/odisha-reporter/media/post_attachments/uploadimage/library/16_9/16_9_0/IMAGE_1706868097.jpg)
Daitari Panda
ଯାତ୍ରା ଦୁନିଆର ଦୁର୍ଦ୍ଦାନ୍ତ ଖଳନାୟକ ହେଉଛନ୍ତି ଦୈତାରୀ ପଣ୍ଡା। ତାଙ୍କୁ ଏ ପରିଚୟ ଦେଇଛନ୍ତି କିଏ? କାହା ପାଇଁ ସେ ଆଜି ଘରେ ଘରେ ପରିଚିତ? ଏ ସବୁର ଉତ୍ତର ହେଉଛି ଏହି ରାଜ୍ୟର ଜନତା ଓ ଯାତ୍ରା ପ୍ରେମୀ। ଏମାନେ ଦୈତାରୀ ପଣ୍ଡାଙ୍କୁ ଦେଇଛନ୍ତି ସ୍ୱତନ୍ତ୍ର ପରିଚୟ। ଖାଲି ପରିଚୟ ନୁହଁ, ମୁଣ୍ଡରେ ମଧ୍ୟ ବସାଇଛନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ ଏ ରାଜ୍ୟ କାହାର ବୋଲି ଭୁଲିଗଲେ ଦୈତାରୀ ପଣ୍ଡା?
ଦୈତାରୀ ପଣ୍ଡା ଭାବିଥିଲେ ଏହି ରାଜ୍ୟର ମାଲିକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ ସେ ଜାଣିନାହାନ୍ତି ୫ ବର୍ଷରେ ଥରେ ଜନତାଙ୍କ ଦରବାରେ ମୁଖ୍ୟମନ୍ତ୍ରୀ ପରୀକ୍ଷା ଦିଅନ୍ତି। ଆଉ ତା’ପରେ ତାଙ୍କର ଭାଗ୍ୟ ନିର୍ଦ୍ଧାରଣ କରନ୍ତି ଆମ ପରି ସାଧାରଣ ଜନତା। ତାହାହେଲେ ସେ ଏ ରାଜ୍ୟର ମାଲିକ ହେଲେ କେମିତି? ସେ ହେଉଛନ୍ତି ଶାସନତନ୍ତ୍ର ବା ଜନତନ୍ତ୍ରର ଜଣେ ସାଧାରଣ ସେବକ। ପ୍ରକୃତରେ ଏ ରାଜ୍ୟର ମାଲିକ ହେଉଛନ୍ତି କୋଟି ଓଡ଼ିଆର ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥ। ତାଙ୍କ ନାଁରେ ସମଗ୍ର ଓଡ଼ିଆ ଜାତି ପରିଚାଳିତ ହେଉଛି। ହେଲେ ଦୁର୍ଭାଗ୍ୟର ବିଷୟ ମହାପ୍ରଭୁଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁଳନା କରିଛନ୍ତି ଦୈତାରୀ ପଣ୍ଡା। ସେ କହିଛନ୍ତି, ନବୀନ ବାବୁ ଜଗନ୍ନାଥ। ଓଡ଼ିଶାର ଜଗନ୍ନାଥ ହେଉଛନ୍ତି ନବୀନ ପଟ୍ଟନାୟକ।
ବିଜେଡିରେ ମିଶିବା ପରେ ବଡ଼ବଡ଼ିଆ ନେତାଙ୍କୁ ତେଲ ମାରିବା ପାଇଁ ଦୈତାରୀ ପଣ୍ଡା ଉତ୍ସାହିତ ହୋଇ ଏପରି କହି ପକାଇଥିଲେ। ଭାବିଥିଲେ ଓଡ଼ିଶାର ଜନତା ତାଙ୍କୁ ମୁଣ୍ଡରେ ବସାଇଛନ୍ତି ବୋଲି କିଛି କହିବେନି। ହେଲେ ଭାଗ୍ୟ ଖରାପ। ଯେଉଁ ଜନତା ତାଙ୍କୁ ମୁଣ୍ଡରେ ବସାଇଥିଲେ, ଗତ ୩ ଦିନ ହେଲା ସେମାନେ ତାଙ୍କୁ ମନଇଚ୍ଛା ଗାଳି କରୁଛନ୍ତି। ତାଙ୍କର ଚରିତ୍ର ସଂହାର କରିବାକୁ ପଛାଉ ନାହାନ୍ତି। ତାଙ୍କ ନାଁରେ ଥିବା ଦୁଷ୍କର୍ମ ପରି ଅଭିଯୋଗ ସମ୍ପର୍କରେ ତାଙ୍କୁ ମନେ ପକାଇ ଦେଉଛନ୍ତି। ସବୁଠାରୁ ମଜାଦାର କଥା ହେଉଛି ନିଜ ଜାତିଭାଇ ତଥା ଯଲିଉଡ୍ର କିଛି କଳାକାର ମଧ୍ୟ ତାଙ୍କର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି। କେହି କେହି ଏକଥା ମଧ୍ୟ ପଚାରିଛନ୍ତି ଯେ ଦୈତାରୀ କେଉଁ ମନ୍ଦିରର ଦେବତା?
ସୋଶାଲ ମିଡିଆରେ ଚରିତ୍ର ସଂହାର ହେବା ପରେ ଆଉ ସମ୍ଭାଳି ପାରିଲେ ନାହିଁ ଦୈତାରୀ ପଣ୍ଡା। ଶେଷରେ ନିଜ ତରଫରୁ ଗୋଟିଏ ଭିଡିଓ କରି ସୋଶାଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ତାକୁ ଭିଡିଓ କୁହାଯିବ ନାହିଁ, ପୂରା ଯାତରା। ଭୁଲ ମାଗିବା ବଦଳରେ ଯାତ୍ରା ଡାଇଲଗ୍ ମାରିବା ପରି ବହେ କହି ପକାଇଛନ୍ତି।
ନିଜର ନିଆରା ଭିଡିଓ ବାର୍ତ୍ତାରେ ଦୈତାରୀ ପଣ୍ଡା କହିଛନ୍ତି, ଆପଣମାନେ ଜଗନ୍ନାଥଙ୍କୁ ଯେତିକି ଭଲ ପାଆନ୍ତି, ମୁଁ ସେତିକି କି କମ୍ କି ଅଧିକ ଭଲପାଏ, ସେ ବିଷୟରେ ବର୍ଣ୍ଣନା କରିପାରିବି ନାହିଁ। କେବଳ ଏତିକି କହିବି, ମୋର ସକାଳ ଆରମ୍ଭ ହୁଏ ଜଗନ୍ନାଥ ଅଷ୍ଟକମ୍ରୁ। ଶୟନେ ସପନେ ଜାଗରଣେ ସବୁବେଳେ ଜଗନ୍ନାଥଙ୍କୁ ଆଖି ଆଗରେ ରଖି ମଞ୍ଚ ଉପରକୁ ଯାଏ। ତେଣୁ ଆପଣମାନଙ୍କ ଆଶୀର୍ବାଦ ମୋ ଉପରେ ରହେ। ଏଠି ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ, ସୋଶାଲ ମିଡିଆରେ ପ୍ରଚାରିତ ହେଉଥିବା କଥା ଓ ମୁଁ କହିଥିବା କଥା ପାଖାପାଖି ସମାନ ନୁହେଁ। ତଥାପି ମୋ’ କହିଥିବା କଥା ଯଦି ଦୁଃଖ ଦେଇଥାଏ, ସେଥିପାଇଁ ମୁଁ ଦୁଃଖିତ, ମର୍ମାହତ। ବିଚାର ଆପଣମାନଙ୍କର ବୋଲି ଦୈତାରୀ ପଣ୍ଡା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
