Advertisment

ଆଟାକିଂ ମୁଡ୍‌ରେ ଅନୁଭବ; କହିଲେ- ନିଜର ରିଜେକ୍‌ସନ୍‌କୁ ସେଲିବ୍ରେସନ୍‌ କରୁଛନ୍ତି ବର୍ଷା

‘ଗୋଟିଏ ବିବାହରେ କୋର୍ଟ ଦୌଡ଼ି ଦୌଡ଼ି ନାମ ନେଉଛି। ସେଥିରୁ ଆଗେ ମୁକୁଳିଯାଏ। ଆପଣ ପୁନଃ ବିବାହ କଥା କାହିଁକି କହୁଛନ୍ତି? ଭଗବାନ କରନ୍ତୁ କାହାର ବୈବାହିକ ଜୀବନ ଏପରି ଦୁଃଖ ଓ କଷ୍ଟ ନଆସୁ।’

author-image
Manoranjan Sial
ଅଦ୍ୟତନ ହୋଇଛି
Varsa and Anubhav

Varsa and Anubhav

ପାରିବାରିକ ଅଡୁଆ ସୂତାରେ ଛନ୍ଦି ହୋଇପଡ଼ିଥିବା ଅନୁଭବ ମହାନ୍ତିଙ୍କୁ ଆଜି ଆଟାକିଂ ମୁଡ୍‌ରେ ଦେଖିବାକୁ ମିଳିଛି। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇ ବାହାରିବା ପରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉପରେ ବର୍ଷିଛନ୍ତି ଅନୁଭବ। କହିଛନ୍ତି, ନିଜର ରିଜେକ୍‌ସନ୍‌କୁ ସେଲିବ୍ରେସନ୍‌ କରୁଛନ୍ତି ବର୍ଷା। ସୋଶାଲ୍‌ ମିଡିଆ ଆକାଉଣ୍ଟରେ ଲେଖୁଛନ୍ତି- ଧର୍ମର ଜୟ ହେଲା।

Advertisment

ପାରିବାରିକ ଅଦାଲତଙ୍କ ରାୟକୁ ନେଇ ଅନୁଭବ କହିଛନ୍ତି, ଏଇଟା ଦୁର୍ଭାଗ୍ୟଜନକ। ୪ଟି ଗ୍ରାଉଣ୍ଡରେ ଆମେ ଯଥେଷ୍ଟ ତଥ୍ୟ ଓ ପ୍ରମାଣ ଦେଇ ଯୁକ୍ତି ଉପସ୍ଥାପନ କରିଥିଲୁ। ବର୍ଷା ପ୍ରିୟଦର୍ଶିନୀ ନିଜର ସାକ୍ଷ୍ୟ ପ୍ରମାଣ ବେଳେ ପ୍ରତିଟି ଘଟଣାରେ ହଁ କରିଥିଲେ। ଏହା ସତ୍ତ୍ୱେ ଏପରି ରାୟ ଆସିଲା। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ଗୋଟିଏ ଐତିହାସିକ ଜଜ୍‌ମେଣ୍ଟ ଏମିତି ଆସିବ ବୋଲି କେବେ ଆଶା କରିନଥିଲି। ଇଏ ହେଉଛି ତଳ କୋର୍ଟର ରାୟ। ଏହା ଉପରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଅଛନ୍ତି। ଅପିଲ୍‌ କରିବା ପାଇଁ ମୋର ସାମ୍ବିଧାନିକ ଅଧିକାର ରହିଛି। ମୁଁ ଉପର ଅଦାଲତକୁ ଯିବି। ବର୍ତ୍ତମାନ ସୁଦ୍ଧା ସତ୍ୟ ଓ ଧର୍ମର ଜୟ ହୋଇନାହିଁ। ସତ୍ୟ ଓ ଧର୍ମର ଜୟ ନିଶ୍ଚିତ ଭାବେହେବ ବୋଲି ଅନୁଭବ କହିଛନ୍ତି।

