Advertisment

ଚାରି ଭଉଣୀଙ୍କ ଗେହ୍ଲା ଭାଇ ଥିଲେ ସୁଶାନ୍ତ...

ମୁମ୍ବାଇ: ପିଲାବେଳୁ ଉଚ୍ଚାଭିଳାଷୀ ଥିଲେ ସୁଶାନ୍ତ ସିଂହ ରାଜପୂତ। ଚାରି ଉଭଣୀଙ୍କ ଏକମାତ୍ର ଗେହ୍ଲା ଭାଇ। ‘ପବିତ୍ର ରିସ୍ତା’ ମେଗା ଧାରାବାହିକ ତାଙ୍କୁ ଘରେ ଘରେ ପରିଚିତ କରିଥିବା ବେଳେ ‘ଏମ୍, ଏସ୍, ଧୋନି’ ଥିଲା ତାଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ। ଆଜି କିଏ ବା ନ ଜାଣେ ସୁଶାନ୍ତଙ୍କୁ। ବଲିଉଡର ଜଣେ ସଫଳ ଯୁବ ଅଭିନେତା ଭାବେ କମ୍ ବୟସରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ ସେ। ହେଲେ ରବିବାର ହଠାତ୍ ତାଙ୍କ ଆତ୍ମହତ୍ୟା ଖବର […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଚାରି ଭଉଣୀଙ୍କ ଗେହ୍ଲା ଭାଇ ଥିଲେ ସୁଶାନ୍ତ...

susant-singh rajpoot

ମୁମ୍ବାଇ: ପିଲାବେଳୁ ଉଚ୍ଚାଭିଳାଷୀ ଥିଲେ ସୁଶାନ୍ତ ସିଂହ ରାଜପୂତ। ଚାରି ଉଭଣୀଙ୍କ ଏକମାତ୍ର ଗେହ୍ଲା ଭାଇ। 'ପବିତ୍ର ରିସ୍ତା' ମେଗା ଧାରାବାହିକ ତାଙ୍କୁ ଘରେ ଘରେ ପରିଚିତ କରିଥିବା ବେଳେ 'ଏମ୍, ଏସ୍, ଧୋନି' ଥିଲା ତାଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ। ଆଜି କିଏ ବା ନ ଜାଣେ ସୁଶାନ୍ତଙ୍କୁ। ବଲିଉଡର ଜଣେ ସଫଳ ଯୁବ ଅଭିନେତା ଭାବେ କମ୍ ବୟସରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ ସେ। ହେଲେ ରବିବାର ହଠାତ୍ ତାଙ୍କ ଆତ୍ମହତ୍ୟା ଖବର ତମାମ ସିନେପ୍ରେମୀଙ୍କ ଆଖିକୁ ଭିଜେଇଦେଇଛି।

Advertisment

susant

୧୯୮୬ ଜାନୁୟାରୀ ୨୧ରେ ବିହାରର ପାଟନା ଜିଲ୍ଲାରେ ଜନ୍ମ ଲାଭ କରିଥିଲେ ସୁଶାନ୍ତ। ପିଲାବେଳୁ ବଲିଉଡ୍ ବାଦଶାହ ଶାହରୁଖଙ୍କ ବଡ଼ ପ୍ରଶଂସକ ଥିଲେ। ତାଙ୍କ ବାପା ପାଟନାରେ ହିଁ ଜଣେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ପିଲାବେଳୁ ନାଚିବାକୁ ଖୁବ୍ ଭଲ ପାଉଥିଲେ ସୁଶାନ୍ତ। ସମ୍ପର୍କୀୟ ହୁଅନ୍ତୁ ବା ଅଚିହ୍ନା, ବାହାଘର ବରଯାତ୍ରୀ ଦେଖିଲେ ସୁଶାନ୍ତ ନାଚିବା ଆରମ୍ଭ କରିଦେଉଥିଲେ। ଖାଲି ଏତିକି ନୁହେଁ, ପାଠପଢ଼ାରେ ମଧ୍ୟ ବେଶ୍ ଆଗୁଆ ଥିଲେ।

ଯୁକ୍ତ ଦୁଇ ପ୍ରଥମ ବର୍ଷ ପଢ଼ିବା ସମୟରେ ନ୍ୟାସନାଲ ଅଲମ୍ପିୟାଡରେ ଫିଜିକ୍ସ ପରୀକ୍ଷାରେ ସୁଶାନ୍ତ ଗୋଲ୍ଡ ମେଡାଲ ହାସଲ କରିଥିଲେ। ଜୀବନରେ ସବୁ ଠିକ୍-ଠାକ୍ ଚାଲିଥିବା ବେଳେ ହଠାତ୍ ସୁଶାନ୍ତଙ୍କୁ ଲାଗିଥିଲା ବଡ଼ ଝଟକା। ୨୦୦୨ରେ ସୁଶାନ୍ତଙ୍କ ମା'ଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ସେ ଯୁକ୍ତ ୨ରେ ପାଠ ପଢ଼ୁଥିଲେ।

