୨୦୧୯ରେ ଏମିତି ଥିଲା ବଲିଉଡ୍‌

ଆଉ ଦିନ କେଇଟାରେ ଅସ୍ତ ହୋଇଯିବ ୨୦୧୯ର ସୂର୍ଯ୍ୟ । ଆସିବ ଏକ ନୂଆ ସକାଳ। ସାଙ୍ଗରେ ଆଣିବ ଅନେକ ନୂଆ ନୂଆ କାହାଣୀ, ସ୍ୱପ୍ନ, ଆଶା ଓ ସମ୍ଭାବନା। ତେବେ ୨୦୧୯ ବର୍ଷଟି ବଲିଉଡ୍‌ ପାଇଁ ଥିଲା ଫିଲ୍ମର କାହାଣୀ ଭଳି। ଏର୍ଥାତ୍‌ କିଛି ଭଲ କଥା ଥିଲା। ତା’ସହିତ ଥିଲା କିଛି ବିବାଦ, ଅପବାଦ। ସେହିଭଳି କିଛି ସଫଳତାର କାହାଣୀ ମଧ୍ୟ ଦେଖିବାକୁ ମିଳିଥିଲା। ଅନେକ ଛୋଟ ବଡ଼ ଘଟଣାକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ […]

bollywood

bollywood

Chinmayee Roy
  • Published: Wednesday, 25 December 2019
  • Updated: 25 December 2019, 12:10 PM IST

Sports

Latest News

ଉ ଦିନ କେଇଟାରେ ଅସ୍ତ ହୋଇଯିବ ୨୦୧୯ର ସୂର୍ଯ୍ୟ । ଆସିବ ଏକ ନୂଆ ସକାଳ। ସାଙ୍ଗରେ ଆଣିବ ଅନେକ ନୂଆ ନୂଆ କାହାଣୀ, ସ୍ୱପ୍ନ, ଆଶା ଓ ସମ୍ଭାବନା। ତେବେ ୨୦୧୯ ବର୍ଷଟି ବଲିଉଡ୍‌ ପାଇଁ ଥିଲା ଫିଲ୍ମର କାହାଣୀ ଭଳି। ଏର୍ଥାତ୍‌ କିଛି ଭଲ କଥା ଥିଲା। ତା’ସହିତ ଥିଲା କିଛି ବିବାଦ, ଅପବାଦ। ସେହିଭଳି କିଛି ସଫଳତାର କାହାଣୀ ମଧ୍ୟ ଦେଖିବାକୁ ମିଳିଥିଲା। ଅନେକ ଛୋଟ ବଡ଼ ଘଟଣାକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଥିଲା। ସେହିସବୁ ସ୍ମୁତିର ଫର୍ଦ୍ଦରୁ କିଛି ପ୍ରମୁଖ ଘଟଣା ଉପରେ ଚାଲନ୍ତୁ ନଜର ପକାଇବା।

