/odisha-reporter/media/post_attachments/uploads/2017/11/Amisha-Patel-1.jpg)
Amisha
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲଙ୍କ ବିରୋଧରେ ରାଞ୍ଚିର ଏକ କୋର୍ଟ ଗିରଫ ପର୍ୱାନା ଜାରି କରିଛନ୍ତି। ତାଙ୍କ ବିରୋଧରେ ପ୍ରଯୋଜକ ଅଜୟ କୁମାର ଚେକ୍ ବାଉନ୍ସ ନେଇ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଆଧାରରେ କୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଫିଲ୍ମ ‘ଦେଶୀ ମ୍ୟାଜିକ୍’ ପାଇଁ ଅମୀଷାଙ୍କୁ ୩ କୋଟି ଟଙ୍କା ଧାର ଦେଇଥିଲେ ଅଜୟ। ଅମୀଷା ଏହି ଫିଲ୍ମର ପ୍ରଯୋଜକ ଥିଲେ। ଶୁଟିଂ ସମୟରେ ଟଙ୍କା କମ୍ ପଡ଼ିବାରୁ ସେ ଅଜୟଙ୍କଠାରୁ ଏହି ଟଙ୍କା ନେଇଥିଲେ। ଫିଲ୍ମର ଶୁଟିଂ ଶେଷ ହେବା ପରେ ଅଜୟ ତାଙ୍କୁ ଟଙ୍କା ମାଗି ଥିଲେ। ତେବେ ଅମୀଷା ତାଙ୍କ କଥା ଶୁଣି ନଥିଲେ। ଅଜୟ ପୁଣି ଟଙ୍କା ମାଗିବା ପରେ ଅମୀଷା ୨.୫ କୋଟି ଟଙ୍କାର ଏକ ଚେକ୍ ଦେଇଥିଲେ। ତେବେ ତାହା ବାଉନ୍ସ ହୋଇଯାଇଥିଲା। ଏହା ପରେ ଅଜୟ ରାଞ୍ଚିର ଏକ କୋର୍ଟରେ ଏ ନେଇ ମାମଲା ରୁଜୁ କରିଥିଲେ।
କୋର୍ଟରେ ମାମଲା ରୁଜୁ ହେବା ପରଠୁ ଅଜୟ ଅନେକ ଥର ଅମୀଷାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ଧରାଛୁଆଁ ଦେଇ ନଥିଲେ କି ଥରେ ବି ନିଜ ଆଡ଼ୁ ଯୋଗାଯୋଗ କରିବାକୁ ଚାହିଁ ନଥିଲେ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଅମୀଷାଙ୍କ ବିରୁଦ୍ଧରେ ୧୧ ଲକ୍ଷ ଟଙ୍କା ଠକେଇର ଅଭିଯୋଗ ହୋଇଥିଲା। ସେ ଏକ ବାହାଘରରେ ନାଚିବା ପାଇଁ ୧୧ ଲକ୍ଷ ଟଙ୍କା ଆଡଭାନ୍ସରେ ନେଇଥିଲେ। ହେଲେ ବାହାଘର ଦିନ ସେଠାକୁ ଯାଇ ନଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