Advertisment

susant

ପିଲାବେଳୁ ସୁଶାନ୍ତଙ୍କ ଏକମାତ୍ର ସ୍ୱପ୍ନ ଥିଲା ଯେ ସେ ମହାକାଶଚାରୀ ହେବେ। ଏଥିପାଇଁ ସେ ନାଶା ଭ୍ରମଣ କରିବାକୁ ମଧ୍ୟ ଯାଇଥିଲେ। ହେଲେ ଧୀରେ ଧୀରେ ସମୟକ୍ରମେ ତାଙ୍କ ସ୍ୱପ୍ନ ପରିବର୍ତ୍ତନ ହେଉଥିଲା। ସେ କେବେ ପାଇଲଟ୍, କେବେ ଇଞ୍ଜିନିୟର ହେବାକୁ ସ୍ୱପ୍ନ ଦେଖୁଥିଲେ। ଶେଷରେ ବହୁ ଭାବି ଚିନ୍ତି ଇଞ୍ଜିନିୟର ହେବାକୁ ମିଷ୍ପତ୍ତି ନେଲେ। ସେ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଏଣ୍ଟ୍ରାନ୍ସ ପରୀକ୍ଷାରେ ୭ମ ରାଙ୍କ୍ ହାସଲ କରିଥିଲେ। ଏହାପରେ ଦିଲ୍ଲୀରେ ମେକାନିକାଲ ଇଞ୍ଜିନିୟରିଂ ପାଇଁ ନାମ ଲେଖାଇଲେ।

shahrukh-and-susant

ଡ୍ୟାନ୍ସ ପ୍ରତି ବିଶେଷ ରୁଚି ଥିବାରୁ ଇଞ୍ଜିନିୟରିଂ ପ୍ରଥମ ବର୍ଷ ପଢ଼ିବା ସମୟରେ ହିଁ ସେ ଶୈମକଙ୍କଠାରୁ ଡ୍ୟାନ୍ସ କୋଚିଂ ନେଉଥିଲେ। ସେ ନୃତ୍ୟରେ ମହାରଥୀ ସାଜିବା ସହ ଶୈମକଙ୍କ ମନ କିଣି ନେଇଥିଲେ। ଏହାପରେ ୫୧ତମ ଫିଲ୍ମ ଫେୟାର ଆଓ୍ୱାର୍ଡ ଉତ୍ସବରେ ସୁଶାନ୍ତ ବ୍ୟାକ୍ ଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ନାଚିବାକୁ ସୁଯୋଗ ପାଇଥିଲେ। ସେହିପରି ୨୦୦୬ରେ ତାଙ୍କୁ ଅଷ୍ଟ୍ରେଲିୟାରେ ଆୟୋଜିତ କମନ ଓ୍ୱେଲଥ୍ ଗେମ୍ସରେ ଐଶ୍ୱର‌୍ୟା ରାୟଙ୍କ ସହ ନାଚିବାର ମଧ୍ୟ ସୁଯୋଗ ମିଳିଥିଲା। ଶୈମକଙ୍କ ସୁପାରିଶରେ ଏଭଳି ଅନେକ ଭଲ ଭଲ ସୁଯୋଗ ସୁଶାନ୍ତଙ୍କୁ ମିଳିଥିଲା।

susant

ନାଚ ପ୍ରତି ଦୁର୍ବଳତା ଥିବା ସୁଶାନ୍ତଙ୍କୁ ଜଣେ ବ୍ୟାକ୍ ଗ୍ରାଉଣ୍ଡ୍ ଡ୍ୟାନ୍ସର ଭଳି ନାଚିବାକୁ ଭଲ ଲାଗୁଥିଲା। ସେହି ସମୟରେ ପୁଣି ନିଜ ସ୍ୱପ୍ନକୁ ସାକାର କରିବାକୁ ଇଞ୍ଜିନିୟରିଂ ପଢ଼ାକୁ ଅଧାରେ ଛାଡ଼ିଥିଲେ ସୁଶାନ୍ତ। ସେ ନିଜ ଜୀବନରେ ବହୁତ କନଫ୍ୟୁଜ୍ ଥିଲେ। ପାଠପଢ଼ା ଛାଡ଼ି ସେ ମୁମ୍ବାଇ ଆସିଗଲେ। ମୁମ୍ବାଇରେ ରହି ନିଜକୁ ଦକ୍ଷ ଅଭିନେତା ଭାବେ ଗଢ଼ି ତୋଳିବାକୁ ଲୋକପ୍ରିୟ ଥିଏଟର ଅଭିନେତ୍ରୀ ନାଦିରା ବବ୍ବରଙ୍କଠାରୁ ୨ ବର୍ଷ କାଳ ସେ ଅଭିନୟ ଶିକ୍ଷା କରିଥିଲେ।