ରାତାରାତି ଷ୍ଟାର ହେଲେ ରାନୁ ମଣ୍ଡଳ: ପଶ୍ଚିମ ବଙ୍ଗଳାର ରାଣାଘାଟ୍‌ ରେଲୱେ ଷ୍ଟେସନରେ ଲତା ମଙ୍ଗେଶକରଙ୍କର ଲୋକପ୍ରିୟ ଗୀତ ‘ଏକ ପ୍ୟାର୍‌ କା ନଗମା’ ଗୀତ ଗାଉଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେବା ପରେ ରାନୁ ମଣ୍ଡଳ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ବଲିଉଡ୍‌ ଗାୟକ ହିମେଶ୍‌ ରେଶମିୟା ତାଙ୍କୁ ନିଜ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହୀର୍’ରେ ଗୀତ ଗାଇବାର ସୁଯୋଗ ଦେଇଥିଲେ। ଅଧିକ ଲୋକପ୍ରିୟତା ହାସଲ କରିବା ପରେ ଜଣେ ମହିଳାଙ୍କୁ ସେଲ୍‌ଫି ନଦେଇ ପାଟି କରିବାରୁ ରାନୁ ବିବାଦୀୟ ହୋଇପଡ଼ିଥିଲେ। ସୋଶାଲ୍‌ ମିଡିଆରେ ଏହାକୁ ନେଇ ତାଙ୍କୁ ପ୍ରବଳ ଟ୍ରୋଲ କରାଯାଇଥିଲା। ଏହାପରେ ରାନୁ ମେକଅପ୍‌ ନେଇ ରାମ୍ପ୍‌ ଶୋରେ ଚାଲିବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ଲୋକଙ୍କୁ ରାନୁଙ୍କ ଅଧିକ ମେକଅପ୍ ଭଲ ଲାଗି ନଥିଲା। ଯେଉଁଥିପାଇଁ ଦର୍ଶକମାନେ ତାଙ୍କୁ ଜୋକର, ଆଶୀର୍ବାଦ ଅଟା, ବ୍ୟାଟ୍‌ ମ୍ୟାନ୍‌, ମୁଲ୍‌ତାନ୍‌ ମିଟ୍ଟି, ଏବଂ ଅଧିକ ବିୟୁଟି ପ୍ଲସ୍‌ର ବ୍ୟବହାର କରିଛନ୍ତି କହି ସୋଶାଲ ମିଡିଆରେ ଟ୍ରୋଲ୍‌ କରିଥିଲେ।

ଚର୍ଚ୍ଚାରେ ନୁସରତ୍ ଜାହାନ୍‌: ଅଧିକାଂଶ ଲୋକ ନୁସରତ୍‌ଙ୍କ ଅଭିନୟ ଦେଖି ନଥିବେ, ତଥାପି ଚଳିତ ବର୍ଷ ସେ ବେଶ୍ ଚର୍ଚ୍ଚାରେ ରହିଥିଲେ। ତୃଣମୂଳ କଂଗ୍ରେସ ଟିକେଟ୍‌ରେ ସାଂସଦ ଭାବରେ ନିର୍ବାଚିତ ହେବା ପରେ ଚର୍ଚ୍ଚାକୁ ଆସିଥିଲେ ବଙ୍ଗୀୟ ଅଭିନେତ୍ରୀ ନୁସରତ୍‌। ଏହାପରେ ସେ ଜୁନ୍‌ ୧୯ ତାରିଖରେ ପଶ୍ଚିମବଙ୍ଗର ବ୍ୟବସାୟୀ ନିଖିଳ ଜୈନଙ୍କୁ ତୁର୍କୀରେ ବିବାହ କରି ଚର୍ଚ୍ଚାରେ ରହିଥିଲେ। ତାଙ୍କ ଉପରେ ଫତୱା ଜାରି ହୋଇଥିଲା। ଏହା ସହିତ ତାଙ୍କର ପ୍ରତିଟି କାର୍ଯ୍ୟକଳାପ ଆଲୋଚନା ପରିସରଭୁକ୍ତ ହୋଇଥିଲା।

ମିକା ସିଂହଙ୍କ ପାକିସ୍ତାନ ଗସ୍ତ: ପୁଲ୍‌ୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦା ହେବା ପରେ ସାରା ଦେଶ ପାକିସ୍ତାନକୁ ସମାଲୋଚନା କରୁଥିବା ବେଳେ ମିକା ସିଂହ ସେଠାକୁ ଯାଇ ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌ଙ୍କ ଜଣେ ସଂପର୍କୀୟଙ୍କ ବାହାଘରରେ ଗୀତ ଗାଇଥିଲେ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଅଲ୍‌ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ )AICWA) ଏବଂ ଫେଡେରେସନ୍‌ ଅଫ୍‌ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍ (FWICE) ତାଙ୍କ ଉପରେ ବ୍ୟାନ୍ ଜାରି କରିଥିଲା। କ୍ଷମା ପ୍ରାର୍ଥନା କରିବା ପରେ ତାଙ୍କ ଉପରୁ ବ୍ୟାନ୍ ହଟିଥିଲା।

