/odisha-reporter/media/media_files/2026/02/16/rajpal-2026-02-16-16-01-58.jpg)
ରାଜପାଲ ଯାଦବ (ଫାଇଲ ଫଟୋ)
ଫେବୃଆରୀ ୫ରୁ ଜେଲରେ ଥିବା ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ଶେଷରେ ଜାମିନ ମିଳିଛି। ଚେକ ବାଉନ୍ସ ମାମଲାରେ ତିହାର ଜେଲ(Tihar Jail)ରେ ଥିବା ରାଜପାଲଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟ ଜାମିନ ଦେଇଛନ୍ତି। ୯ କୋଟିର ଚେକ ବାଉନ୍ସ ମାମଲାରେ ଜେଲ ଯାଇଥିବା ରାଜପାଲ ୨.୫ କୋଟି ଟଙ୍କା ଜମା କରିବା ପରେ ଏପରି ଜାମିନ ପାଇଛନ୍ତି।
ଆଜି ସେ କୋର୍ଟରେ ୧.୭୫ କୋଟି ଟଙ୍କା ଜମା କରିଛନ୍ତି। ଏହାପୂର୍ବରୁ ସେ ୯ କୋଟିର ଋଣ ପରିଶୋଧ କରିବାକୁ ୭୫ ଲକ୍ଷ ଟଙ୍କା ଜମା କରିଥିଲେ। ୯ କୋଟିରୁ ସେ ବର୍ତ୍ତମାନ ସୁଦ୍ଧା ୨.୫ କୋଟି ଜମା କରିଥିବାରୁ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।
ତେବେ ଦିଲ୍ଲୀ ହାକୋର୍ଟ ମାର୍ଚ୍ଚ ୧୮ରେ ହେବାକୁ ଥିବା ଶୁଣାଣି ସମୟରେ ରାଜପାଲଙ୍କ ଉପସ୍ଥିତ ରହିବାକୁ କହିଛନ୍ତି। ରାଜପାଲ ଶାରିରୀକ କିମ୍ବା ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ଉପସ୍ଥିତ ରହିବ। ହାଇକୋର୍ଟ ରାଜପାଲଙ୍କୁ ନିଜ ପାସପୋର୍ଟ ଜମା କରିବାକୁ କହିଛନ୍ତି। ଏଥିସହ କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ସେ ଯାଇ ପାରିବେ ନାହିଁ ବୋଲି ଜାମିନ ସର୍ତ୍ତରେ କୋର୍ଟ ଉଲ୍ଲେଖ କରିଛନ୍ତି।
ଚେକ ବାଉନ୍ସ ମାମଲାରେ ଜେଲରେ ଥିବା ରାଜପାଲ ଯାଦବଙ୍କ ଜାମିନ ଆବେଦନର ଶୁଣାଣି ପ୍ରଥମେ ଫେବୃଆରୀ ୧୨ରେ ହେବାର ଥିଲା। କିନ୍ତୁ ଦିଲ୍ଲୀ ହାଇକୋର୍ଟ ଏହାକୁ ସୋମବାର ଯାଏ ଅର୍ଥାତ ଫେବୃଆରୀ ୧୬ ଯାଏ ଘୁଞ୍ଚାଇ ଦେଇଥିଲେ। ଆଜି ଶୁଣାଣି ବେଳେ ରାଜପାଲ କିଛି ପରିମାଣର ଟଙ୍କା ଜମା କରିବାରୁ ତାଙ୍କୁ ଜାମିନ ମିଳିଛି। ସେହିପରି ସେ ଋଣ କରିଥିବା କମ୍ପାନୀ ମଧ୍ୟ ରାଜପାଲଙ୍କ ଜାମିନ ଆବେଦନକୁ ବିରୋଧ କରି ନଥିଲା।
