ଆଶା ପାରେଖଙ୍କୁ ଫାଲକେ ଆୱାର୍ଡ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତ୍ରୀ ଆଶା ପାରେଖ ପାଇବେ ଦାଦା ସାହେବ ଫାଲକେ ଆୱାର୍ଡ। ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ଆୱାର୍ଡରେ ଚଳିତ ବର୍ଷ ଆଶା ପାରେଖଙ୍କୁ ସମ୍ମାନିତ କରାଯିବ। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଅତୁଳନୀୟ ଅବଦାନ ପାଇଁ ୭୯ ବର୍ଷୀୟ ଆଶାଙ୍କୁ ଏହି ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରାଯିବା ପାଇଁ ମନୋନୀତ କରାଯାଇଛି। ୨୦୨୦ ବର୍ଷ ପାଇଁ ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ଦିଆଯିବ। ୧୯୯୨ରେ ଅଶାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ […]

Asha Parekh

Asha Parekh

Madhupriya Mistry
  • Published: Tuesday, 27 September 2022
  • Updated: 27 September 2022, 01:56 PM IST

Sports

Latest News

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତ୍ରୀ ଆଶା ପାରେଖ ପାଇବେ ଦାଦା ସାହେବ ଫାଲକେ ଆୱାର୍ଡ। ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ଆୱାର୍ଡରେ ଚଳିତ ବର୍ଷ ଆଶା ପାରେଖଙ୍କୁ ସମ୍ମାନିତ କରାଯିବ।

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଅତୁଳନୀୟ ଅବଦାନ ପାଇଁ ୭୯ ବର୍ଷୀୟ ଆଶାଙ୍କୁ ଏହି ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରାଯିବା ପାଇଁ ମନୋନୀତ କରାଯାଇଛି। ୨୦୨୦ ବର୍ଷ ପାଇଁ ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ଦିଆଯିବ। ୧୯୯୨ରେ ଅଶାଙ୍କୁ 'ପଦ୍ମଶ୍ରୀ' ସମ୍ମାନରେ ସମ୍ମାନିତ କରାଯାଇଥିଲା।

୨୨ ବର୍ଷ ପରେ ପ୍ରଥମ ଥର କୌଣସି ମହିଳାଙ୍କୁ ଏହି ସମ୍ମାନ ମିଳିବାକୁ ଯାଉଛି। ଆଶା ପାରେଖ ନିଜର ୬୯ ବର୍ଷର ଫିଲ୍ମ କ୍ୟାରିୟର୍‌ରେ ୮୦ରୁ ଅଧିକ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ୧୯୯୯ରେ ଆଶାଙ୍କୁ ଶେଷଥର ପାଇଁ 'ସର୍‌ ଆଖୋଁ ପର୍‌' ଫିଲ୍ମରେ ଦେଖିବାକୁ ମିଳିଥିଲା।

ଏହାପୂର୍ବରୁ ୨୦୧୯ ବର୍ଷ ପାଇଁ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯାଇଥିଲା।

https://twitter.com/ANI/status/1574663389187833856?s=20&t=SMdNkUuW8EQkQWXQv6u8Lw

ଶିଶୁ କଳାକାର ଭାବେ ଆରମ୍ଭ କରିଥିଲେ କ୍ୟାରିୟର

ଶିଶୁ କଳାକାର ଭାବେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଆଶା ପାରେଖ। ୧୯୫୨ରେ ୧୦ ବର୍ଷ ବୟସରେ ବିମଳ ରୟଙ୍କ ଫିଲ୍ମ ମା’ରେ ସେ ପ୍ରଥମେ ଅଭିନୟ କରିଥିଲେ। ସେ ୫ରୁ ଅଧିକ ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ।

୧୯୫୯ରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଦିଲ୍ ଦେକେ ଦେଖୋ’। ସ୍ୱର୍ଗତ ପ୍ରଯୋଜକ ଓ ନିର୍ଦ୍ଦେଶକ ନାସିର ହୁସେନଙ୍କ ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଆସିଥିଲେ ଆଶା। ଏହା ଥିଲା ତାଙ୍କ ଡେବ୍ୟୁ ଫିଲ୍ମ। ମାତ୍ର ୧୭ ବର୍ଷ ବୟସରେ ସେ ଏହି ଫିଲ୍ମ କରିଥିଲେ। ଆଉ ତା’ପରେ ସେ ପଛକୁ ଚାହିଁ ଦେଖି ନଥିଲେ। ତାଙ୍କ ହାତକୁ ଆସିଥିଲା ଗୋଟିଏ ପରେ ଗୋଟିଏ ଫିଲ୍ମ।
‘ଦିଲ୍‌ ଦେକେ ଦେଖୋ’ ପରେ ସେ ନାସିର ହୁସେନଙ୍କର ଆହୁରି ୬ଟି ଫିଲ୍ମରେ ଅଭିନୟ କରିଥିଲେ। ସେହି ଫିଲ୍ମ ଗୁଡ଼ିକ ହେଉଛି- ‘ଜବ୍ ପ୍ୟାର୍ କିସି ସେ ହୋତା ହେ’, ‘ଫିର ୱହି ଦିଲ୍ ଲାୟା ହୁଁ’, ‘ତିସ୍‌ରୀ ମଞ୍ଜିଲ୍‌’, ‘ବାହାରୋଁ କେ ସପ୍‌ନେ’, ‘ପ୍ୟାର୍ କା ମୌସମ’ ଓ ‘କାରବାଁ’।

