ଘରୋଇ ଓ ଅଣଅନୁଦାନପ୍ରାପ୍ତ ଓଡ଼ିଆ ସ୍କୁଲର ୫ଲକ୍ଷ ପିଲାଙ୍କୁ ମାଗଣା ୟୁନିଫର୍ମ ଓ ମଧ୍ୟାହ୍ନ ଭୋଜନ ମିଳିବ କେବେ

୫ରୁ ୧୪ବର୍ଷ ବୟସର ପିଲାଙ୍କୁ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେଉଛି ।

Representational Image

  • Published: Thursday, 10 August 2023
  • , Updated: 10 August 2023, 08:30 PM IST

ରାଜ୍ୟର ଘରୋଇ ଓ ଅଣ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୨୦୨୪-୨୫ ଶିକ୍ଷାବର୍ଷରୁ ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ୩୬୨୦ଟି ଘରୋଇ ଓ ଅଣଅନୁଦାନପ୍ରାପ୍ତ ସ୍କୁଲର ଛାତ୍ରଛାତ୍ରୀ ଉପକୃତ ହେବେ ଓ ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୯.୪୩କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ୨୦୧୧ ମସିହାରୁ ରାଜ୍ୟର ପ୍ରାୟ ୫୪ହଜାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମାଗଣା ୟୁନିଫର୍ମ ଓ ମଧ୍ୟାହ୍ନଭୋଜନ ଯୋଗାଇ ଦେଉଥିବା ରାଜ୍ୟ ସରକାର କାହିଁକି ଏହି ଘରୋଇ ଅଣଅନୁଦାନପ୍ରାପ୍ତ ଓଡ଼ିଆ ସ୍କୁଲଗୁଡ଼ିକ ପ୍ରତି ବିମୁଖ ରହିଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ସୂଚନା ଅନୁସାରେ, ୫ରୁ ୧୪ବର୍ଷ ବୟସର ପିଲାଙ୍କୁ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟରେ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେଉଛି । ୨୦୧୧ ଜାନୁୟାରୀରେ ରାଜ୍ୟ ସରକାର ଏହି ଆଇନର ରୁଲସରେ ସଂଶୋଧନ କରି ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କୁ ମାଗଣା ପାଠ୍ୟପୁସ୍ତକ,ଖାତା ଓ ୟୁନିଫର୍ମ ଯୋଗାଇ ଦେବା ନେଇ ଗେଜେଟ୍ ବିଜ୍ଞପ୍ତି ଜାରି କରିଥିଲେ । ୨୦୧୩ ମସିହାରୁ ରାଜ୍ୟର ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପିଲାମାନଙ୍କୁ ସରକାର ଏହି ମାଗଣା ପାଠ୍ୟପୁସ୍ତକ ଓ ୟୁନିଫର୍ମ ଯୋଗାଇ ଦେଇ ଆସୁଛନ୍ତି । କେବଳ ସେତିକି ନୁହେଁ ଏସବୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଯୋଜନାରେ ପିଲାମାନଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି । କିନ୍ତୁ ରାଜ୍ୟରେ ଓଡ଼ିଆ ମାଧ୍ୟମରେ ଶିକ୍ଷାର ପ୍ରଚାରପ୍ରସାର କରୁଥିବା ଘରୋଇ ଓ ଅଣଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରତି ଆଖିବୁଜି ଦେଇଛନ୍ତି । ସେମାନଙ୍କୁ ମାଗଣା ପାଠ୍ୟକ୍ରମ,ୟୁନିଫର୍ମ ଓ ମଧ୍ୟାହ୍ନଭୋଜନରୁ ରାଜ୍ୟ ସରକାର ବଂଚିତ କରି ରଖିଛନ୍ତି । ଏହି ଓଡ଼ିଆ ମାଧ୍ୟମ ସ୍କୁଲଗୁଡ଼ିକରେ ପଢ଼ୁଥିବା ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀମାନଙ୍କର କ’ଣ ଦୋଷ ଯେ, ସରକାର ସେମାନଙ୍କୁ ଏସବୁ ସୁବିଧାରୁ ଦୀର୍ଘବର୍ଷ ଧରି ବଂଚିତ କରିଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାଜ୍ୟ ସରକାର ଏବେ ଯେଭଳି ଫାଇଭ-ଟି ଉପକ୍ରମରେ ରାଜ୍ୟର ୩୬୨୦ଟି ଘରୋଇ ଓ ଅଣଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ସ୍କୁଲଗୁଡ଼ିକରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ବଂଟନ କରିବାକୁ ନିଷ୍ପତ୍ତି ନେଲେ, ଅନୁରୂପ ନିଷ୍ପତ୍ତି ସେମାନଙ୍କୁ ମାଗଣା ୟୁନିଫର୍ମ ପ୍ରଦାନ ଓ ମଧ୍ୟାହ୍ନଭୋଜନ ଯୋଗାଇ ଦେବାରେ କାହିଁକି ନେଉନାହାନ୍ତି । ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ ହେଉଥିବା ଏସବୁ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କର ଦୋଷ କ’ଣ? ସେମାନଙ୍କୁ କାହିଁକି ସରକାର ବିଭିନ୍ନ ମାଗଣା ଯୋଜନାରୁ ବଂଚିତ କରିଛନ୍ତି? ଏସବୁ ଘରୋଇ ଓ ଅଣଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ସ୍କୁଲଗୁଡ଼ିକରେ କ’ଣ ଗରିବ ଛାତ୍ରଛାତ୍ରୀ ପଢ଼ୁନାହାନ୍ତି କି? ସରକାରୀ ସ୍କୁଲଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଯେଭଳି ବ୍ୟବସ୍ଥା ରହିଛି ଅନୁରୂପ ବ୍ୟବସ୍ଥା  ସରକାର କରିବା ପରିବର୍ତ୍ତେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବାହାବା ନେବାକୁ କେବଳ ମାଗଣା ପାଠ୍ୟପୁସ୍ତକ ଓଡ଼ିଆ ମାଧ୍ୟମର ଘରୋଇ ସ୍କୁଲ ଓ ଅଣଅନୁଦାନପ୍ରାପ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଦେବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ସମସ୍ତ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇବା ସହ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ଗୁଜୁରାଟ ଆଦି ରାଜ୍ୟରେ ଥିବା ଓଡ଼ିଆ ପିଲାମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଆସୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Related story