ସୋନା ମହାପାତ୍ର ଓ ଅନୁ ମଲିକ: ‘ମି ଟୁ’ ଅଭିଯାନ ଶୀତଳ ପଡ଼ି ଯିବା ପରେ ଚଳିତ ବର୍ଷ ଇଣ୍ଡିଆନ୍ ଆଇଡଲ୍‌ର ନୂଆ ସିଜିନ୍‌ରେ ପୁଣି ଜଜ୍ ହୋଇ ଫେରିଥିଲେ। ଆଉ ଏହା ପରେ ତାଙ୍କ ଉପରେ ପୂର୍ବରୁ ଅସଦାଚରଣ ଅଭିଯୋଗ ଆଣିଥିବା ବଲିଉଡ୍ ଗାୟିକା ସୋନା ମହାପାତ୍ର। ସେ ବାରମ୍ବାର ତାଙ୍କ ବିରୋଧରେ ଟ୍ୱିଟ୍ କଲେ। ଏପରିକି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ବି ସୋଶାଲ୍ ମିଡିଆରେ ଛାଡ଼ିଥିଲେ। ଏହା ପରେ ଅନୁଙ୍କୁ ପୁଣି ଥରେ ଇଣ୍ଡିଆନ୍ ଆଇଡଲ୍ ଶୋ’ ଛାଡ଼ିବାକୁ ପଡ଼ିଥିଲା।

କ୍ଷମା ମାଗିଲେ ବିଗ୍‌ ବି’: ‘କୌନ୍ ବନେଗା କରୋଡ଼ପତି’ରେ ଏକ ପ୍ରଶ୍ନର ଉତ୍ତରର ବିକଳ୍ପରେ ମହାନ ଯୋଦ୍ଧା ତଥା ଶାସକ ଛତ୍ରପତି ଶିବାଜୀ ମହାରଜଙ୍କୁ କେବଳ ଶିବାଜୀ ବୋଲି ଲେଖା ଯାଇଥିବାରୁ ବିବାଦ ଦେଖା ଦେଇଥିଲା। ଶିବସେନା ଓ କରଣୀ ସେନା ଶୋ’କୁ ବନ୍ଦ କରିବାକୁ ବି ଦାବି କରିଥିଲେ। ଶୋ’ର ହୋଷ୍ଟ୍ ଅମିତାଭ ବଚ୍ଚନଙ୍କ ପୋଷ୍ଟର ଜଳାଇଥିଲେ। ଏହା ପରେ ବିଗ୍ ବି’ ଟ୍ୱିଟ୍ କରି କ୍ଷମା ମାଗିଥିଲେ।

ଅମଲାଙ୍କ ନ୍ୟୁଡ୍ ସିନ୍: ତାମିଲ୍ ଫିଲ୍ମ ‘ଆଦାଇ’ ସଂପୂର୍ଣ୍ଣ ଉଲଗ୍ନ ହୋଇ ଅଭିନୟ କରିବା ଯୋଗୁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅମଲା ପଲ୍‌ ସମାଲୋଚନାର ଶିକାର ହୋଇଥିଲେ। ଏପରିକି ଅନାଏଥୁ ମକ୍କଲ କତ୍‌ଚି (ଏଏମ୍‌ଏକେ) ପାର୍ଟିର ନେତ୍ରୀ ରାଜେଶ୍ୱରୀ ପ୍ରିୟା ତାଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ସେ ତାମିଲ ସଂସ୍କୃତିକୁ ନଷ୍ଟ କରିବାକୁ ପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା।

