୨୦୨୪ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବଲିଉଡ୍ ଅଭିନେତ୍ରୀ ନେହା ଶର୍ମା। ତାଙ୍କ ବାପା ତଥା କଂଗ୍ରେସ ବିଧାୟକ ଅଜିତ ଶର୍ମା ଦେଇଛନ୍ତି ଏହି ସଙ୍କେତ। ବିହାର ବିଧାନସଭାରେ ଭାଗଲପୁରରୁ ବିଧାୟକ ଅଛନ୍ତି ଅଜିତ ଶର୍ମା।
ସେ କହିଛନ୍ତି ଯେ ମେଣ୍ଟ ସହିତ ଆସନ ବୁଝମଣା ବେଳେ ଯଦି କଂଗ୍ରେସ ଭାଗଲପୁର ଲୋକସଭା ଆସନ ପାଇବ, ତା’ହେଲେ ସେଠାରେ ସେ ତାଙ୍କ ଝିଅ ନେହା ଶର୍ମାଙ୍କୁ ପ୍ରାର୍ଥୀ କରିବା ପାଇଁ ଚାହିଁବେ।
ଅଜିତ ଶର୍ମା କହିଛନ୍ତି, କଂଗ୍ରେସକୁ ଭାଗଲପୁର ଆସନ ମିଳିବା ଉଚିତ। ଆମେ ସେଠାରେ ଲଢ଼ିବୁ ଓ ଜିତିବୁ। ଯଦି କଂଗ୍ରେସ ଭାଗଲପୁର ଆସନ ପାଏ, ତା’ହେଲେ ମୁଁ ମୋ ଝିଅ ନେହା ଶର୍ମାଭ୍କୁ ପ୍ରାର୍ଥୀ କରିବାକୁ ଚାହିଁବି। ମୁଁ ଏବେ ବିଧାୟକ ଅଛି। ତେଣୁ ମୁଁ ନିଜେ ଲଢ଼ିବି ନାହିଁ। କିନ୍ତୁ ଯଦି ଦଳ କହିବ, ତା’ହେଲେ ମୁଁ ଲଢ଼ିବି।
ସେ ଆହୁରି କହିଛନ୍ତି, ଏଥର ଆମେ ବିହାରରେ NDAକୁ ମୂଳପୋଛ କରି ଦେବୁ। ନରେନ୍ଦ୍ର ମୋଦିଙ୍କୁ କ୍ଷମତାଚ୍ୟୁତ କରିବାର ଦାୟିତ୍ୱ ଏଥର ବିହାର ନେବ।
ନେହା ଶର୍ମାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ ହୋଇଥିଲା ୨୦୦୭ରେ ତେଲୁଗୁ ଫିଲ୍ମ ‘ଚିରୁଥା’ରୁ। ଏଥିରେ ସେ ରାମ ଚରଣଙ୍କ ସହିତ ଅଭିନୟ କରିଥିଲେ। ୨୦୦୯ରେ ତାଙ୍କର ଆଉ ଏକ ତେଲୁଗୁ ଫିଲ୍ମ ଆସିଥିଲା। ଏହାର ନାଁ ଥିଲା କୁରାଡୁ। ୨୦୧୦ରେ ସେ ହିନ୍ଦୀ ଫିଲ୍ମରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ଥିଲା ‘କ୍ରୁକ୍’। ଏଥିରେ ସେ ଇମ୍ରାନ ହାଶମୀଙ୍କ ସହିତ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ମଧ୍ୟରେ ରହିଛି କ୍ୟା ସୁପର କୁଲ୍ ହେଁ ହମ୍, ଜୟନ୍ତଭାଇ କୀ ଲଭ୍ ଷ୍ଟୋରୀ, ୟମଲା ପଗଲା ଦୀୱାନା ୨, ୟଙ୍ଗିସ୍ତାନ, ତୁମ ବିନ୍ ୨ ଓ ତାନାଜୀ।
ସୋଶାଲ ମିଡିଆରେ ନେହା ଖୁବ୍ ପପୁଲାର। ତାଙ୍କର ଟ୍ରାଭେଲ କଣ୍ଟେଣ୍ଟ ପାଇଁ ସେ ସୋଶାଲ ମିଡିଆରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ଇନ୍ଷ୍ଟାଗ୍ରାମରେ ତାଙ୍କର ୨୧ ମିଲିୟନ ଫୋଲୋଅର ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।