କୋର୍ଟଙ୍କ ରାୟ ପରେ ‘ସତ୍ୟର ଜୟ ହେଲା’ ବୋଲି ସୋଶାଲ ମିଡ଼ିଆରେ ବର୍ଷା ଲେଖିବାକୁ ନେଇ ଅନୁଭବ କହିଛନ୍ତି, ସେ ଜଣେ ମହାନ ବ୍ୟକ୍ତିତ୍ୱ। ବହୁ କ୍ଷମତାଶୀଳ। ଗଣମାଧ୍ୟମ ସାମ୍ନାରେ ଆସି କିଛି କହୁନାହାନ୍ତି। କିନ୍ତୁ ଯାହା କହିବା କଥା ଠିକ୍‌ ବାଟରେ ଲୋକଙ୍କ ପାଖରେ ପହଞ୍ଚାଇ ଦେଉଛନ୍ତି। ଯେତେ ପାରୁଛନ୍ତି, ସେତେ ମୋତେ ବଦନାମ କରୁଛନ୍ତି। ଆଇନ୍‌ କହୁଛି, ଜଣେ ଚାହିଁଲେ ଛାଡ଼ପତ୍ର ଦେଇପାରିବେ। ସିଏ ସ୍ୱାମୀ ହୁଅନ୍ତୁ ବା ସ୍ତ୍ରୀ ହୁଅନ୍ତୁ। ମୁଁ କେବେ ଭାବି ନଥିଲି ବାହାହୋଇ ଛାଡ଼ପତ୍ର ଦେବି ବୋଲି। ଯଦି ସେମିତି ଭାବି ଥାଆନ୍ତି, ତାହାହେଲେ ବାହା କହିଁକି ହୋଇଥାଆନ୍ତି? କିନ୍ତୁ ପରିସ୍ଥିତି ଅତି ମାତ୍ରାରେ ଜଟିଳ ହେଲା ବୋଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କଲି। ଯଦି ବର୍ଷାଙ୍କର ଛାଡ଼ପତ୍ର ନେବାର ନଥିଲା, ତାହାହେଲେ ସେ ମୋତେ ଭୁଲ୍‌ ବୋଲି ପ୍ରମାଣ କରିବା ପାଇଁ ଲଢ଼ି ପାରିଥାଆନ୍ତେ। ହେଲେ ସେ କଲେ କ’ଣ ବୋଲି ଅନୁଭବ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ବର୍ଷାଙ୍କ କ’ଣ ଜୟ ହେଲା? ସେ ବୁଝି ନାହାନ୍ତି ବୋଲି ମୁଁ ଭାବୁଛି। ସ୍ୱାମୀଙ୍କ ସହିତ ରହିବା ପାଇଁ ସେ ଆବେଦନ କରିଥିଲେ। କିନ୍ତୁ ତାଙ୍କର ସେହି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ତାହା ପରେ ମଧ୍ୟ ସେ ଲେଖୁଛନ୍ତି, ଧର୍ମର ଜୟ ହେଲା। ଏହାର ଅର୍ଥ ସେ ତାଙ୍କର ରିଜେକ୍‌ସନ୍‌କୁ ସେଲିବ୍ରେସନ୍‌ କରୁଛନ୍ତି। ଆଉ ହାତ ଯୋଡ଼ି ଫଟୋ ଉଠାଇ ଛାଡ଼ୁଛନ୍ତି। ଲେଖୁଛନ୍ତି, ଧର୍ମର ଜୟ ହେଲା। ଏଥିରୁ ପ୍ରମାଣିତ ହେଉଛି, ସେ ମୋତେ ଛାଡ଼ିବାକୁ ଚାହୁଁନାହାନ୍ତି କି ମୋ’ ସହିତ ରହିବାକୁ ଚାହୁଁନାହାନ୍ତି। କିନ୍ତୁ ସେ କାହିଁକି ମାନିବାକୁ ଚାହୁଁନାହାନ୍ତି ହାରିଛନ୍ତି ବୋଲି? ତାଙ୍କର ପିଟିସନ୍‌ ଖାରଜ ହୋଇଛି। ସେ ବୁଝିବା ଦରକାର ଓ ଜାଣିବା ଦରକାର। ତାଙ୍କର ଧର୍ମର ଜୟ ହୋଇନାହିଁ। ଅଧର୍ମର ଜୟ ହୋଇଛି ବୋଲି ଅନୁଭବ କହିଛନ୍ତି।

ଛାଡ଼ପତ୍ର ପରେ ଆଉ ବିବାହ କରିବେ କି ପ୍ରଶ୍ନରେ ଅନୁଭବ କହିଛନ୍ତି, ଗୋଟିଏ ବିବାହରେ କୋର୍ଟ ଦୌଡ଼ି ଦୌଡ଼ି ନାମ ହେଉଛି। ସେଥିରୁ ଆଗେ ମୁକୁଳିଯାଏ। ଆପଣ ପୁନଃ ବିବାହ କଥା କାହିଁକି କହୁଛନ୍ତି? ଭଗବାନ କରନ୍ତୁ କାହାର ବୈବାହିକ ଜୀବନ ଏପରି ଦୁଃଖ ଓ କଷ୍ଟ ନଆସୁ। ପ୍ରକୃତରେ ଦେଖିବାକୁ ଗଲେ ମୋର ବାହାଘର ଗଣମାଧ୍ୟମରେ ହୋଇଛି। ଲୋକ ଦେଖାଣିଆ ବାହାଘର ହୋଇଛି। ବହୁ ଟଙ୍କା ଖର୍ଚ୍ଚ କରାଯାଇଛି। ଆମର ସ୍ୱାମୀ ସ୍ତ୍ରୀ ଭଳିଆ ସମ୍ପର୍କ ଗଢ଼ା ହୋଇନାହିଁ। ତାହାହେଲେ କେଉଁ ବିବାହ କଥା କହୁଛନ୍ତି? ବିବାହ କରିବା ସମସ୍ତଙ୍କ ପାଇଁ ଜରୁରୀ। ସମସ୍ତେ ଭଲ ଜୀବନସାଥୀଟିଏ ଚାହାଁନ୍ତି। ବର୍ଷାଙ୍କ ସହିତ ମୋର ସମ୍ପୂର୍ଣ୍ଣ ବିବାହ ହୋଇନାହିଁ। ସେଥିରୁ ଆଗେ ମୁକୁଳେ ବୋଲି ଅନୁଭବ କହିଛନ୍ତି।

Entertainment Anubhav Mohanty Varsha Priyadarshini Film