ନେହରୁଙ୍କୁ ଅସମ୍ମାନ: ବର୍ଷ ଶେଷ ଆଡ଼କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ, ତାଙ୍କ ବାପା ମୋତିଲାଲ ନେହରୁ ଓ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ୍ କରି ବିବାଦରେ ଫସିଥିବା  ବଲିଉଡ ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ପୁଲିସ୍ ଗିରଫ କରି ଥିଲା। ପରେ ସେ ଜାମିନ୍ ପାଇ ଜେଲ୍‌ରୁ ମୁକୁଳି ଥିଲେ। ମୋତିଲାଲ୍‌ ନେହେରୁଙ୍କ ୫ଟି ସ୍ତ୍ରୀ ଥିଲେ ଓ ସେ ଜବାହରଲାଲ ନେହରୁଙ୍କ ସାବତ ବାପା ଥିଲେ ବୋଲି ପାୟଲ ଲେଖିଥିଲେ।

ଅମିଭିତାଭଙ୍କୁ ଦାଦା ସାହେବ: ବଲିଉଡ୍‌ରେ ୫୦ ବର୍ଷ ପୂରଣ କରିଥିବା ଅମିତାଭ ବଚ୍ଚନଙ୍କୁ ଚଳିତ ବର୍ଷ ଦାଦା ସାହେବ ପୁରସ୍କାର ଦିଆଯାଇଛି। ଅବଶ୍ୟ ଅସୁସ୍ଥତା ହେତୁ ସୋମବାର ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବରେ ସେ ଯୋଗ ଦେଇ ପାରି ନଥିଲେ।

ବାୟୋପିକ୍‌ରେ ମୋଦି, ମନମୋହନ, ଠାକରେ ଓ ଆନନ୍ଦ:

ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍ ମିନିଷ୍ଟର: ବର୍ଷ ପ୍ରାରମ୍ଭରେ ପରଦାକୁ ଆସିଥିଲା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ନିର୍ମାଣ ହୋଇଥିବା ଏହି ଫିଲ୍ମ। ବହୁ ବାଦ-ବିବାଦ ପରେ ଅନୁପମ୍ ଖେରଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ସଂଜୟ ବାରୁଙ୍କ ଲିଖିତ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର’ର କଥାବସ୍ତୁ ଉପରେ ଏହା ତିଆରି ହୋଇଥିଲା।

ଠାକ୍‌ରେ: ଶିବସେନାର ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ଜୀବନ ଉପରେ ଆଧାରିତ ହୋଇଥିଲା ଏହି ଫିଲ୍ମ। ଏଥରେ ତାଙ୍କ ଚରିତ୍ରରେ ଅଭିନୟ କରିଥିଲେ ନୱାଜୁଦ୍ଦିନ୍‌ ସିଦ୍ଦିକି।

ମଣିକର୍ଣ୍ଣିକା: ଝାନ୍‌ସୀ ରାଣୀ ଲକ୍ଷ୍ମୀବାଇଙ୍କ ଉପରେ ତିଆରି ହୋଇଥିଲା ଏହି ଫିଲ୍ମ। କଙ୍ଗନା ରାଣାୱତ୍‌ ଏଥିରେ ରାଣୀ ଲକ୍ଷ୍ମୀବାଇ ଚରିତ୍ରରେ ଅଭିନୟ କରିଥିବା ବେଳେ ଏହାର ଅଧିକାଂଶ ଭାଗରେ ନିର୍ଦ୍ଦେଶନା ବି ଦେଇଥିଲେ।

ସୁପର୍ ୩୦: ଗରିବ ପିଲାଙ୍କୁ ଆଇଆଇଟି ଓ ଜେଇଇ ପାଇଁ କୋଚିଂ ଦେଉଥିବା ତଥା ‘ସୁପର୍ ଥାର୍ଟି ପ୍ରୋଗ୍ରାମ୍‌’ ପାଇଁ ସାରା ଦେଶରେ ଜଣାଶୁଣା ବିହାରର ଆନନ୍ଦ କୁମାରଙ୍କ ଉପରେ ଏହି ଫିଲ୍ମ ତିଆରି ହୋଇଥିଲା। ଆନନ୍ଦଙ୍କ ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟି ଥିଲେ ହ୍ରିତିକ୍ ରୋଶନ୍‌।

