ଶିକ୍ଷା ବିଭାଗର ମାଟ୍ରିକ ଟିପ୍ସ: ଦିନକୁ ୧୦ରୁ ୧୪ ଘଣ୍ଟା ପଢ଼, ୬ରୁ ୭ ଘଣ୍ଟା ଶୁଅ

ଦୈନିକ କିପରି ପ୍ରସ୍ତୁତ ହେଲେ ପିଲାମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ପାରିବେ ସେଥିନିମନ୍ତେ ରୋଡମ୍ୟାପ ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ ।

Representational Image

  • Published: Tuesday, 31 October 2023
  • , Updated: 31 October 2023, 12:00 PM IST

ଆଗକୁ ମାଟ୍ରିକ ପରୀକ୍ଷା। ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଦୈନିକ କିପରି ପ୍ରସ୍ତୁତ ହେଲେ ପିଲାମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ପାରିବେ ସେଥିନିମନ୍ତେ ରୋଡମ୍ୟାପ ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଏହି ଟିପ୍ସ ଦ୍ୱାରା ପିଲାମାନେ ନିଜକୁ ଫିଟ୍‌ ରଖିବା ସହ ମନ ଦେଇ ପଢ଼ି ପାରିବେ ବୋଲି କୁହାଯାଇଛି।

ମାଟ୍ରିକ ପରୀକ୍ଷା ପାଇଁ ଯେଭଳି ସହଜରେ ପ୍ରସ୍ତୁତି ହେବେ ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଗଣଶିକ୍ଷା ବିଭାଗର ଟିପ୍ସ । ଦଶମ ଶ୍ରେଣୀ ପରକ୍ଷାର୍ଥୀ କିଭଳି ପ୍ରସ୍ତୁତି ହେବେ ଏବଂ ପାଠ ପଢିବେ ସେ ନେଇ ଏକ ନିୟମାବଳୀ ଜାରି କରିଛି ଗଣଶିକ୍ଷା ବିଭାଗ ।

ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ଏଥିସହ ଆସନ୍ତା ୪ ତାରିଖରେ ସବୁ ହାଇସ୍କୁଲରେ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକମାନେ ଆଲୋଚନା କରିବେ ।

ଗଣଶିକ୍ଷା ବିଭାଗର ଟିପ୍ସ ଅନୁସାରେ, ପରୀକ୍ଷାର୍ଥୀ ଦୈନିକ ୧୦ ଘଣ୍ଟାରୁ ୧୪ ଘଣ୍ଟା ପଢନ୍ତୁ । ୬ରୁ ୭ ଘଣ୍ଟା ଶୁଅନ୍ତୁ । ଆଉ ବାକି ସମୟରେ ଅନ୍ୟ କାର୍ଯ୍ୟକ୍ରମ କରନ୍ତୁ । ଶୋଇବା ସମୟ ହେଉଛି ରାତି ୧୦ଟାରୁ ସକାଳ ୪ଟା କିମ୍ବା ରାତି ୧୧ଟାରୁ ସକାଳ ୫ଟା ମଧ୍ୟରେ ।

ସକାଳୁ ଉଠିବା ପରେ ନିତ୍ୟକର୍ମ ସାରି ବ୍ୟାୟାମ ଓ ଯୋଗ କରନ୍ତୁ । ଏହାଦ୍ୱାରା ଦିନସାରା ଫୂର୍ତ୍ତି ରହିବେ ତଥା ଏକାଗ୍ରତା ବଢାଇବାରେ ସାହାଯ୍ୟ କରିବ । ବାହାର ତେଲଯୁକ୍ତ ଖାଦ୍ୟ ଖାଇବାକୁ ମନା କରାଯାଇଛି । ଏହା ଖାଇଲେ ଶରୀର ଭାରି ଭାରି ଲାଗି ନିଦ ଲାଗିବ । ସର୍ବଦା ସନ୍ତୁଳିତ ଓ ସୁଷମ ଖାଦ୍ୟ ଖାଇବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।

ପ୍ରତି ଅଧିବେଶନ ଆରମ୍ଭରେ ପୂର୍ବ ପାଠର ରିଭିଜନ କରନ୍ତୁ । ଶୋଇବା ପୂର୍ବରୁ ଗରମ କ୍ଷୀର କିମ୍ବା ଉଷୁମ ଲେମ୍ବୁପାଣି ପିଅନ୍ତୁ । ଦିନକୁ ୬ରୁ ୮ ଗ୍ଲାସ ଉଷୁମ ପାଣି ପିଇବାକୁ କୁହାଯାଇଛି । ବିଷୟର ଗୁରୁତ୍ବ ଦେଖି ପ୍ରତ୍ୟେକ ବିଷୟ ପାଇଁ ଦେଢ ଘଣ୍ଟାରୁ ୨ ଘଣ୍ଟା ସମୟ ରଖିବାକୁ ଟିପ୍ସରେ ଉଲ୍ଲେଖ କରାଯାଇଛି ।

Related story