ସେତେବେଳେ ସୁଶାନ୍ତ ନାଦିରାଙ୍କ ସହ ଥିଏଟର ଶୋ' କରୁଥିଲେ। ଦିନେ ଏକ ଏନଜିଓ ପାଇଁ ଏକ ଶୋ' କରୁଥିଲେ। ସେଠାକୁ ଏକତା କପୁର ମଧ୍ୟ ଆସିଥିଲେ। ସୁଶାନ୍ତଙ୍କ ଲୁକ୍, ଷ୍ଟାଇଲ୍ ଏବଂ ଅଭିନୟ ଏକତାଙ୍କୁ ଖୁବ୍ ପସନ୍ଦ ଆସିଲା। ଏକତା ସୁଶାନ୍ତଙ୍କୁ 'ପବିତ୍ର ରିସ୍ତା' ମେଗା ଧାରାବାହିକ ପାଇଁ ଅଫର୍ ଦେଇଥିଲେ।

ankita-susant

'ପବିତ୍ର ରିସ୍ତା'ରେ ସୁଶାନ୍ତ ରାଜପୂତ ଏବଂ ଅଙ୍କିତା ଲୋଖଣ୍ଡେଙ୍କ ରୋମାନ୍ସ ଆଉ କେମିଷ୍ଟ୍ରି ବିପୁଳ ଲୋକପ୍ରିୟତା ଆଣିଦେଇଥିଲା। ଧୀରେ ଧୀରେ ଅଙ୍କିତା ଆଉ ସୁଶାନ୍ତ ପରସ୍ପର ସହ ଅଫ୍-ସ୍କ୍ରିନରେ ବି ପ୍ରେମରେ ପଡ଼ିଗଲେ। ଉଭୟଙ୍କ ଯୋଡ଼ି ସମସ୍ତ ଟିଭି ଦର୍ଶକଙ୍କ ମନପସନ୍ଦର ଯୋଡ଼ି ଭାବେ ପରିଣତ ହେଲା। ଏକ ଟିଭି ଡ୍ୟାନ୍ସ ରିଆଲିଟି ଶୋ'ରେ ସୁଶାନ୍ତ, ଅଙ୍କିତାଙ୍କୁ ବିବାହ ପାଇଁ ପ୍ରୋପୋଜ୍ କରିଥିଲେ। ପରେ କିନ୍ତୁ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା।

susant-ankita

ସୁଶାନ୍ତଙ୍କ ଜୀବନରେ ଲକ୍ ବହୁତ ସହଯୋଗ କରିଛି। ସେ ଟିଭିରେ ସୁପରହିଟ୍ ହେବାପରେ ଖୁବଶୀଘ୍ର ଫିଲ୍ମ ଅଫର ମଧ୍ୟ ପାଇଗଲେ। ୨୦୧୩ରେ ଫିଲ୍ମ 'କାଇ ପୋ ଚେ'ରୁ ରାତାରାତି ଷ୍ଟାର୍ ହୋଇଗଲେ ସୁଶାନ୍ତ। ପରେ ପରେ ସେ 'ଶୁଦ୍ଧ ଦେଶୀ ରୋମାନ୍ସ', 'ପିକେ', 'ଡିଟେକ୍ଟିଭ୍ ବ୍ୟୋମକେସ ବକ୍ସି', 'ଏମ୍.ଏସ୍. ଧୋନି', 'ରାବତା', 'ଛିଛୋରେ' ଭଳି ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନ କିଣି ନେଇଥିଲେ।

dhoni and susant

ନିଜର ଦମଦାର ଅଭିନୟ ପାଇଁ ସୁଶାନ୍ତ ଅନେକ ପୁରସ୍କାର ପାଇଛନ୍ତି। ସେ ୨୦୧୪ରେ ନିଜ ଡେବ୍ୟୁ ଫିଲ୍ମ 'କାଇ ପୋ ଚେ' ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଷ୍ଟାର୍ ସ୍କ୍ରିନ୍ ଆଓ୍ୱାର୍ଡ ପାଇଛନ୍ତି। ଏହାସହ 'ଏମ୍. ଏସ୍. ଧୋନି'ରେ ନିଜ ଉଚ୍ଚକୋଟୀର ଅଭିନୟ ଲାଗି ୨୦୧୭ରେ ଶ୍ରେଷ୍ଠ ଅଭିନେତା ପାଇଁ ଫିଲ୍ମ ଫେୟାର ଆଓ୍ୱାର୍ଡ ପାଇବାକୁ ମଧ୍ୟ ସେ ମନୋନୀତ ହୋଇଥିଲେ। ତେବେ ସେହି ବର୍ଷ 'ଏମ୍. ଏସ୍. ଧୋନି' ଫିଲ୍ମ ପାଇଁ ସୁଶାନ୍ତଙ୍କୁ ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ) ଭାବେ ସ୍କ୍ରିନ୍ ଆଓ୍ୱାର୍ଡ ହାସଲ କରିଥିଲେ।

susant

ଖୁବ୍ କମ୍ ବୟସରେ ସଫଳତାର ସ୍ୱାଦ ଚାଖିଥିବା ସଫଳ ଅଭିନେତା ସୁଶାନ୍ତ ରାଜପୂତ ଜୁନ୍ ୧୪, ୨୦୨୦ରେ ମାନସିକ ଅବସାଦ ଯୋଗୁ ଆତ୍ମହତ୍ୟା କରିଥିବା ଖବର ଆସୁଛି। ତେବେ ପୋଷ୍ଟମର୍ଟମ ପରେ ସୁଶାନ୍ତଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।