ପିଏମ୍ ନରେନ୍ଦ୍ର ମୋଦି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମଟି ମେ’ ମାସରେ ରିଲିଜ୍ ହୋଇଥିଲା। ବିବେକ୍‌ ଓବରଏ ଏଥିରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ।

ଅକ୍ଷୟ ହାଇଏଷ୍ଟ୍ ପେଡ୍ ଆକ୍ଟର

୨୦୧୯ର ସବୁଠୁ ହାଇଏଷ୍ଟ ପେଡ୍‌ ଆକ୍ଟରଙ୍କ ତାଲିକାରେ ଭାରତୀୟ ଅଭିନେତା ଭାବେ କେବଳ ଅକ୍ଷୟଙ୍କ ନାଁ ସାମିଲ୍‌ ହୋଇଥିଲା। ଏହି ପତ୍ରିକା ଅନୁଯାୟୀ ଅକ୍ଷୟ ଜୁନ୍‌ ୨୦୧୮ ରୁ ଜୁନ୍‌ ୨୦୧୯ ଭିତରେ ପାଖାପାଖି ୪୪୪ କୋଟି ଆୟ କରିଥିଲେ। ସେହିଭଳି ଏ ବର୍ଷ ‘କେଶରୀ’ ‘ମିଶନ ମଙ୍ଗଲ’ ଓ ‘ହାଉସଫୁଲ୍‌ ୪’ ବକ୍ସ ଅଫିସ୍‌ରେ ଧମାଲ୍‌ କରିଥିବାବେଳେ ଆଗକୁ ନିର୍ମାତା ବାଶୁ ଭଗନାନିଙ୍କ ଫିଲ୍ମ ପାଇଁ ଅକ୍ଷୟ ଫି’ ପାରିଶ୍ରମିକ ବାବଦକୁ ୧୦୦ କୋଟି ଟଙ୍କା ନେବେ ବୋଲି ଶୁଣାଯାଉଛି। କଥାଟା ସତ ହେଲେ ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ନେବାରେ ସେ ହେବେ ପ୍ରଥମ ବଲିଉଡ୍ ଆକ୍ଟର।

ପ୍ରିୟଙ୍କାଙ୍କ ପଛରେ ପଡ଼ିଥିଲା ପାକିସ୍ତାନ

ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟ୍‌ଠାରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌କୁ ନେଇ ପ୍ରିୟଙ୍କା ଏକ ଟ୍ୱିଟ୍ କରିଥିଲେ। ଏ ଟ୍ୱିଟ୍‌ରେ ସେ ‘ଜୟହିନ୍ଦ୍‌’ ଲେଖିବା ସହିତ ଭାରତ ଦୀର୍ଘସ୍ଥାୟୀ ହେଉ ବୋଲି ଲେଖିଥିଲେ। ତା’ସହିତ ଭାରତୀୟ ସେନା ବାହିନୀକୁ ମଧ୍ୟ ପ୍ରଶଂସା କରିଥିଲେ। ଏହି ଟ୍ୱିଟ୍‌କୁ ନେଇ ପାକିସ୍ତାନ ଅଭିଯୋଗ କରିଥିଲା ଯେ ପ୍ରିୟଙ୍କା ଯୁଦ୍ଧ ପାଇଁ ଉସକାଉଛନ୍ତି। ଏହା ସହିତ ତାଙ୍କୁ ତୁରନ୍ତ ଜାତିସଙ୍ଘର ଶାନ୍ତିଦୂତ ପଦରୁ ହଟାଇବାକୁ ଦାବି କରିଥିଲା। ହେଲେ ଶାନ୍ତିଦୂଙ୍କର ବ୍ୟକ୍ତିଗତ ବିଚାର ଓ କାର୍ଯ୍ୟକଳାପ ୟୁନିସେଫ୍‌କୁ ପ୍ରଭାବିତ କରେ ନାହିଁ ବୋଲି କହି ଜାତିସଂଘ ପାକିସ୍ତାନର ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ।

