aamir
ମୁମ୍ୱାଇ : ସୋଶାଲ ମିଡିଆରେ ଟ୍ରୋଲିଂର ଶିକାର ହୋଇଛନ୍ତି ବଲିଉଡ୍ ଅଭିନେତା ଆମିର୍ ଖାନ୍। ତୁର୍କୀକୁ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ର ଶୁଟିଂ କରିବାକୁ ନେଇ ଆମିରଙ୍କୁ ଟ୍ରୋଲ କରାଯାଇଛି।
ସୂଚନା ଅନୁସାରେ, ରବିବାର ଫିଲ୍ମ ଶୁଟିଂ ପାଇଁ ଆମିର ତୁର୍କୀରେ ପହଞ୍ଚିଥିଲେ ଏବଂ ସେଠାରେ ତୁର୍କୀ ରାଜଧାନୀ ଇସ୍ତାନ୍ବୁଲ୍ ସ୍ଥିତ ରାଷ୍ଟ୍ରପତି ଭବନ ହୁବେର୍ ମେନସନ୍ରେ ରାଷ୍ଟ୍ରପତିଙ୍କ ସ୍ତ୍ରୀ ଏମିନି ଏର୍ଦୋଗାନ୍ଙ୍କ ସହିତ ସାକ୍ଷାତ କରିଥିଲେ। ଆମିର୍ଙ୍କ ସହ ହୋଇଥିବା ସାକ୍ଷାତକାରକୁ ରାଷ୍ଟ୍ରପତିଙ୍କ ସ୍ତ୍ରୀ ଏମିନି ତାଙ୍କ ସୋଶାଲ ମିଡିଆ ପେଜ୍ରେ ଶେଆର୍ କରିଥିଲେ। ଯାହାକୁ ନେଇ ଆମିର୍ଙ୍କୁ ସମାଲୋଚନା କରାଯାଇଛି।
ତେବେ ତୁର୍କୀ ରାଷ୍ଟ୍ରପତି ସ୍ତ୍ରୀଙ୍କ ସହ ଫଟୋ ଉଠାଇବା ପରେ ଆମିର ଟ୍ରୋଲ ହେବାର କାରଣ ହେଉଛି, ଜମ୍ମୁ-କଶ୍ମୀରରେ ୩୭୦ ଧାରା ଇଠାଇବା ପ୍ରସଙ୍ଗକୁ ତୁର୍କୀ ରାଷ୍ଟ୍ରପତି ବିରୋଧ କରି ବୟାନ୍ ଦେଇଥିଲେ। ତେଣୁ ସୋଶାଲ ମିଡିଆରେ ୟୁଜର ଆମିରଙ୍କର ଏହି ଫଟୋକୁ ନାପସନ୍ଦ କରିଛନ୍ତି।
କେବଳ ଏତିକି ନୁହେଁ, ୨୦୧୮ ମସିହାରେ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଭାରତ ଗସ୍ତକୁ ୟୁଜର ଏହି ଘଟଣା ସହିତ ଯୋଡ଼ିଛନ୍ତି। ଭାରତ ଗସ୍ତ ସମୟରେ ବେଞ୍ଜାମିନ୍ ଅନେକ ବଡ଼ ବଡ଼ ହସ୍ତୀଙ୍କ ସହ ସାକ୍ଷାତକାର କରିଥିଲେ କିନ୍ତୁ ଶାହରୁଖ୍ ଖାନ୍, ସଲମାନ୍ ଖାନ୍ ଓ ଆମିର ଖାନ୍ ତାଙ୍କୁ ଦେଖା କରିବା ପାଇଁ ମନା କରିଦେଇଥିଲେ।
ସୋଶାଲ ମିଡିଆ ୟୁଜରଙ୍କ କହିବା ଅନୁସାରେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଇସ୍ରାଏଲ ଭାରତର ସାଥ୍ ଦେଇଆସିଛି। ସେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଆମିର୍ ଖାନ୍ ଦେଖା କରିବାକୁ ମନା କରିଦେଇଥିଲେ। ହେଲେ ତୁର୍କୀର ପ୍ରଥମ ମହିଳାଙ୍କ ଆତିଥ୍ୟ ଲାଭ କରି ଖୁସି କିପରି ଅଛନ୍ତି। ତେଣୁ ଏହାକୁ ନେଇ ୟୁଜର ଆମିରଙ୍କୁ ଓଲଟାସିଧା କମେଣ୍ଟ କରିଛନ୍ତି।
ସୋଶାଲ ମିଡିଆରେ ଟ୍ରୋଲ ହେବା ଆମିରଙ୍କ ପାଇଁ ନୂଆ ନୁହେଁ, ପୂର୍ବରୁ ମଧ୍ୟ ବଲିଉଡ୍ ଅଭିନେତା ଆମିର୍ ଖାନ୍ କଟ୍ଟର ହିନ୍ଦୁବାଦୀ ସଂଗଠନର ଟାର୍ଗେଟ୍ରେ ରହିଆସିଛନ୍ତି। ୨୦୧୫ରେ ତାଙ୍କର ଅସହିଷ୍ଣୁତା ବିରୋଧୀ ବୟାନ୍ ସାରା ଦେଶରେ ବିବାଦୀୟ ହୋଇପଡ଼ିଥିଲା। ସେହିପରି ତାଙ୍କ ଫିଲ୍ମ ‘ପିକେ’କୁ ହିନ୍ଦୁବାଦୀ ସଂଗଠନ ବିରୋଧ କରିଥିଲା।
ସୂଚନାଯୋଗ୍ୟ, କରୋନା ଯୋଗୁଁ ଆମିରଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ର ଶୁଟିଂକୁ ବନ୍ଦ କରାଯାଇଥିଲା। ଫିଲ୍ମରେ ଆମିର ଖାନଙ୍କ ବ୍ୟତୀତ କରିନା କପୁର ଖାନ୍ ମଧ୍ୟ କାମ କରୁଛନ୍ତି। ‘ଲାଲ ସିଂହ ଚଡ୍ଡା’ ହେଉଛି ଆମେରିକୀୟ ଅଭିନେତା ଟମ୍ ହ୍ୟାଙ୍କସ୍ଙ୍କ ଲୋକପ୍ରିୟ ହଲିଉଡ୍ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/aamir-1.jpg)