ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବଲିଉଡ୍ରେ ଏବେ ଷ୍ଟାର୍ କିଡ୍ସ୍ଙ୍କ ରାଜ୍ ଚାଲିଛି। ଜାହ୍ନବୀ କପୁର ହୁଅନ୍ତୁ ଅବା ସାରା ଅଲି ଖାନ୍, ଏମାନଙ୍କ ବଲିଉଡ୍ ଏଣ୍ଟ୍ରି ଖୁବ୍ ଧମାକାଦାର୍ ରହିଛି। ଏବେ ଏହି ତାଲିକାରେ ଯୋଡ଼ି ହୋଇ ଯାଇଛନ୍ତି ଭୋଜପୁରୀ ସୁପରଷ୍ଟାର୍ ରବି କିଶନ ଝିଅ ରିଭା ଓ ବିଗତ ଦିନର ଚୁଲ୍ବୁଲି ନାୟିକା ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ ପ୍ରିୟାଙ୍କ ଶର୍ମା। ଉଭୟ ‘ସବ୍ କୁସଲ୍ ମଙ୍ଗଲ୍’ ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ପ୍ରବେଶ କରିବାକୁ ଯାଉଛନ୍ତି।
ତେବେ ଅନ୍ୟ ଷ୍ଟାର କିଡ୍ସ୍ଙ୍କ ପରି ଏହି ଦୁଇ କିଡ୍ ବି ସଫଳତାର ପାହାଚ ଚଢ଼ିବେ ବୋଲି ସମୀକ୍ଷକ ଆଶାବ୍ୟକ୍ତ କରିଛନ୍ତି।
‘ସବ୍ କୁସଲ୍ ମଙ୍ଗଲ୍’ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି କରନ କଶ୍ୟପ। ଫିଲ୍ମର ପ୍ରଯୋଜନା ସମ୍ଭାଳିଛନ୍ତି ଜଣାଶୁଣା ନିର୍ମାତା ନୀତିନ୍ ମନମୋହନଙ୍କ ଝିଅ ପ୍ରାଚୀ।
ରବି କିଶନ୍ଙ୍କୁ ବଲିଉଡ୍ ଏଣ୍ଟ୍ରି ଦେଇଥିଲେ ନିତିନ ମନମୋହନ। ଏବେ ତାଙ୍କ ଝିଅଙ୍କ ପ୍ରଯୋଜନାରେ ନିର୍ମିତ ଫିଲ୍ମରେ ରବି କିଶନଙ୍କ ଝିଅ ଅଭିନୟ କରୁଛନ୍ତି।
ନିଜର ବଲିଉଡ୍ ପ୍ରବେଶ ନେଇ ରିଭା କହିଛନ୍ତି-“ଆମେରିକାରେ ଥିବା ବେଳେ ବାପା(ରବି କିଶନ)ଙ୍କ ସାଙ୍ଗ ଫୋନ କରି ମୋତେ ଏହି ସୂଚନା ଦେଇଥିଲେ। ଏହି ଖବର ପାଇବା ପରେ ବହୁତ ଖୁସି ହୋଇଥିଲି।”
ଅନ୍ୟପକ୍ଷରେ ରବି କିଶନ କହିଛନ୍ତି,“ରିଭା ମୋର ଅଭିନୟ ଦେଖି ବଡ଼ ହୋଇଛି। ପିଲା ବେଳୁ ତା’ର କଳା ପ୍ରତି ଦୁର୍ବତା ରହିଥିଲା। ଏହି ଫିଲ୍ମରେ ତାକୁ ନିଶ୍ଚିତ ସଫଳତା ମିଳିବ।”
ରିଭା ଅଭିନେତା ନଶିରୁଦ୍ଦିନ୍ ଶାହଙ୍କ ପ୍ଲେ' ଗ୍ରୁପ୍ରେ ଗୋଟିଏ ବର୍ଷ ଅଭିନୟ କରିଛନ୍ତି। ସେ ଆମେରିକାରେ ଏକ ଅଭିନୟ ପ୍ରଶିକ୍ଷଣ କେନ୍ଦ୍ରରେ ମଧ୍ୟ ଦେଢ଼ ବର୍ଷ ତାମିଲ୍ ନେଇଛନ୍ତି।
ସୂଚନାଯୋଗ୍ୟ,‘ସବ୍ କୁସଲ୍ ମଙ୍ଗଲ୍’ ଫିଲ୍ମରେ ରିଭାଙ୍କ ବିପକ୍ଷରେ ନାୟକ ହୋଇଥିବା ଷ୍ଟାର୍ କିଡ୍ ପ୍ରିୟାଙ୍କ ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀ ଓ ପ୍ରଯୋଜକ ପ୍ରଦୀପ ଶର୍ମାଙ୍କ ପୁଅ। ଫିଲ୍ମରେ ଅକ୍ଷୟ ଖନ୍ନାଙ୍କୁ ମଧ୍ୟ ଦେଖିବାକୁ ମିଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।