୧୨ ବର୍ଷ ପରେ ଫେରିଲେ ଶିଳ୍ପା

ଏହି ବର୍ଷର ଆଉ ଏକ ଚର୍ଚ୍ଚିତ ଖବର ହେଉଛି ୧୨ ବର୍ଷର ଦୀର୍ଘ ବ୍ୟବଧାନ ପରେ ବଲିଉଡ୍‌କୁ କମ୍‌ବ୍ୟାକ୍ କରିଛନ୍ତି ଶିଲ୍ପା ଶେଟ୍ଟୀ। ସେ ସବ୍ବୀର ଖାନ୍‌ଙ୍କ ଫିଲ୍ମ ‘ନିକମ୍ମା’ ଜରିଆରେ ବଲିଉଡ୍‌କୁ ଫେରିଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ରିଲିଜ୍ ହେବ।  ଏ ଫିଲ୍ମରେ ତାଙ୍କ ସହିତ ଅଭିମନ୍ୟୁ ଦସାନୀ ଓ ୟୁଟ୍ୟୁବ୍ ଷ୍ଟାର୍ ଶର୍ଲୀ ସେଟିଆ ଅଛନ୍ତି। ୨୦୦୭ରେ ଶିଳ୍ପା ଶେଷଥର ପାଇଁ ବଲିଉଡ୍ ଫିଲ୍ମ ‘ଅପ୍‌ନେ’ରେ ଅଭିନୟ କରିଥିଲେ। ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ଛୋଟ ପରଦାରେ ‘ଡ୍ୟାନ୍ସ ପ୍ଲସ୍‌’, ‘ନଚ୍‌ ବଲିୟେ’ ଓ ‘ସୁପର ଡ୍ୟାନ୍ସର’ ଭଳି ଡ୍ୟାନ୍ସ ରିଆଲିଟି ଶୋ’ରେ ଜଜ୍‌ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।

ସୁସ୍ଥ ହୋଇ ବାହୁଡ଼ିଲେ ଋଷି ଓ ଇର୍‌ଫାନ୍‌

ଇରଫାନ୍ ଖାନ୍: ୨୦୧୮ରେ ଇରଫାନ୍ ଟ୍ୱିଟ୍‌ କରି ଖୁଲାସା କରିଥିଲେ ଯେ, ତାଙ୍କୁ ନ୍ୟୁରୋଏଣ୍ଡ୍ରୋକ୍ରାଇନ୍ ଟ୍ୟୁମର ହୋଇଛି। ପରେ ସେ ଚିକିତ୍ସା ପାଇଁ ଲଣ୍ଡନ ଚାଲିଯାଇଥିଲେ। ତେବେ ପାଖପାଖି ବର୍ଷେ ଚିକିତ୍ସାରେ ରହିବାପରେ ସେ ଚଳିତବର୍ଷ ମାର୍ଚ୍ଚ ମାସରେ ଭାରତକୁ ଫେରିଥିଲେ ଏବଂ ପୁଣିଥରେ ଫିଲ୍ମରେ କାମ କରିବା ଆରମ୍ଭ କରିଦେଇଥିଲେ। ୨୦୨୦ ମାର୍ଚ୍ଚ୨୦ରେ ତାଙ୍କ ଫିଲ୍ମ ‘ଅଂରେଜୀ ମିଡିୟମ’ ପରଦାକୁ ଆସିବ।

ଋଷି କପୁର: ପ୍ରାୟ ବର୍ଷେ ଧରି ନ୍ୟୁୟର୍କରେ ରହିବା ପରେ ଚଳିତ ବର୍ଷ ସେପ୍ଟେମ୍ବର ୧୦ରେ ଭାରତ ଫେରିଥିଲେ ବଲିଉଡ୍‌ ଅଭିନେତା ଋଷି କପୁର୍‌। କ୍ୟାନସରର ଚିକିତ୍ସା କରାଇବା ପାଇଁ ସେ ୨୦୧୮ ସେପ୍ଟେମ୍ୱରରୁ ନ୍ୟୁୟର୍କରେ ଥିଲେ। ତେବେ ରୋଗରୁ ଫେରି କିଛିଦିନ ପରେ ସେ ପୁଣି ଥରେ କାମ ଆରମ୍ଭ କରି ଦେଇଛନ୍ତି।  ଆଗକୁ ସେ ଫରହାନ୍‌ ଅଖତର୍‌ଙ୍କ ଫିଲ୍ମ ‘ତୁଫାନ୍‌’ରେ ନଜର ଆସିବେ।

