ବିବାହ କରିବେ ବରୁଣ, ଆରମ୍ଭ ହେଲା ପ୍ରସ୍ତୁତି

ମୁମ୍ବାଇ: ବାଜିବ ବଲିଉଡ ଅଭିନେତା ବରୁଣ ଧୱନଙ୍କ ଶାହାନାଇ। ହାତକୁ ଦି ହାତ ହେବେ ଚକୋଲେଟ୍ ହିରୋ। ଖୁବଶୀଘ୍ର ନିଜ ପିଲା ଦିନର ସାଥୀ ନତାଶାଙ୍କୁ କରିବେ ଜୀବନ ସାଥୀ। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଅଭିନେତା ବରୁଣ ଧୱନ ତାଙ୍କ ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ବିବାହ ତାରିଖ ଘୋଷଣା ହୋଇନଥିବା ବେଳେ ଚଳିତ ମାସରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଚର୍ଚ୍ଚା ହେଉଛି।

ମିଡିଆ ରିପୋର୍ଟ ମୁତାବକ, କରୋନା ଯୋଗୁଁ ବରୁଣ-ନତାଶାଙ୍କ ବିବାହ ଅଟକି ଯାଇଥିଲା। ସ୍ଥିତି ସ୍ୱାଭାବିକ ହେବା ପରେ ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ସ୍ଥିର କରିଛନ୍ତି। ଦୀର୍ଘଦିନ ହେବ ବରୁଣ ନତାଶାଙ୍କ ସହ ଲିଭ-ଇନ୍ ରିଲେସନସିପରେ ଥିଲେ। ଉଭୟଙ୍କ ଘର ଲୋକେ ବିବାହ ପାଇଁ ଚାପ ପକାଉଥିବା ନିକଟରେ ବରୁଣ ଏକ ସାକ୍ଷାତକାରରେ କହିଥିଲେ।

ବରୁଣ-ନତାଶାଙ୍କ ବିବାହ ପାଇଁ ୱେଡିଂ ପ୍ଲେସ ଫାଇନାଲ୍ ହୋଇସାରିଛି। ଉଭୟ ଅଲିବାଗରେ ବିବାହ କରିବେ। ନିକଟରେ ଅଭିନେତା ଜଣକ ଫାଇଭ ଷ୍ଟାର ହୋଟେଲ ବୁକ୍ କରିବା ପାଇଁ ଅଲିବାଗରେ ପହଞ୍ଚିଥିଲେ। ବରୁଣଙ୍କ ବିବାହ ଏକ ଗ୍ରାଣ୍ଡ ପଞ୍ଜାବୀ ୱେଡିଂ ହେବ। ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ତାଙ୍କ ବିବାହରେ କେବଳ ତାଙ୍କ ପରିବାର ସଦସ୍ୟ ଏବଂ କିଛି ବିଶେଷ ବନ୍ଧୁବାନ୍ଧବ ହିଁ ଯୋଗଦେଇପାରନ୍ତି। ବିବାହ ନିମନ୍ତ୍ରଣ ପାଇଁ ୨ଶହ ଲୋକଙ୍କ ତାଲିକା ମଧ୍ୟ ତିଆରି ହୋଇସାରିଲାଣି।  ବରୁଣ ଓ ନତାଶା ପିଲାଦିନର ବନ୍ଧୁ। ସ୍କୁଲ ବେଳେ ଉଭୟ ପ୍ରେମରେ ପଡିଥିଲେ। ବି-ଟାଉନର ଅନେକ ଉତ୍ସବରେ ବରୁଣ ଏବଂ ନତାଶାଙ୍କୁ ଏକାଠି ଦେଖିବାକୁ ମଧ୍ୟ ମିଳେ ।

ନିକଟରେ ବରୁଣ ଧୱନଙ୍କ ଫିଲ୍ମ ‘କୁଲି ନମ୍ବର-୧’ ରିଲିଜ ହୋଇସାରିଛି। ଏଥିରେ ତାଙ୍କ ଅପୋଜିଟରେ ସାରା ଅଲ୍ଲି ଖାନ ଅଛନ୍ତି । ଏହି ଫିଲ୍ମଟି ଓଟିଟି ପ୍ଲାଟ ଫର୍ମରେ ରିଲିଜ ହୋଇଥିଲେ ସୁଦ୍ଧା ପ୍ରଶଂସକଙ୍କ ଭଲ ରେସପନ୍ସ ମିଳିପାରି ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।