/odisha-reporter/media/media_files/2026/02/17/rajpal-2026-02-17-17-16-43.jpg)
ରାଜପାଲ ଯାଦବ
ଚେକ ବାଉନ୍ସ ମାମଲାରେ ତିହାର ଜେଲ( Tihar Jail)ରେ ଥିବା ବଲିଉଡ ଅଭିନେତା ରାଜପାଲ ଯାଦବ ଏବେ ମୁକ୍ତ। ସୋମବାର ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ଦେଇଥିବା ବେଳେ ଆଜି ସେ ଜେଲରୁ ମୁକୁଳିଛନ୍ତି। ୯ କୋଟି ଟଙ୍କା କରଜ କରି ଏହାକୁ ଶୁଝି ନ ପାରିବାରୁ ଫେବୃଆରୀ ୫ରୁ ଜେଲରେ ଥିଲେ ରାଜପାଲ। ସେ ଜେଲ ଯିବା ପରେ ପୂରା ଦେଶରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା।
ରାଜପାଲଙ୍କୁ କୋର୍ଟରୁ ଅନ୍ତରୀଣ ଆଶ୍ୱସ୍ତି ମିଳିଥିବା ବେଳେ ତାଙ୍କୁ ୨୦୧୦ରେ ୫ କୋଟି ଟଙ୍କା ଋଣ ଆକାରରେ ଦେଇଥିବା ବ୍ୟବସାୟୀ ମୁହଁ ଖୋଲିଛନ୍ତି। ରାଜପାଲ ୨୦୧୨ରେ ରିଲିଜ ହୋଇଥିବା ନିଜ ଫିଲ୍ମ ଆତା ପତା ଲାପତା ପାଇଁ ଏହି ଋଣ କରିଥିଲେ। ଏବେ ସୁଧ ଓ ମୂଳକୁ ମିଶାଇ ମୋଟ ଟଙ୍କାର ପରିମାଣର ୯ କୋଟି ହୋଇଯାଇଛି। ଏଯାଏ ପୂରା ଘଟଣାରେ ଋଣ ଦେଇଥିବା ବ୍ୟବସାୟୀ ନିରବତା ଅବଲମ୍ବନ କରିଥିଲେ। କିନ୍ତୁ ଏବେ ସେ ମୁହଁ ଖୋଲିଛନ୍ତି।
ଗୋଟିଏ ସାକ୍ଷାତକାରରେ ବ୍ୟବସାୟୀ ମାଧବ ଗୋପାଲ ଅଗ୍ରୱାଲ କେମିତି ରାଜପାଲଙ୍କୁ ଭେଟିଲେ? କେମିତି ତାଙ୍କୁ ୫ କୋଟି ଋଣ ଦେଲେ? ଗୋଟିଏ ଦଶନ୍ଧି ଧରି କ’ଣ ସବୁ ଘଟିଥିଲା, ସେ ବିଷୟରେ ବିସ୍ତୃତ ତଥ୍ୟ ଦେଇଛନ୍ତି।
ରାଜପାଲ ଯାଦବଙ୍କୁ ଋଣ ଦେଇଥିବା ମୁରଲୀ ପ୍ରୋଜେକ୍ଟ୍ସ ପ୍ରାଇଭେଟ ଲିଃର ମାଧବ ଗୋପାଳ ଅଗ୍ରୱାଲ କହିଛନ୍ତି ଯେ ସାଂସଦ ମିଥିଲେଶ କୁମାର କଟେରିଆଙ୍କ ଜରିଆରେ ସେ ରାଜପାଲ ଯାଦବଙ୍କୁ ଭେଟିଥିଲେ। ଏହି ସମୟରେ ରାଜପାଲ ଯାଦବ ତାଙ୍କୁ କହିଥିଲେ ଯେ ତାଙ୍କ ଫିଲ୍ମ ଆତା ପତା ଲାପତା ଶେଷ ପର୍ଯ୍ୟାୟରେ ରହିଛି। ଯଦି ସେ ଆବଶ୍ୟକ ପାଣ୍ଠି ଯୋଗାଡ଼ କରିପାରିବେ ନାହିଁ, ତା’ହେଲେ ସବୁ ପରିଶ୍ରମ ପାଣିରେ ପଡ଼ିବ। ଏହା ଶୁଣି ମାଧବ ଅଗ୍ରୱାଲ ୫ କୋଟି ଟଙ୍କା ଦେଇଥିଲେ।
ପ୍ରାରମ୍ଭିକ ଦିନଗୁଡ଼ିକରେ ମାଧବ ଗୋପାଳ ଅଗ୍ରୱାଲ ନିୟମିତ ରାଜପାଲ ଯାଦବଙ୍କ ଘରକୁ ଯାଇ ତାଙ୍କ ଆଗରେ ଛୋଟ ପିଲାଙ୍କ ଭଳି କାନ୍ଦୁ ଥିଲେ। କାରଣ ସେ ତାଙ୍କୁ ଦେଇଥିବା ଟଙ୍କା ଅନ୍ୟମାନଙ୍କ ଠାରୁ ଋଣ କରି ଆଣିଥିଲେ। ଟଙ୍କା ଫେରସ୍ତ ପାଇବା ପାଇଁ ତାଙ୍କୁ ରାଜପାଲଙ୍କ ଆଗରେ କାନ୍ଦିବାକୁ ପଡ଼ିଥିଲା। ରାଜପାଲ ଯାଦବଙ୍କୁ ସେ ଟଙ୍କା ଫେରାଇବା ତାରିଖ ସ୍ଥିର କରିବାକୁ ବାରମ୍ବାର ଅନୁରୋଧ କରିଥିଲେ।
ମାଧବ ଅଗ୍ରୱାଲଙ୍କ କହିବା କଥା ଯେ ଋଣ ପାଇଁ ହୋଇଥିବା ବୁଝାମଣାରେ ସ୍ପଷ୍ଟ ଭାବେ ଲେଖାଥିଲା ଯେ ଫିଲ୍ମର ସଫଳତା, ସେନସନର ପ୍ରମାଣପତ୍ର କିମ୍ବା ଅନ୍ୟ କୌଣସି ପ୍ରସଙ୍ଗର ପ୍ରଭାବ ଟଙ୍କା ଉପରେ ପଡ଼ିବ ନାହିଁ। ଅର୍ଥାତ ଫିଲ୍ମ ଫ୍ଲପ ହେଲେ ବି ଧାର୍ଯ୍ୟ ତାରିଖରେ ରାଜପାଲ ଯାଦବ ଟଙ୍କା ଫେରାଇବେ। ସମୟ ଅନୁସାରେ ରାଜପାଲ ଯାଦବ ଟଙ୍କା ଫେରାଇବାର ଗ୍ୟାରେଣ୍ଟୀ ଦେଇଥିଲେ।
ମାଧବ କେବଳ ଋଣ ଦେଇଥିଲେ। ଏହା କୌଣସି ନିବେଶ ନଥିଲା। ତଥାପି ଠିକଣା ସମୟରେ ମାଧବ ଗୋପାଳ ଅଗ୍ରୱାଲ ଟଙ୍କା ନ ପାଇବାରୁ ରାଜପାଲ ଯାଦବଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ଟଙ୍କା ନଥିବାରୁ ସେ ଆଉ କିଛି ସମୟ ମାଗିଥିଲେ। ଏଥିଯୋଗୁ ପୁଣି ୩ ଥର ଅତିରିକ୍ତ ଚୁକ୍ତି ହୋଇଥିଲା ଓ ନୂଆ ଚେକ ମଧ୍ୟ ମିଳିଥିଲା।
ଯେତେବେଳେ ମେଗାଷ୍ଟାର ଅମିତାଭ ବଚ୍ଚନ ଗୋଟିଏ କାର୍ଯ୍ୟକ୍ରମରେ ଫିଲ୍ମର ଗୀତ ଲଞ୍ଚ କରିଥିଲେ ସେତେବେଳେ ମାଧବ ଗୋପାଳ ଅଗ୍ରୱାଲ ଜାଣିବାକୁ ପାଇଥିଲେ ଯେ ବୁଝାମଣା ଅନୁସାରେ ଫିଲ୍ମ ଶେଷ ହେବା ପରେ ହିଁ ଏହାର ନେଗେଟିଭ ଓ ଟଙ୍କା ଦେବାର ଥିଲା। ହେଲେ ତାଙ୍କୁ କୌଣସି ସୂଚନା ନ ମିଳିବାରୁ ସେ ଫିଲ୍ମର ରିଲିଜ ଉପରେ ରୋକ ଲଗାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ରାଜପାଲ ଯାଦବ କହିଥିଲେ ଯେ ଫିଲ୍ମ ରିଲିଜ ନ ହେବା ଯାଏ ସେ ଟଙ୍କା ଫେରାଇ ପାରିବେ ନାହିଁ। ତେଣୁ ମାଧବ ଗୋପାଳ ଅଗ୍ରୱାଲ ଗୋଟିଏ ବୁଝାମଣା ଅନୁସାରେ ଆଗକୁ ବଢ଼ିଥିଲେ ଓ ଫିଲ୍ମ ରିଲିଜ ଉପରେ ରୋକ ହଟାଇଥିଲେ। କିନ୍ତୁ ଫିଲ୍ମ ଫ୍ଲପ ହୋଇଥିଲା।
୨୦୧୩ରେ ତାଙ୍କୁ କୌଣସି ପ୍ରକାରର ଟଙ୍କା ନ ମିଳିବାରୁ ବ୍ୟବସାୟୀ ଜଣଙ୍କ ପୁଣି କୋର୍ଟକୁ ଯାଇଥିଲେ। କୋର୍ଟଙ୍କ ହସ୍ତକ୍ଷେପ ପରେ ୧୦.୪୦ କୋଟି ଟଙ୍କା ଫେରସ୍ତ ପାଇଁ ବୁଝାମଣା ହୋଇଥିଲା। ରାଜପାଲ ଯାଦବ ଏକାଧିକ ଚେକ ଜମା କରିଥିଲେ ହେଁ ସବୁ ବାଉନ୍ସ ହୋଇଥିଲା।
ଶେଷରେ ମାମଲାକୁ ନେଇ ବିବାଦ ବଢ଼ିଥିଲା। ମାଧବଙ୍କ କହିବା କଥା ଯେ ସେ ଜଣେ ବ୍ୟବସାୟୀ। ତେଣୁ ସେ ତାଙ୍କ ଟଙ୍କା ଯେକୌଣସି ପରିସ୍ଥିତିରେ ପାଇବାକୁ ଚାହୁଁଛନ୍ତି।
ସେହିପରି ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଯେତେବେଳେ ଟଙ୍କା ଦେବାକୁ ମନ କରିଥିଲେ ସେତେବେଳେ ରାଜପାଲ ଯାଦବଙ୍କ ପତ୍ନୀ ରାଧା ତାଙ୍କୁ ବେଶ ଦୁଃଖର ସହ ମେସେଜ କରି ଟଙ୍କା ମାଗିଥିଲେ। ରାଧାରଙ୍କ ଅନୁରୋଧ ଯୋଗୁ ସେ ରାଜପାଲ ଯାଦବଙ୍କୁ ସହଯୋଗ କରିଥିଲେ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