୨୦୧୦ରେ ରାଜପାଲ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ 'ଅତା ପତା ଲାପତା'ପାଇଁ ଦିଲ୍ଲୀର ଏକ କମ୍ପାନୀ 'ମୁରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍' ଠାରୁ ପ୍ରାୟ ୫ କୋଟି ଟଙ୍କା ଋଣ ନେଇଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ଫଳରେ ସେ ଋଣ ଟଙ୍କା ସୁଝିପାରି ନଥିଲେ। ଋଣ ପରିଶୋଧ ପାଇଁ ସେ ଦେଇଥିବା ଅନେକ ଚେକ୍ ବାଉନ୍ସ ହୋଇଯାଇଥିଲା । ପରେ କମ୍ପାନୀ ଯାଇଥିଲା କୋର୍ଟ। ୨୦୧୮ରେ ମାଜିଷ୍ଟ୍ରେଟ୍ କୋର୍ଟ ରାଜପାଲ ଓ ତାଙ୍କ ପତ୍ନୀଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ୍ ଦଣ୍ଡ ଶୁଣାଇଥିଲେ। ସେତେବେଳେ ସେ କିଛି ଦିନ ଜେଲ୍ରେ ରହିବା ପରେ ହାଇକୋର୍ଟରୁ ଜାମିନ ପାଇଥିଲେ।
ତେବେ ଦୀର୍ଘ ବର୍ଷ ଧରି ମାମଲା ଚାଲିବା ଓ ଟଙ୍କା ଫେରସ୍ତ ନକରିବା ଯୋଗୁ ସୁଧ ସହ ମୋଟ ବାକି ଟଙ୍କା ପ୍ରାୟ ୯ କୋଟିରେ ପହଂଚିଥିଲା। କୋର୍ଟ ଅନେକ ସୁଯୋଗ ଦେଇଥିଲେ ମଧ୍ୟ ରାଜପାଲ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରିବାରେ ବିଫଳ ହୋଇଥିଲେ। ଶେଷରେ ୪ ଫେବୃଆରୀ ୨୦୨୬ରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଆଉ ଅଧିକ ସମୟ ଦେବାକୁ ମନା କରିଦେଇଥିଲେ ଏବଂ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦିନକ ପରେ ସେ ତିହାର ଜେଲରେ ଆତ୍ମସମର୍ପଣ କରିଥିଲେ।
ଏହି ଖବର ପ୍ରଚାର ହେବା ପରେ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ ବଡ଼ବଡ଼ କଳାକାର ତାଙ୍କୁ ଆର୍ଥିକ ସହାୟତା କରିବାକୁ ଆଗେଇ ଆସିଛନ୍ତି। ଏମାନଙ୍କ ମଧ୍ୟରେ ସଲମାନ ଖାନ, ଅଜୟ ଦେବଗାନ, ସୋନୁ ସୁଦ ଓ ବରୁଣ ଧୱନଙ୍କ ଭଳି କଳାକାର ରହିଛନ୍ତି। ଏହାବାଦ ଜେମଟ୍ୟୁନ୍ସ ମ୍ୟୁଜିକର ମାଲିକ ସଂଗୀତ ପ୍ରଯୋଜକ ରାଓ ଇନ୍ଦ୍ରଜିତ ସିଂହ ଯାଦବ। ରାଜପାଲଙ୍କୁ ଋଣ ମୁକ୍ତ କରିବା ପାଇଁ ସେ ୧.୧କୋଟି ଟଙ୍କା ପ୍ରଦାନ କରିଛନ୍ତି।
ଅଭିନେତା ଗୁରମିତ୍ ଚୌଧୁରୀ ମଧ୍ୟ ଏହି ଧାରାରେ ଯୋଡ଼ି ହୋଇ ହାସ୍ୟ କଳାକାରଙ୍କ ପାଇଁ ସାହାଯ୍ୟ ମାଗିଛନ୍ତି। ପଲ୍ଟିସିଆନ ତେଜ୍ ପ୍ରତାପ ଯାଦବ ୧୧ ଲକ୍ଷ ପ୍ରଦାନ କରିଥିବା ବେଳେ ସିନେ ସମୀକ୍ଷକ କମଲ ଆର ଖାନ ମଧ୍ୟ ୧୦ଲକ୍ଷର ସହାୟତା ରାଶି ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
