ଥମୁନି ବଲିଉଡ ଅଭିନେତ୍ରୀ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିସଙ୍କ ଅଡୁଆ। ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ତିନି ଜଣ ଅଭିଯୁଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି। ଏଥିସହିତ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ଓକିଲ କୋର୍ଟରେ ତାଙ୍କ ପାସପୋର୍ଟ ଦାଖଲ କରିଛନ୍ତି।
ଜ୍ୟାକଲିନଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ସେ ବିଦେଶ ଭ୍ରମଣରୁ ଫେରିଛନ୍ତି ଏବଂ କୋର୍ଟରେ ତାଙ୍କ ପାସପୋର୍ଟ ଦାଖଲ କରୁଛନ୍ତି। ସେପଟେ ଆଇନ ବ୍ୟବସ୍ଥାକୁ ଗମ୍ଭୀରତାର ସହ ନେବାକୁ ଜ୍ୟାକଲିନ୍ଙ୍କୁ ତାଗିଦ କରିଛନ୍ତି କୋର୍ଟ।
୨୦୦ କୋଟି ଠକେଇ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରକୁ ମଧ୍ୟ ଆଜି ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ନିଜ ଜନ୍ମଦିନରେ ଜେଲକୁ ୫ କୋଟି ୧୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସେ ପ୍ରସ୍ତାବ ଦେଇଛି। ସୁକେଶ କହିଛି ଯେ, ‘ଏହା ମୋ ପକ୍ଷରୁ ଏକ ଛୋଟ ଉପହାର, ମୁଁ ଜଣେ ଭଲ ବ୍ୟକ୍ତି ହେବାକୁ ଚେଷ୍ଟା କରୁଛି।’
ଏଥିସହିତ ମାମଲାର ଶୁଣାଣି ସମୟରେ ଅନେକ ଅଭିଯୁକ୍ତଙ୍କ ପକ୍ଷରୁ ସେମାନେ ଏପର୍ଯ୍ୟନ୍ତ ଏଫ୍ଏସ୍ଏଲ୍ ରିପୋର୍ଟ ପାଇ ନାଥିବା କୁହାଯାଇଛି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏଫ୍ଏସ୍ଏଲ୍ ରିପୋର୍ଟ ଦାଖଲ କରିବାକୁ କୋର୍ଟ ଇଡିଙ୍କୁ କହିଛନ୍ତି। ଯଦି ପରବର୍ତ୍ତୀ ଶୁଣାଣିରେ ଏଫ୍ଏସ୍ଏଲ୍ ରିପୋର୍ଟ ନ ଆସେ ତେବେ ତାଙ୍କର ଉଚ୍ଛସ୍ତ ଅଧିକାରୀଙ୍କୁ ସିଧା ପ୍ରଶ୍ନ କରାଯିବ ବୋଲି କୋର୍ଟ କଡ଼ା ସ୍ୱରରେ କହିଛନ୍ତି। ଆସନ୍ତା ଏପ୍ରିଲ ୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।