ବଡ଼ ଫ୍ୟାନ୍

ଚାଲ୍ ଚାଲି ଆସିଲେ: ଅନେକ ସମୟରେ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀଙ୍କ ପ୍ରତି ଥିବା ଭଲ ପାଇବାକୁ ପ୍ରମାଣିତ କରିବା ପାଇଁ ଫ୍ୟାନ୍‌ମାନେ ଅଜବ ପ୍ରକାରର ମାଧ୍ୟମ ଆପଣାଇଥା’ନ୍ତି। ଅକ୍ଷୟ କୁମାରଙ୍କର ଜଣେ ଫ୍ୟାନ୍‌ ମଧ୍ୟ ଏପରି କିଛି କରିଥିଲେ। ପ୍ରଭାତ୍‌ ନାମକ ଜଣେ ଯୁବକ ଦ୍ୱାରିକାରୁ ମୁମ୍ୱାଇ ପର୍ଯ୍ୟନ୍ତ ୯୦୦ କିଲୋମିଟର ରାସ୍ତା ଚାଲି ଚାଲି ଆସି ଅକ୍ଷୟଙ୍କୁ ଭେଟିଥିଲେ। ଏଥିପାଇଁ ତାଙ୍କୁ ୧୮ ଦିନ ସମୟ ଲାଗିଥିଲା। ଦୈନିକ ସେ ୫୦ କିଲୋମିଟର ଚାଲୁଥିଲେ। ଅକ୍ଷୟଙ୍କ ଭଳି ଫିଟ୍ ଓ ଫାଇନ୍ ରହିବା ପାଇଁ ସମସ୍ତଙ୍କୁ ବାର୍ତ୍ତା ଦେବାକୁ ସେ ଚାଲି ଚାଲି ମୁମ୍ବାଇ ଆସିଥିଲେ।

ଦେହରେ ନିଆଁ ଲଗାଇଲେ: କନ୍ନଡ୍‌ ସୁପରଷ୍ଟାର୍‌ ୟଶ୍‌ଙ୍କ ଫିଲ୍ମ KGF ସାରାଦେଶରେ ସୁପର୍‌ହିଟ୍‌ ହୋଇଥିଲା। ରବି ନାମକ ଜଣେ ୨୬ ବର୍ଷର ଯୁବକ ତାଙ୍କର ବଡ଼ ଫ୍ୟାନ୍‌ ଥିଲେ। ସବୁଥର ପରି ୮ ଜାନୁଆରୀରେ ୟଶ୍‌ଙ୍କର ଜନ୍ମଦିନରେ ସେ ଦେଖା କରିବାକୁ ଆସିଥିଲେ। ହେଲେ ତାଙ୍କ ସହ ଦେଖା ନ ହୋଇପାରିବାରୁ ସେ ତାଙ୍କ ଘର ବାହାରେ ହିଁ ପେଟ୍ରୋଲ୍‌ ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଏ ବିଷୟରେ ଜାଣିବା ପରେ ୟଶ୍‌ ରବିଙ୍କୁ ଦେଖା କରିବା ପାଇଁ ହସ୍ପିଟାଲ୍‌ ଯାଇଥିଲେ ହେଲେ ସେତବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ବଲିଉଡ୍‌ରେ ବିଗ୍‌ ବି'ଙ୍କ ୫୦ ବର୍ଷ: ୨୦୧୯ରେ ଅମିତାଭ ବଚ୍ଚନ ବଲିଉଡ୍‌ରେ ୫୦ ବର୍ଷ ପୂରଣ କରିଛନ୍ତି। ୧୯୬୯ ମସିହା ନଭେମ୍ବର ୭ରେ ତାଙ୍କର ଡେବ୍ୟୁ ଫିଲ୍ମ ‘ସାତ୍ ହିନ୍ଦୁସ୍ତାନୀ’ ରିଲିଜ୍ ହୋଇଥିଲା। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ନ୍ୟୁକମର୍‌ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ। ସେଦିନର ଯାତ୍ରା ଆଜି ଯାଏ ଜାରି ରହିଛି। ତାଙ୍କ ଅଭିନୟ କ୍ୟାରିୟର ଭିତରେ ଅନେକ ସୁପର୍‌ଷ୍ଟାର ଆସିଛନ୍ତି, କିନ୍ତୁ ତାଙ୍କ ଷ୍ଟାର୍‌ଡମ୍ ଆଜି ଯାଏ ମଳିନ ପଡ଼ିନି। ଏବକାର ଅନେକ ବଡ଼ ବଡ଼ ଷ୍ଟାର୍ ବି ତାଙ୍କ ଆଗରେ ଫିକା ପଡ଼ି ଯା’ନ୍ତି। ଏବେବି ତାଙ୍କ ହାତରେ ରହିଛି ଗଦା ଗଦା ଅଫର୍।

