ଆମେରିକା ପ୍ରଥମ ନୀତିର ନାରାକୁ ଆହୁରି ତ୍ୱରାନ୍ୱିତ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହିକ୍ରମରେ ସେ ବେଶ ନାଟକୀୟ ଢଙ୍ଗରେ ଆମେରିକା ବାହାରେ ତିଆରି ହେଉଥିବା ସିନେମା ଉପରେ ୧୦୦% ଟାରିଫ ଲାଗୁ କରାଯିବ ବୋଲି ପ୍ରସ୍ତାବ ଦେଇଛନ୍ତି। ଏହାର ଅର୍ଥ ଅଣ ଆମେରିକୀୟ ଫିଲ୍ମ ଉପରେ ୧୦୦% ଟାରିଫ ଲାଗୁ ହେବ। ଟ୍ରମ୍ପଙ୍କ ଏପରି ପଦକ୍ଷେପ ଉତ୍ତର ଆମେରିକାରେ ନିଜର ସ୍ୱତନ୍ତ୍ର ମାର୍କେଟ ସୃଷ୍ଟି କରିଥିବା ଭାରତୀୟ ସିନେମାକୁ ପଙ୍ଗୁ କରିଦେବାର ଆଶଙ୍କା ପ୍ରକାଶ ପାଇଛି।
ବର୍ତ୍ତମାନ ଆମେରିକା ହେଉଛି ଭାରତୀୟ ସିନେମାଗୁଡ଼ିକର ଅନ୍ୟତମ ବଡ଼ ବିଦେଶୀ ମାର୍କେଟ ଭାବେ ପରିଚିତ। ବିଶେଷ କରି ବଲିଉଡ ଓ ତେଲୁଗୁ ସିନେମାର ଚାହିଦା ଆମେରିକାରେ ଢେର ରହିଛି। କିନ୍ତୁ ଟ୍ରମ୍ପଙ୍କ ୧୦୦% ଟାରିଫ ଘୋଷଣା ବିଶ୍ୱ ସିନେମା ଇଣ୍ଡଷ୍ଟ୍ରୀକୁ ସ୍ତବ୍ଧ କରିଛି। ସେମାନଙ୍କ ବ୍ୟବସାୟ ଆମେରିକାରେ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ସୃଷ୍ଟି ହୋଇଛି।
ବିଦେଶୀ ଫିଲ୍ମ ଉପରେ ଟ୍ରମ୍ପଙ୍କ ୧୦୦% ଟାରିଫ ବ୍ୟବସ୍ଥା
ଟ୍ରୁଥ ସୋଶାଲ ନାମକ ସୋଶାଲ ମିଡିଆ ଫ୍ଲାଟଫର୍ମରେ ଡୋନାଲ୍ଡ ଟ୍ରମ୍ପ ଗୋଟିଏ ପୋଷ୍ଟ କରି ଦାବି କରିଛନ୍ତି ଯେ “ବିଦେଶରେ ନିର୍ମିତ ହେଉଥିବା ସିନେମା ଆମେରିକାର ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଅନ୍ୟ ଦେଶଗୁଡ଼ିକ ସରକାରୀ ସବସିଡି ଓ ପ୍ରୋତ୍ସାହନର ବ୍ୟବହାର କରି ଆମେରିକା ମାଟିରୁ ଫିଲ୍ମ ନିର୍ମାତାମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଛନ୍ତି। ଏହା ବାକି ସବୁ ଜିନିଷ ଅପେକ୍ଷା ଗୋଟିଏ ବାର୍ତ୍ତା ଓ ପ୍ରଚାର ମଧ୍ୟ ଅଟେ। ଆମେ ପୁଣିଥରେ ଆମେରିକାରେ ସିନେମା ନିର୍ମାଣ ହେଉ ବୋଲି ଚାହୁଁଛୁ।”
