକ୍ତ ୩ଟି ଶିକ୍ଷକ ସଂଘ ନିଜଆଡ଼ୁ ସରକାରଙ୍କୁ କାହିଁକି ଚିଠି ଲେଖିଲେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ୩ଟି ଶିକ୍ଷକ ସଂଘକୁ ଚିଠି ଲେଖିବା ପାଇଁ ରାଜ୍ୟ ସରକାର ପ୍ରବର୍ତ୍ତାଇଛନ୍ତି ନା ସେମାନେ ବାସ୍ତବରେ ନିଜର ସହଯୋଗୀ(ଶିକ୍ଷକମାନେ)ମାନଙ୍କ ଦାବିକୁ ଅଯୁକ୍ତିକର ବୋଲି ଭାବି ସମର୍ଥନ ଦେଉନାହାନ୍ତି ତାହା ଜଣାପଡ଼ିନି । ପ୍ରାୟ ଦେଢ଼ଲକ୍ଷ ପ୍ରାଥମିକ ସ୍କୁଲ ଶିକ୍ଷକ ନିଜର ହକ୍ ପାଇଁ ଆନ୍ଦୋଳନ ଜାରି ରଖିଥିବାବେଳେ ଉକ୍ତ ୩ଟି ଶିକ୍ଷକ ସଂଘ ସେମାନଙ୍କର ସହଯୋଗୀମାନଙ୍କୁ ବିରୋଧ କରିବା ପରି ଆଚରଣ ପ୍ରଦର୍ଶନ କରିବା ପଛରେ ରାଜ୍ୟ ସରକାରଙ୍କ ସନ୍ଦେହଜନକ ଭୂମିକାକୁ ନେଇ ଚର୍ଚ୍ଚା ହେଉଛି ।

Advertisment

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ଗତ ୩ଦିନ ତଳେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଧାରଣାରତ ଶିକ୍ଷକମାନଙ୍କୁ ଆନ୍ଦୋଳନରୁ ଓହରି ଯିବା ନିମନ୍ତେ ନାଲି ଆଖି ଦେଖାଇବାକୁ ପଛାଇ ନଥିଲେ । ଧାରଣାରେ ବସିଥିବା ଶିକ୍ଷକମାନେ ଅନୁମତି ନନେଇ ଆନ୍ଦୋଳନ କରୁଥିବା ସରକାରଙ୍କ ନଜରକୁ ଆସିଛି । ଏହା ଚାକିରି ସର୍ତ୍ତାବଳୀର ଉଲ୍ଲଘଂନ କରୁଛି । ଗୋଟିଏ ଶିକ୍ଷାବର୍ଷରେ ୨୨୦ଦିନ କାର୍ଯ୍ୟଦିବସ ରହିଛି । ଯଦି କେହି ଅନୁପସ୍ଥିତ ରୁହନ୍ତି ତା’ହେଲେ ପରବର୍ତ୍ତୀ ସମୟରେ ତା’ର ପରିଣାମ ସେମାନଙ୍କୁ ଭୋଗିବାକୁ ପଡ଼ିବ ବୋଲି ଏଲିମେଂଟାରୀ ନିର୍ଦ୍ଦେଶକ ଚିଠି ଲେଖି ଶିକ୍ଷକମାନଙ୍କ ଉପରେ ଚାପ ପକାଇବାକୁ ପ୍ରୟାସ କରିଥିଲେ । ମାତ୍ର ଶିକ୍ଷକମାନେ ନିଜ ଜିଦରେ ଅଟଳ ରହି ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବେ ବୋଲି ରୋକଠୋକ୍ ଜଣାଇବା ପରେ ଆଜି ସରକାର ନୂଆ ଫନ୍ଦି ବାହାର କରିଛନ୍ତି । ଆଉ ୩ଟି ଶିକ୍ଷକ ସଂଘକୁ ଆଗକୁ ଆଣି ସେମାନଙ୍କ ମାଧ୍ୟମରେ ରାଜ୍ୟରେ ପ୍ରାଥମିକ ସ୍କୁଲ ଶିକ୍ଷାଦାନ ପ୍ରକ୍ରିୟା ଜାରି ରହିଛି ଏବଂ ଆନ୍ଦୋଳନରତ ଶିକ୍ଷକମାନଙ୍କୁ ଏସବୁ ଶିକ୍ଷକ ସଂଘ ସମର୍ଥନ କରୁନାହାନ୍ତି ବୋଲି ସନ୍ଦେଶ ଦେଇ ଆନ୍ଦୋଳନକୁ ଭଣ୍ଡୁର ଉଦ୍ୟମ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ରାଜ୍ୟର ପ୍ରାଥମିକ ସ୍କୁଲ ଶିକ୍ଷକଶିକ୍ଷୟିତ୍ରୀମାନେ ଗ୍ରେଡ୍ ପେ ବୃଦ୍ଧି, ପ୍ରାଥମିକ ଶିକ୍ଷାରେ ଠିକା ଶିକ୍ଷକ ନିଯୁକ୍ତି ଉଚ୍ଛେଦ ଓ ୨୦୧୭ରୁ ପୁରୁଣା ପେନସନ ଲାଗୁ କରିବା ଦାବିରେ ସେପ୍ଟେମ୍ବର ୮ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।

Odisha Teacher
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe