Advertisment

ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି; କେମିତି ପାଠ ପଢ଼ିବେ ଛାତ୍ରଛାତ୍ରୀ?

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସବୁ ବିଭାଗରେ ପ୍ରଫେସର ଅଭାବ ରହିଛି। ରସାୟନ ବିଜ୍ଞାନ ବିଭାଗରେ ଯେଉଁଠି ୬ ଜଣ ଷ୍ଟାଫ୍‌ ରହିଥିବା କଥା, ସେଠି ବର୍ଷ ବର୍ଷ ଧରି ମାତ୍ର ୩ ଜଣ ସହକାରୀ ପ୍ରଫେସରରେ ଚାଲିଛି ବିଭାଗ।

author-image
Manoranjan Sial
Utkal University

Utkal University

ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି। ଉତ୍କଳରୁ ଆରମ୍ଭ କରି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଯାଏଁ ସବୁଠି ସ୍ଥିତି ସଂଗୀନ ସ୍ଥିତି। ଆସିଷ୍ଟାଣ୍ଟ ପ୍ରଫେସର ଓ ଚୁକ୍ତିଭତ୍ତିକ ଷ୍ଟାଫଙ୍କ ଭରସାରେ ଚାଲିଛି ପାଠପଢ଼ା। ରାଜ୍ୟରେ ଉଚ୍ଚଶିକ୍ଷାର ବିକଳ ଚିତ୍ରର ଗୁମର ଖୋଲିଛି RTI ତଥ୍ୟ।

Advertisment

ତଥ୍ୟ କହୁଛି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସବୁ ବିଭାଗରେ ପ୍ରଫେସର ଅଭାବ ରହିଛି। ରସାୟନ ବିଜ୍ଞାନ ବିଭାଗରେ ଯେଉଁଠି ୬ ଜଣ ଷ୍ଟାଫ୍‌ ରହିଥିବା କଥା, ସେଠି ବର୍ଷ ବର୍ଷ ଧରି ମାତ୍ର ୩ ଜଣ ସହକାରୀ ପ୍ରଫେସରରେ ଚାଲିଛି ବିଭାଗ। କମ୍ପ୍ୟୁଟର ସାଇନ୍ସରେ ଆବଶ୍ୟକ ଶିକ୍ଷକ ସଂଖ୍ୟା ୯। ହେଲେ ଅଛନ୍ତି ମାତ୍ର ୪ ଜଣ ସହକାରୀ ପ୍ରଫେସର। ଏଭଳି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୨୪ଟି ପ୍ରଫେସର ପୋଷ୍ଟ ରହିଥିବା ବେଳେ ସେଥିରୁ ୧୪ ପୋଷ୍ଟ ଖାଲି ପଡିଛି। ସେହିଭଳି ମୋଟ ୧୯୬ ଟିଚିଂ ପୋଷ୍ଟ ମଧ୍ୟରୁ ୮୬ ପୋଷ୍ଟ ବର୍ଷ ବର୍ଷ ଧରି ପୂରଣ ହୋଇପାରୁ ନାହିଁ।

ରାଜ୍ୟର ସର୍ବ ପୂରାତନ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ୨୫୭ ଜଣ ଟିଚିଂ ଷ୍ଟାଫ୍‌ ଆବଶ୍ୟକ ଥିବା ବେଳେ ପାଖାପାଖି ୫୦ ପ୍ରତିଶତ ପଦବି ଖାଲି ପଡିଛି। ବର୍ଷବର୍ଷ ଧରି ଖାଲି ରହିଥିବା ୧୨୯ଟି ପଦବି ପୂରଣ ହୋଇପାରୁନି। ସେହିଭଳି ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀର ଚିତ୍ର ଆହୁରି ସଂଗୀନ ସ୍ଥିତି। ଏଠାରେ ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ମିଶି ୧୩୮ଟି ପଦବି ରହିଥିବା ବେଳେ ସେଥିରୁ ୭୯ ପୋଷ୍ଟ ଖାଲି।

Advertisment

ସେହିଭଳି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଟିଚିଂଷ୍ଟାଫ ସଂଖ୍ୟା ୨୫୭ ରହିଥିବା ବେଳେ ସଂପୂର୍ଣ୍ଣ ପାଠପଢା ଭାର ଠିକା ଅଧ୍ୟାପକଙ୍କ କାନ୍ଧରେ ରହିଛି। କାରଣ ବାରମ୍ବାର ରାଜ୍ୟ ସରକାରଙ୍କୁ କହିବା ପରେ ମଧ୍ୟ ୧୨୦ ଅଧ୍ୟାପକ ପଦବି ପୂରଣ ହୋଇପାରୁ ନାହିଁ। ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୧୧୭ ଅଧ୍ୟାପକ ପଦବି ମଧ୍ୟରୁ ୪୩ ପଦବି ଖାଲି ପଡ଼ିଥିବା ବେଳେ ବାରିପଦାର ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ମୋଟ୍‌ ୧୧୫ ପଦବିରୁ ୭୬ ପଦବି ଖାଲି ରହିଛି।

କେବଳ ବିଶ୍ୱବିଦ୍ୟାଳୟ କୁଳପତି ନୁହନ୍ତି ଅଧ୍ୟାପକ ଅଭାବକୁ ନେଇ ମୁହଁ ଖୋଳିଛନ୍ତି ଛାତ୍ରଛାତ୍ରୀ। ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକଙ୍କ କହିବା ଅନୁସାରେ ଖାଲିଥିବା ଅଧ୍ୟାପକ ପଦବି ପୂରଣ କରିବା ପାଇଁ ପ୍ରକ୍ରିୟା ଚାଲିଛି।

Utkal University