ଟ୍ରମ୍ପ ଆମେରିକାର ଶିଳ୍ପ ଓ ବାଣିଜ୍ୟ ପ୍ରତିନିଧିଙ୍କୁ ଟାରିଫ ବ୍ୟବସ୍ଥା ଲାଗୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କହିଛନ୍ତି। ଯଦିଓ ଏହି ଘୋଷଣାର ବିସ୍ତୃତ ବିବରଣୀ ଦିଆଯାଇ ନାହିଁ, କିନ୍ତୁ ବିଶ୍ୱ ସିନେମା ଓ ଭାରତୀୟ ସିନେମା ଶିଳ୍ପ ପାଇଁ ଏହା ବହୁତ ବଡ଼ ଖବର।
ନୀତିରେ ସ୍ପଷ୍ଟତା ନାହିଁ
ଏହି ନୀତି କେମିତି ଲାଗୁ ହେବ ଓ ଏଥିରେ କ’ଣ ସବୁ ବ୍ୟବସ୍ଥା ରହିବ, ସେବିଷୟରେ ବିସ୍ତୃତ ତଥ୍ୟ ସାର୍ବଜନୀନ ହୋଇ ନଥିବାରୁ ହଟଚମଟ ଦେଖାଯାଇଛି। ପ୍ରସ୍ତାବିତ ଟାରିଫ ବ୍ୟବସ୍ଥା କେବଳ ନିର୍ଦ୍ଦିଷ୍ଟ ଭାବେ ବିଦେଶୀ ପ୍ରଡକ୍ସନ ଉପରେ ଲାଗିବ ନା ବିଦେଶରେ ଥିବା ଆମେରିକୀୟ ଷ୍ଟୁଡିଓ ଫିଲ୍ମିଂ ଉପରେ ଲାଗିବ, ସେକଥା ଜଣାପଡ଼ିନି। ସେହିପରି ଟାରିଫ କେବଳ ହଲରେ ରିଲିଜ ହେଉଥିବା ଫିଲ୍ମ ଉପରେ ଲାଗିବ ନା ନେଟଫ୍ଲିକ୍ସ ଓ ଆମାଜନ ପ୍ରାଇମ ଭିଡିଓରେ ପ୍ରଦର୍ଶିତ ହେଉଥିବା ସିନେମା ଉପରେ ଲାଗିବ, ତାହା ମଧ୍ୟ ସ୍ପଷ୍ଟ ହୋଇନି।
କିନ୍ତୁ ଟ୍ରମ୍ପଙ୍କ ଟାରିଫ ନୀତିର ପ୍ରଭାବ ତତ୍କାଳ ପଡ଼ିବ ବୋଲି କହିଥିବାରୁ ସିନେମା ଜଗତ ସହ ଜଡ଼ିତ ଲୋକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ବିଶେଷ କରି ଆଗାମୀ ଦିନରେ ବିଦେଶୀ ସିନେମାଗୁଡ଼ିକ ରିଲିଜ କରିବା ପାଇଁ ଚୁକ୍ତି କରିଥିବା ଅଂଶୀଦାର ଏବେ ଚିନ୍ତାରେ ରହିଛନ୍ତି। ସେମାନେ ଟ୍ରମ୍ପଙ୍କ ଘୋଷଣା ଯୋଗୁ ଆର୍ଥିକ କ୍ଷତି ସହିବାର ମଧ୍ୟ ଆଶଙ୍କା ରହିଛି।
କାହିଁକି ଟ୍ରମ୍ପଙ୍କ ଟାରିଫ ଭାରତୀୟ ସିନେମା ଶିଳ୍ପ ପାଇଁ ସମସ୍ୟା ସୃଷ୍ଟି କରିବ?
ବିଗତ କିଛି ବର୍ଷ ହେଲା ଭାରତୀୟ ସିନେମା- ବିଶେଷ କରି ବଲିଉଡ ଓ ତେଲୁଗୁ ଭାଷାର ଫିଲ୍ମ ଆମେରିକାରେ ନିଜର ସ୍ୱତନ୍ତ୍ର ମାର୍କେଟ ସୃଷ୍ଟି କରିବାକୁ ସକ୍ଷମ ହୋଇଛି। ପଠାନ ଠାରୁ ଆରମ୍ଭ କରି ଆରଆରଆର, ଡଙ୍କି ଓ ଯବାନ ଭଳି ଭାରତୀୟ ସିନେମା ରେକର୍ଡ ଭାଙ୍ଗିବା ସହ ଆମେରିକାରରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଓ ଅଣ ଦେଶୀ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ପାରିଛି। କିନ୍ତୁ ଟ୍ରମ୍ପଙ୍କ ଟାରିଫ ନୀତି ଏସବୁ ଉପରେ ହଠାତ୍ ବ୍ରେକ ଲଗାଇ ଦେଇପାରେ।
ଟ୍ରମ୍ପଙ୍କ ୧୦୦% ଟାରିଫ ନୀତି ଅନୁସାରେ ଯଦି ଆମେରିକାର ଜଣେ ବିତରକ ସଂସ୍ଥା ଭାରତୀୟ ସିନେମାର ରିଲିଜ ଅନୁମତିକୁ ୧ ମିଲିୟନ ଡଲାରର କିଣୁଛନ୍ତି, ତା’ହେଲେ ତାଙ୍କୁ ଏଣିକି ଟିକସ ବାବଦରେ ଆଉ ୧ ମିଲିୟନ ଡଲାର ଅଧିକ ଦେବାକୁ ପଡ଼ିବ। ଏହାର ଅର୍ଥ ଭାରତୀୟ ସିନେମା ପାଇଁ ନିବେଶ ଦୁଇ ଗୁଣା ବଢ଼ିବ। ଯେଉଁ ଶିଳ୍ପରେ ଲାଭର ଅଂଶ ବହୁତ କମ, ସେଠାରେ ଏପରି ନୀତି କେବଳ ବାଧା ସୃଷ୍ଟି କରିବ ନାହିଁ, ବରଂ ପୂରା ବନ୍ଦ ଭଳି ସ୍ଥିତି ସୃଷ୍ଟି କରିବ।
ତେଲୁଗୁ ସିନେମାର ଚାହିଦା ଉତ୍ତର ଆମେରିକାରେ ବେଶ ଅଧିକ। ହେଲେ ନୂଆ ନୀତି ତେଲୁଗୁ ସିନେମା ପାଇଁ ସାଂଘାତିକ ସ୍ଥିତି ସୃଷ୍ଟି କରିବ। ଅଧିକାଂଶ ତେଲୁଗୁ ବ୍ଲକବଷ୍ଟର ଆମେରିକା ହଲରେ ରିଲିଜ ହୋଇ ମିଳୁଥିବା ରାଜସ୍ୱ ଉପରେ ଅତ୍ୟଧିକ ନିର୍ଭର କରନ୍ତି। ଏଥିସହ ଭାରତରେ ରିଲିଜ ହେବା ପୂର୍ବରୁ ଗୋଟିଏ ଦିନ ପୂର୍ବ ଏହାର ପ୍ରିମିୟର ସେଠାରେ ହୋଇଥାଏ। ଏପରି କରି ପ୍ରଯୋଜକ ସଂସ୍ଥା ସିନେମାକୁ ନେଇ ଚର୍ଚ୍ଚାକୁ ଆଗୁଆ ବଢ଼ାଇଥାଏ ଓ ଏହାର ପ୍ରଭାବ ବକ୍ସ ଅଫିସ କଲେକ୍ସନ ଉପରେ ମଧ୍ୟ ପଡ଼ିଥାଏ। ଏପରି ସ୍ଥିତିରେ ହଠାତ୍ ଯଦି ଦାମ ଦୁଇ ଗୁଣା ହୋଇଯିବ, ତା’ହେଲେ ଅଧିକାଂଶ ବିତରଣକାରୀଙ୍କ ପାଇଁ ଏହାକୁ ଚଳାଇବା ସମ୍ଭବ ହେବନି।
ପ୍ରଭାବ ପଡ଼ିବା ବାସ୍ତବ
ଟ୍ରମ୍ପଙ୍କ ଟାରିଫ ନୀତି ପ୍ରସ୍ତାବ ପରେ ଆଗାମୀ ରିଲିଜ ଡିଲ୍ ଉପରେ ରାତାରାତି ରୋକ ଲାଗି ଯାଇଛି। ବିତରକମାନେ ଜାଣି ନାହାନ୍ତି ଯେ ନୂଆ ଟାରିଫ ନୀତି ପିଛିଲା ଭାବେ ଲାଗୁ ହେବ କି ନାହିଁ। ତେଣୁ ସେମାନେ ନୂଆ ଚୁକ୍ତି ପାଇଁ ଏବେ ପଛଘୁଞ୍ଚା ଦେଉଛନ୍ତି। ଭାରତରେ ଥିବା ପ୍ରଯୋଜକ ସଂସ୍ଥାଗୁଡ଼ିକ ମଧ୍ୟ ଏବେ ଠାରୁ ଏହାର ପ୍ରଭାବ ଅନୁଭବ କରିବା ଆରମ୍ଭ କଲେଣି।
ଯଦି ଟାରିଫ ବ୍ୟବସ୍ଥା ଓଟିଟି ପ୍ଲାଟଫର୍ମରେ ମଧ୍ୟ ଲାଗୁ ହେବ, ତା’ହେଲେ ଭାରତୀୟ ପ୍ରଯୋଜକମାନେ ଡିଜିଟାଲ ବିତରଣରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବେ। ଆମେରିକା ମାର୍କେଟ ପାଇଁ ଭାରତୀୟ ବିଷୟବସ୍ତୁରେ ନିବେଶ କରିବା ପୂର୍ବରୁ ନେଟଫ୍ଲିକ୍ସ ଓ ପ୍ରାଇମ ଭିଡିଓ ଭଳି ସଂସ୍ଥା ଅନେକ କିଛି ଭାବିବାକୁ ବାଧ୍ୟ ହେବେ। ଏହାଦ୍ୱାରା ଅନ୍ତର୍ଜାତୀୟ ବଜାରରେ ଭାରତୀୟ ସିନେମାର ଅଭିବୃଦ୍ଧି ମଧ୍ୟ ହ୍ରାସ ପାଇବ।
ଯଦି ଆମେରିକା ମାର୍କେଟରେ ରାଜସ୍ୱ ବା ଲାଭ କମ ହୋଇଯିବ, ତା’ହେଲେ ଭାରତୀୟ ପ୍ରଯୋଜକମାନେ ସିନେମାର ବଜେଟକୁ ହ୍ରାସ କରିବାକୁ ବାଧ୍ୟ ହେବେ। ଏହାଦ୍ୱାରା ସିନେମାଗୁଡ଼ିକ ବିଶ୍ୱ ବଜାରରେ ଆଦୃତ ମଧ୍ୟ ହେବନି। ବିଦେଶୀ ଆୟ ଉପରେ ନିର୍ଭର କରୁଥିବା ଛୋଟ ଛୋଟ ପ୍ରଯୋଜନା ସଂସ୍ଥା ଓ ଛୋଟ ଛୋଟ ସିନେମା କରୁଥିବା ସ୍ୱାଧୀନ ସଂସ୍ଥା ଗୁଡ଼ିକ ପ୍ରଥମେ ଏହାର ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବେ।
ସଙ୍କଟରେ ୨୦ ମିଲିୟନ ଡଲାରର ବଜାର
୨୦୨୩ରେ ଭାରତୀୟ ସିନେମା ଗୁଡ଼ିକ ଆମେରିକାରେ ମାର୍କେଟରେ ପ୍ରାୟ ୨୦ ମିଲିୟନ ଡଲାରର ବ୍ୟବସାୟ କରିଥିଲା। କିଛି ହିଟ୍ ଫିଲ୍ମ ୧ ହଜାରରୁ ଅଧିକ ହଲରେ ରିଲିଜ ହେବା ମଧ୍ୟ ଗୋଟିଏ ରେକର୍ଡ। ଆମେରିକାରେ କୌଣସି ବିଦେଶୀ ଭାଷାର ଫିଲ୍ମକୁ ଏତେ ସଂଖ୍ୟକ ହଲ ମିଳିବା ଗୋଟିଏ ବିରଳ ଘଟଣା। ଆଞ୍ଚଳିକ ସିନେମା ମହୋତ୍ସବ ଓ ପ୍ରିମିୟର ଫ୍ୟାନ ଶୋ ସମେତ ସ୍କ୍ରିନିଂର କମ୍ୟୁନିଟୀ ସଞ୍ଚାଳିତ ମଡେଲଗୁଡ଼ିକୁ ଏବେ ଟ୍ରମ୍ପଙ୍କ ନୂଆ ଟାରିଫ ନୀତି ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି।
ଉତ୍ତର ଆମେରିକାରେ ରିଲିଜ ଅପେକ୍ଷାରେ ଥିବା କିଲ ଠାରୁ ସାଲାରର ଭବିଷ୍ୟତ କ’ଣ ହେବ, ତା’କୁ ସମେତ ଅପେକ୍ଷା କରିଛନ୍ତି। ରିଲିଜ ଅଧିକାର ହାତେଇବା ପାଇଁ କୋଟି କୋଟି ଟଙ୍କା ନିବେଶ କରି ସାରିଥିବା ବିତରକମାନେ ଏବେ ଗୋଟିଏ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ଫସି ଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।