ଦୁଇ ଫାଳ ହୋଇଥିଲା କଂଗ୍ରେସ  

ନୂଆଦିଲ୍ଲୀ: ଏପ୍ରିଲ୍‌ ୧୯୬୭ରେ ହୋଇଥିଲା ସ୍ୱାଧୀନ ଭାରତର ୪ର୍ଥ ଲୋକସଭା ନିର୍ବାଚନ। ଏହା ପୂର୍ବରୁ କଂଗ୍ରେସ ଲଗାତାର ୭୩ ପ୍ରତିଶତ ଭୋଟ୍‌ରେ ଜିତୁଥିବା ବେଳେ ୧୯୬୭ରେ  ସ୍ଥିତି ଓଲଟି ଯାଇଥିଲା। ୪ର୍ଥ ଲୋକସଭା ନିର୍ବାଚନ ପରେ କଂଗ୍ରେସର ହାତ ଶିଥିଳ ପଡ଼ିଗଲା। ସଂସଦର ନିମ୍ନ ସଦନରେ ପ୍ରାୟ ୬୦ଟି ଆସନ ହାତଛଡା କଲା କଂଗ୍ରେସ। ଅନେକ ବିଧାନସଭା ନିର୍ବାଚନରେ ମଧ୍ୟ ଦଳର ଫଳାଫଳ ନୈରାଶ୍ୟଜନକ  କଲା।

ବିହାର କେରଳ, ଓଡିଶା, ଚେନ୍ନାଇ, ପଞ୍ଜାବ ଭଳି ରାଜ୍ୟରେ ଅଣ କଂଗ୍ରେସ ସରକାର ଗଠନ ହେବାକୁ ଲାଗିଲା। ଏତେସବୁ ଅସୁବିଧା ସତ୍ତ୍ୱେ ଇନ୍ଦିରା ଗାନ୍ଧି ରାଏ ବରେଲି ନିର୍ବାଚନ ମଣ୍ଡଳୀରୁ ଜିତନ୍ତି। ୧୯୬୭ ମାର୍ଚ୍ଚ ୧୩ରେ ପ୍ରଧାମନ୍ତ୍ରୀ ଭାବେ ଶପଥ ନିଅନ୍ତି ଇନ୍ଦିରା ଗାନ୍ଧି। ବିରୋଧାଭାଷ ସତ୍ତ୍ୱେ ମୋରାରଜୀ ଦେଶାଈଙ୍କୁ ସେ ଉପ ପ୍ରଧାନମନ୍ତ୍ରୀ ତଥା ବିତ୍ତମନ୍ତ୍ରୀ ଭାବେ ନିଜ ମନ୍ତ୍ରୀ ମଣ୍ଡଳରେ ନିଯୁକ୍ତି ଦିଅନ୍ତି।

ହେଲେ ସମ୍ପର୍କରେ ଫାଟ ଜଳଜଳ ଦିଶେ। ପ୍ରଥମରୁ ଇନ୍ଦିରାଙ୍କ ପ୍ରଧାନମନ୍ତ୍ରୀତ୍ୱକୁ ବିରୋଧ କରୁଥିବା ମୋରାରଜୀଙ୍କୁ ୧୨ ନଭେମ୍ବର ୧୯୬୯ରେ ଦଳରୁ ବହିଷ୍କାର କରି ଦିଆଯାଏ। ଫଳରେ ୨ ଭାଗରେ ବିଭକ୍ତ ହୁଏ କଂଗ୍ରେସ। ଗୋଟିଏ କଂଗ୍ରେସ ଓ (ଓ ଫର୍ ଅର୍ଗାନାଇଜେସନ) ଯାହାର ନେତୃତ୍ୱ ନିଅନ୍ତି ମୋରାରଜୀ ଦେଶାଈ। ଅନ୍ୟଟି କଂଗ୍ରେସ ଆଇ ( ଆଇ ଫର୍ ଇନ୍ଦିରା) ଯାହାର ନେତୃତ୍ୱ ନିଅନ୍ତି ଇନ୍ଦିରା। ତଥାପି ଲୋକସଭାରେ ଓ ସରକାର ଚଳାଇବା ପାଇଁ ଇନ୍ଦିରା ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ସହାୟତା ନିଅନ୍ତି। ସରକାର ଚାଲେ। ୧୯୭୦ ପର୍ଯ୍ୟନ୍ତ ଏକ ସଂଖ୍ୟାଲଘୁ ସରକାର ଭାବେ ଇନ୍ଦିରା ଚଳାଇ ନିଅନ୍ତି ଦେଶ। ତଥାପି ନେତୃତ୍ୱ ଦୋହଲୁଥିବାରୁ ଧାର୍ଯ୍ୟ ସମୟ ପୂର୍ବରୁ ଅର୍ଥାତ ଗୋଟିଏ ବର୍ଷ ପୂର୍ବରୁ ୫ମ ଲୋକସଭା ନିର୍ବାଚନ ଲାଗି ଘୋଷଣା କରି ଦିଆଯାଏ।