‘ବୁର୍ଜ ଖଲିଫା’ରେ ଶାହାରୁଖଙ୍କ ନାଁ: ବଲିଉଡ୍ ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ଙ୍କ ୫୪ତମ ଜନ୍ମଦିନ ଅବସରରେ ବିଶ୍ୱର ସବୁଠୁ ଉଚ୍ଚା ବିଲ୍ଡିଂ ‘ବୁର୍ଜ ଖଲିଫା’ ଜରିଆରେ ଦୁବାଇବାସୀ କିଙ୍ଗ୍‌ ଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲା। ଲାଇଟ୍ ଶୋ’ ମାଧ୍ୟମରେ  ‘ବୁର୍ଜ ଖଳିଫା’ରେ ଶାହାରୁଖ୍‌ଙ୍କ ନାଁ ଲେଖାଯାଇଥିଲା। ଶାହାରୁଖ୍‌ ହେଉଛନ୍ତି ପ୍ରଥମ ବଲିଉଡ୍‌ ଅଭିନେତା, ଯାହାଙ୍କୁ ‘ବୁର୍ଜ ଖଲିଫା’ ଜରିଆରେ ଜନ୍ମଦିନ ଶୁଭେଚ୍ଛା ଜଣାଯାଇଥିଲା।

ବଲିଉଡ୍‌ରେ ଓଡ଼ିଆ ଝିଅ: ଚଳିତ ବର୍ଷ ନଭେମ୍ବର ୧୫ରେ ରିଲିଜ୍ ହୋଇଥିବା ବଲିଉଡ୍‌ ଫିଲ୍ମ ‘ମୋତିଚୂର୍‌ ଚକ୍‌ନାଚୂର୍‌’ରେ ନିର୍ଦ୍ଦେଶନା ଦେଇଥିଲେ ଓଡ଼ିଆ ଝିଅ ଦେବମିତ୍ରା ବିଶ୍ୱାଳ। କମେଡି ଓ ଡ୍ରାମା ଥିବା ଏହି ଫିଲ୍ମରେ ନବାଜୁଦ୍ଦିନ୍‌ ସିଦ୍ଦିକ୍‌ ଓ ଅଥିୟା ଶେଟ୍ଟୀ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଦେବମିତ୍ରାଙ୍କ ଘର ଭୁବନେଶ୍ୱରରେ।

ଉପସ୍ଥାପନା: ଚିନ୍ମୟୀ ରୟ, ପୁଷ୍ମାଞ୍ଜଳୀ ପଣ୍ଡା

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos