Advertisment

ପ୍ରଯୋଜକ ଟୁଟୁ ନାୟକଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ୍ ଅଭିଯୋଗ

ଗଣମାଧ୍ୟମ ସମ୍ମୁଖରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ସିଧାସଳଖ  କଡ଼ା ସମାଲୋଚନା କରି ପ୍ରକୃତି କହିଛନ୍ତି ଯେ, ନବାଗତା ଝିଅମାନଙ୍କୁ ଫିଲ୍ମରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ତଥାକଥିତ ଫିଲ୍ମ ପ୍ରଯୋଜକ ଶ୍ରୀ ନାୟକ ସେମାନଙ୍କର ଶୋଷଣ କରିଛନ୍ତି ।

author-image
Ordigital Desk
ଅଦ୍ୟତନ ହୋଇଛି
Sanjay Nayak

Sanjay Nayak

ଓଲିଉଡରେ ପୁଣିଥରେ କାଷ୍ଟିଂ କାଉଚ୍ ଅଭିଯୋଗ ଆସିଛି । ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ବିରୁଦ୍ଧରେ ପ୍ରତିଷ୍ଠିତ ଅଭିନେତ୍ରୀ ପ୍ରକୃତି ମିଶ୍ର ଆଜି ସିଧାସଳଖ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିବା ସହ ଅନେକ ନବାଗତା ଝିଅଙ୍କୁ ସେ ଶୋଷଣ କରିଛନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ ଚାଂଚଲ୍ୟକର ବୟାନ ଦେଇଛନ୍ତି । ଫିଲ୍ମରେ କାମ ଦେବାର ପ୍ରଲୋଭନ ଦେଖାଇ ଅନେକ ନବାଗତ ଝିଅଙ୍କୁ ଟୁଟୁ ନାୟକ ଶୋଷଣ କରିଛନ୍ତି ତଥା ତାଙ୍କ ସହ ଜଡ଼ିତ ବହୁ ଅଭିନେତା ଓ ଲୋକ ମଧ୍ୟ ଏଥିରେ ସମ୍ପୃକ୍ତ ବୋଲି ପ୍ରକୃତି ଅଭିଯୋଗ କରିଛନ୍ତି ।

Advertisment

ଆଜି ଗଣମାଧ୍ୟମ ସମ୍ମୁଖରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ସିଧାସଳଖ  କଡ଼ା ସମାଲୋଚନା କରି ପ୍ରକୃତି କହିଛନ୍ତି ଯେ, ନବାଗତା ଝିଅମାନଙ୍କୁ ଫିଲ୍ମରେ ଅଭିନୟ କରିବାର ପ୍ରଲୋଭନ ଦେଖାଇ ତଥାକଥିତ ଫିଲ୍ମ ପ୍ରଯୋଜକ ଶ୍ରୀ ନାୟକ ସେମାନଙ୍କର ଶୋଷଣ କରିଛନ୍ତି । ଫିଲ୍ମରେ ଅଭିନୟ ଆଶାୟୀ ଅନେକ ଝିଅ ଖରାପ ବ୍ୟବହାରର ଶିକାର ହୋଇଛି । ପୀଡ଼ିତା ଝିଅମାନେ କିଭଳି ଟୁଟୁ ନାୟକଙ୍କ ଶୋଷଣର ଶିକାର ହୋଇଛନ୍ତି ଏନେଇ ତାଙ୍କୁ ମେସେଜ୍ ମଧ୍ୟ କରିଛନ୍ତି । ଟୁଟୁ ନାୟକ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଅଭ୍ୟାସଗତ ଶୋଷଣକାରୀ ଓ ସବୁବେଳେ ନୂଆ ଝିଅମାନଙ୍କୁ ଟାର୍ଗେଟ୍ କରିଥାନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚର ଶିକାର ସେ ନିଜେ ହୋଇନଥିଲେ ମଧ୍ୟ ଟୁଟୁ ନାୟକ କିଭଳି ନବାଗତ ଝିଅମାନଙ୍କୁ ଶୋଷଣ କରନ୍ତି ତାହା ସମସ୍ତେ ଜାଣିଛନ୍ତି ବୋଲି ପ୍ରକୃତି କହିଛନ୍ତି । ଏପରିକି ତାଙ୍କ ସହ ଅତୀତ ଏକ ଦୁଃଖଦ ଘଟଣାବେଳେ ଟୁଟୁ ନାୟକ ନିଜେ କହିଥିଲେ ଯେ, ଭଲ ପୁଅମାନଙ୍କୁ ଫସାଇବା ଝିଅମାନଙ୍କ କାମ ।

ଟୁଟୁ ନାୟକ କିପରି ବ୍ୟକ୍ତି ତାହା ତାଙ୍କର ଏଭଳି ଛୋଟ ଚିନ୍ତାଧାରାରୁ ଜଣାପଡ଼ି ଯାଉଛି । ଟୁଟୁ ନାୟକ ଓଡ଼ିଆ ଇଣ୍ଡଷ୍ଟ୍ରିକୁ ନିଜର ଖେଳପଡ଼ିଆ ଭାବି ନିଜର ଏକ ଟିମ୍ ମାଧ୍ୟମରେ ଯାହା ଇଚ୍ଛା କରୁଛନ୍ତି । ଟୁଟୁ ନାୟକ ଇଣ୍ଡଷ୍ଟ୍ରିକୁ ଆସୁଥିବା ନବାଗତ ଝିଅମାନଙ୍କୁ ଶୋଷଣ କରିବା କଥା ସମସ୍ତେ ଜାଣନ୍ତି । ଯେଉଁ ଝିଅ ସେମାନଙ୍କ କଥାରେ ରାଜି ନହୁଏ ତାକୁ ରାତାରାତି ଫିଲ୍ମରୁ ବିଦା କରିବାର ନଜିର ମଧ୍ୟ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି । ଟୁଟୁ ନାୟକ ଏବେ ଲୁଚୁଛନ୍ତି ଓ ସେ ତାଙ୍କ ବିରୁଦ୍ଧରେ ଯେଉଁସବୁ ଅଭିଯୋଗ ଆଣିଛନ୍ତି ଗଣମାଧ୍ୟମ ତାଙ୍କୁ ଡାକି ପଚାରୁ, ସତ ଜାଣିପାରିବେ ବୋଲି ପ୍ରକୃତି କହିଛନ୍ତି । 

Advertisment

ଗଣମାଧ୍ୟମ ସାମ୍ନାକୁ ଆସି ପ୍ରକୃତି ଏଭଳି ସଙ୍ଗୀନ ଅଭିଯୋଗ ଆଣିବା ପରେ ଓଲିଉଡ୍ ଇଣ୍ଡଷ୍ଟ୍ରି ପୁଣିଥରେ କାଷ୍ଟିଂ କାଉଚକୁ ନେଇ ଚର୍ଚ୍ଚାକୁ ଆସିଛି।

ଅନ୍ୟପକ୍ଷରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଟୁଟୁ ନାୟକ କହିଛନ୍ତି, ସେ ନିଜେ କ’ଣ ତାହା ଓଡ଼ିଶାବାସୀ ଭଲ ଭାବେ ଜାଣନ୍ତି। ପ୍ରକୃତି ମିଶ୍ର କ’ଣ ସେ କଥା ବି ଓଡ଼ିଶାବାସୀ ଦେଖିଛନ୍ତି। ଦରକାର ପଡ଼ିଲେ ଏନେଇ ସେ ପ୍ରକୃତିଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। 

Tollywood