ପ୍ରଥମେ ଆଶା ପାରେଖ ଗ୍ଲାମର ଗର୍ଲର ଟ୍ୟାଗ୍ ପାଇଥିଲେ। କିନ୍ତୁ ନିର୍ଦ୍ଦେଶକ ରାଜ୍ ଖୋସଲେ ତାଙ୍କ କ୍ୟାରିୟରକୁ ଦେଇଥିଲେ ଭିନ୍ନ ମୋଡ଼। ଆଶାଙ୍କୁ ସେ ସିରିୟସ ରୋଲ୍‌ ଦେଇଥିଲେ। ଆଶାଙ୍କ ସେହିଭଳି କିଛି ଫିଲ୍ମ ମଧ୍ୟରେ ରହିଛି ‘ଦୋ ବଦନ’, ‘ଚିରାଗ୍’ ଓ ‘ମେଁ ତୁଲ୍‌ସୀ ତେରେ ଆଙ୍ଗକି’। ସେହିପରି ନିର୍ଦ୍ଦେଶକ ଶକ୍ତି ସାମନ୍ତ ତାଙ୍କୁ ଅଧିକ ଡ୍ରାମାଟିକ୍ ରୋଲ୍ ଦେଇଥିଲେ। ଆଶାଙ୍କ ଏହିଭଳି ଫିଲ୍ମ ମଧ୍ୟରେ ରହିଛି ‘ପାଗଲ୍‌ କହିଁ କା’ ଓ ‘କଟୀ ପତଙ୍ଗ’। ୧୯୭୦ରେ ରିଲିଜ୍ ହୋଇଥିବା ଫିଲ୍ମ ‘କଟୀ ପତଙ୍ଗ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ ଆଶା। ୨୦୦୨ରେ ତାଙ୍କୁ ଫିଲ୍ମ ଫେୟାର ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା। ୧୯୯୨ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ।

ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିବା ପରେ ସେ ଫିଲ୍ମରେ ପାର୍ଶ୍ୱ-ଅଭିନେତ୍ରୀ ଭାବେ ମଧ୍ୟ ଅଭିନୟ କରିଥିଲେ। ଏଭଳି ଏକ ଫିଲ୍ମ ହେଉଛି ‘କାଳିଆ’, ଯାହା ୧୯୮୧ରେ ରିଲିଜ୍ ହୋଇଥିଲା। ଏହା ହେଉଛି ଏକମାତ୍ର ଫିଲ୍ମ ଯେଉଁଥିରେ ସେ ଅମିତାଭ ବଚ୍ଚନଙ୍କ ସହିତ ସ୍କ୍ରିନ୍ ଶେୟାର କରିଥିଲେ।

ଷାଠିଏ ଓ ସତୁରୀ ଦଶକରେ ଆଶା ପାରେଖଙ୍କ ବହୁ ଫିଲ୍ମ ବ୍ୟବସାୟିକ ଦୃଷ୍ଟିକୋଣରୁ ବେଶ୍ ସଫଳ ହୋଇଥିଲା। ତାଙ୍କ ସମୟରେ ସେ ସର୍ବାଧିକ ପାରିଶ୍ରମିକ ନେଉଥିବା ହିରୋଇନ୍ ଥିଲେ। ହିନ୍ଦୀ ସିନେମାରେ ସେ ଜଣେ ପ୍ରଭାବଶାଳୀ ଅଭିନେତ୍ରୀ ବୋଲି କୁହାଯାଏ। ଫିଲ୍ମରେ ଦେବ ଆନନ୍ଦ, ଶମ୍ମି କପୁର ଓ ରାଜେଶ ଖନ୍ନାଙ୍କ ଭଳି ଅଭନେତାଙ୍କ ସହିତ ତାଙ୍କର ଯୋଡ଼ି ବେଶ୍ ଜମୁଥିଲା। ବିଜୟ ଆନନ୍ଦ ଓ ମୋହନ ସେଗଲଙ୍କ ସେମତ ଅନେକ ପ୍ରମୁଖ ନିର୍ଦ୍ଦେଶକ ଆଶାଙ୍କୁ ସେମାନଙ୍କର ଏକାଧିକ ଫିଲ୍ମରେ ନେଇଥିଲେ। ଗୁଜରାଟରେ ଜନ୍ମିତ ଆଶା ପାରେଖ ତାଙ୍କ ଗୁଜରାଟୀ ଭାଷାରେ ୩ଟି ଫିଲ୍ମ କରିଛନ୍ତି। ସେ କିଛି ପଞ୍ଜାବୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

୭୯ ବର୍ଷରେ ପଦାର୍ପଣ କରିସାରିଥିବା ଆଶା ପାରେଖ ବାହା ହୋଇନାହାନ୍ତି। ପଚାରିଲେ କହନ୍ତି ଯେ ଅଭିନେତ୍ରୀ ଭାବେ ତାଙ୍କର ପ୍ରସିଦ୍ଧି ଏଥିରେ କଣ୍ଟା ସାଜିଥିଲା। କେହି ତାଙ୍କୁ ବାହା ହେବାକୁ ପ୍ରସ୍ତାବ ଦେଇ ନଥିଲେ। ସେ ନିଜକୁ ଜନକଲ୍ୟାଣ କାର୍ଯ୍ୟରେ ନିୟୋଜିତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos