/odisha-reporter/media/media_files/2025/11/24/dharma-2025-11-24-18-18-23.jpg)
ଧର୍ମେନ୍ଦ୍ର (ଫାଇଲ ଫଟୋ)
ବଲିଉଡର କିମ୍ବଦନ୍ତୀ ଚେହେରା ଧର୍ମେନ୍ଦ୍ର ଦେଓଲ ଆଉ ନାହାନ୍ତି। ସୋମବାର ମୁମ୍ବାଇ ସ୍ଥିତି ବାସଭବନରେ ହି-ମ୍ୟାନ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ବଲିଉଡର ଏହି ମାଚୋ ମ୍ୟାନଙ୍କୁ ୮୯ ବର୍ଷ ହୋଇଥିଲା। ଫୁଲ ଅର ପଥର, ମେରା ଗାଓଁ ମେରା ଦେଶ, ଶୋଲେ, ଖାମୋଶି, ଜନ୍ନି ଗଦ୍ଦର ଓ ରିଲିଜ ଅପେକ୍ଷାରେ ଥିବା ଇକ୍କିସ ପାଇଁ ଜଣାଶୁଣା ଧର୍ମେନ୍ଦ୍ର କେବଳ ଜଣେ ଅଭିନେତା ନଥିଲେ। ଅଭିନୟ ସହ ଥିଲେ ଜଣେ ବିଚକ୍ଷଣ ବ୍ୟବସାୟୀ। ଅନେକ ଶହ କୋଟିର ମାଲିକ ଥିଲେ ଧର୍ମେନ୍ଦ୍ର। ସେ ତାଙ୍କ ପଛରେ ଅନେକ କୋଟିର ସମ୍ପତ୍ତି, ଫାର୍ମ ହାଉସ ଓ ଏକାଧିକ ଦାମୀ କାର ଛାଡ଼ି ଯାଇଛନ୍ତି।
ଗୋଟିଏ ରିପୋର୍ଟ ଅନୁସାରେ, ଧର୍ମେନ୍ଦ୍ର(Actor Dharmendra) ୩୩୫ କୋଟିରୁ ୪୦୦ କୋଟି ଟଙ୍କାର ମାଲିକ। ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ପ୍ରତିଷ୍ଠା ହାସଲ କରିବା ପରେ ସେ ହୋଟେଲ, ରେଷ୍ଟୁରାଣ୍ଟ ଓ ବାର ଭଳି କ୍ଷେତ୍ରରେ ନିବେଶ କରିଥିଲେ। ପ୍ରଥମେ ଧର୍ମେନ୍ଦ୍ର ରେଷ୍ଟୁରାଣ୍ଟ ବ୍ୟବସାୟ ଆରମ୍ଭ କରିଥିଲେ। ୨୦୧୫ରେ ଦିଲ୍ଲୀରେ ସେ ଖୋଲିଥିଲେ ଗରମ ଧମର ଢାବା। ୨୦୨୨ରେ ସେ ହି-ମ୍ୟାନ ନାମକ ରେଷ୍ଟୁରାଣ୍ଟ କର୍ଣ୍ଣାଲ ଜାତୀୟ ରାଜପଥ କଡ଼ରେ ଲଞ୍ଚ କରିଥିଲେ। ଏହାପରେ ଏକାଧିକ ବାରରେ ସେ ନିବେଶ କରିଥିଲେ।
୧୦୦ ଏକର୍ର ଫାର୍ମ ହାଉସ
ଧର୍ମେନ୍ଦ୍ର ପ୍ରାୟତଃ ମୁମ୍ବାଇରେ ପରିବାର ଲୋକଙ୍କ ସହ ରୁହନ୍ତି। ଏଥିସହ ସେ ଲୋନାଭାଲା ସ୍ଥିତ ବିରାଟ କାୟ ତଥା ବିଳାସପୂର୍ଣ୍ଣ ୧୦୦ ଏକର ବିଶିଷ୍ଟ ଫାର୍ମ ହାଉସରେ ସମୟ କାଟନ୍ତି। ଏହି ଫାର୍ମ ହାଉସଟି ମୁମ୍ବାଇର ଭିଡ଼ ଠାରୁ ଅନେକ ଦୂରରେ। ଭିଡ଼ରୁ ଦୂରେଇ ରହିବା ଉଦ୍ଦେଶ୍ୟରେ ଧର୍ମେନ୍ଦ୍ର ସେଠାକୁ ଯାଆନ୍ତି। ଉକ୍ତ ଫାର୍ମ ହାଉସରେ ସୁଇମିଂ ପୋଲ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ସୁବିଧା ରହିଛି। ପଦ୍ମ ବିଭୂଷଣ ଧର୍ମେନ୍ଦ୍ର ଫାର୍ମ ହାଉସର ସୁଇମିଂ ପୋଲରେ ଆକ୍ୱା ଥେରାପୀ ନିଅନ୍ତି।
ମହାରାଷ୍ଟ୍ରରେ ଧର୍ମେନ୍ଦ୍ରଙ୍କ ନାଁରେ ୧୭ କୋଟିର ସମ୍ପତ୍ତି ରହିଛି। ସେ ଚାଷ ଜମିରେ ୮୮ ଲକ୍ଷ ଓ ଅଣ ଚାଷ ଜମିରେ ୫୨ ଲକ୍ଷ ଟଙ୍କାର ନିବେଶ ମଧ୍ୟ କରିଛନ୍ତି। ଲୋନାଭାଲ ଫାର୍ମ ହାଉସ ନିକଟରେ ସେ ଗୋଟିଏ ବିରାଟକାୟ ରିସର୍ଟ ମଧ୍ୟ ଖୋଲିବାକୁ ଯୋଜନା କରିଥିଲେ। ଏଥିପାଇଁ ସବୁ ପ୍ରକାରର କାଗଜପତ୍ର କାମ ଶେଷ ମଧ୍ୟ ହୋଇଥିବା ଜଣାପଡ଼ିଛି। ଫାର୍ମ ହାଉସ ନିକଟ ୧୨ ଏକର ଜମିରେ ସେ ୩୦ଟି କଟେଜ ସ୍ଥିତ ରିସର୍ଟ ତିଆରି କରିବାକୁ ଲକ୍ଷ୍ୟ ରଖିଥିଲେ।
ଧର୍ମେନ୍ଦ୍ର କାର ପ୍ରେମ ସମସ୍ତଙ୍କୁ ଜଣା। ସେ ନିଜର ପ୍ରଥମ ଗାଡ଼ିକୁ ଆଜି ଯାଏ ବେଶ ଯତ୍ନର ସହ ରଖିଥିଲେ। ଭିଣ୍ଟେଜ ଫିଆତ ଠାରୁ ରେଞ୍ଜ ରୋଭର ଇଭୋକ୍ୱି ତାଙ୍କ ପାଖରେ ରହିଥିଲା। ରେଞ୍ଜ ରୋଭର ଇଭୋକ୍ୱିର ଦାମ ୮୫.୭୪ ଲକ୍ଷ ଟଙ୍କା। ଏହାବାଦ ଧର୍ମେନ୍ଦ୍ର ୯୮.୧୧ ଲକ୍ଷ ଟଙ୍କାର ଗୋଟିଏ ମର୍ସିଡିଜ ବେଞ୍ଜ ଏସଏଲ ୫୦୦ ମଧ୍ୟ ନିଜ ଗ୍ୟାରେଜରେ ରଖିଥିଲେ। ଏହାବାଦ ଆହୁରି ଅନେକ ନାମୀଦାମୀ କାରରେ ସେ ଯିବା ଆସିବା କରୁଥିଲେ।
ପ୍ରଡକ୍ସନ ହାଉସ
ଅଭିନୟ ବ୍ୟତୀତ ଧର୍ମେନ୍ଦ୍ର ନିଜକୁ ଜଣେ ପ୍ରତିଷ୍ଠିତ ପ୍ରଯୋଜକ ଭାବେ ଗଢ଼ି ତୋଳିଥିଲେ। ୧୯୮୩ରେ ସେ ତାଙ୍କ ଝିଅ ବିଜୟତାଙ୍କ ନାଁରେ ଗୋଟିଏ ପ୍ରଡକ୍ସନ ହାଉସ ଖୋଲିଥିଲେ। ଏହି ପ୍ରଡକ୍ସନ ହାଉସ ଜରିଆରେ ୧୯୮୩ରେ ତାଙ୍କ ପୁଅ ସନି ଦେଓଲଙ୍କ ବେତାବ ଜରିଆରେ ଡେବ୍ୟୁ କରିଥିଲେ। ଏହାର ୧୨ ବର୍ଷ ପରେ ସେ ତାଙ୍କ ସାନ ପୁଅ ବବି ଦେଓଲଙ୍କୁ ବରସାତରେ ମଧ୍ୟ ଲଞ୍ଚ କରିଥିଲେ।
ଧର୍ମେନ୍ଦ୍ର ଭଳି ତାଙ୍କ ପୁଅ ସନ୍ନି ଦେଓଲ ୨୦୧୯ରେ ସନି ସାଉଣ୍ଡ ପ୍ରାଇଭେଟ୍ ଲିମିଟେଡର ବ୍ୟାନରରେ ତାଙ୍କ ପୁଅ କରଣ ଦେଓଲଙ୍କୁ ପଲ ପଲ ଦିଲ୍ କେ ପାସ୍ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରାଇଥିଲେ। ଏହି ସିନେମାର ଶୀର୍ଷକ ଧର୍ମେନ୍ଦ୍ରଙ୍କ ୧୯୭୩ ମସିହା ଫିଲ୍ମ ବ୍ଲାକମେଲର ଗୋଟିଏ ଗୀତ ଅନୁସାରେ ରଖାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
