/odisha-reporter/media/post_attachments/uploadimage/library/16_9/16_9_0/IMAGE_1674286868.jpg)
‘କାଳୀ’ ପୋଷ୍ଟର ବିବାଦ, ଫିଲ୍ମ ମେକର୍ଙ୍କୁ ମିଳିଲା ସୁପ୍ରିମ ଆଶ୍ୱସ୍ତି
ଆଜିକାଲି ବଲିଉଡ ଫିଲ୍ମ ଓ ଓଟିଟି ସିରିଜକୁ ନେଇ ବିବାଦ ଉପୁଜିବା ସାଧାରଣ କଥା ପାଲଟିଗଲାଣି। କେତେବେଳେ ଫିଲ୍ମର ଟାଇଟଲକୁ ନେଇ ତ ଆଉ କେତେବେଳେ ଫିଲ୍ମର କୌଣସି ଦୃଶ୍ୟକୁ ନେଇ ବିବାଦ ଉପୁଜିଥାଏ। ବେଳେ ବେଳେ ପୋଷାକକୁ ନେଇ ମଧ୍ୟ ହଙ୍ଗାମା ହୁଏ। ଗତବର୍ଷ ଡକୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ସାରା ଦେଶରେ ବିବାଦ ଲାଗି ରହିଥିଲା। ଏପରିକି ଏହି ମାମଲା ଥାନାରେ ପହଞ୍ଚିଥିଲା। ଫିଲ୍ମ ମେକର୍ଙ୍କୁ ଗିରଫ କରିବା ପାଇଁ ମଧ୍ୟ ଦାବି ହୋଇଥିଲା। ଏବେ ଏହି ମାମଲାରେ ଫିଲ୍ମ ମେକର୍ଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି।
ଗତବର୍ଷ ଡକୁମେଣ୍ଟାରୀ ଫିଲ୍ମ ‘କାଳୀ’ ରିଲିଜ ହୋଇଥିଲା। ଏହି ଫିଲ୍ମର ପୋଷ୍ଟର୍ରେ ହିନ୍ଦୁ ଦେବୀ କାଳୀଙ୍କୁ କଦର୍ଥ କରି ପ୍ରଦର୍ଶିତ କରାଯାଇଥିଲା। ଏଥିରେ ଦେବୀ କାଳୀଙ୍କ ବେଶରେ ଜଣେ ମହିଳା ସିଗାରେଟ୍ ଟାଣୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସାରା ଦେଶରେ ହଙ୍ଗାମା ଆରମ୍ଭ ହୋଇଥିଲା। ଫିଲ୍ମ ନିର୍ମାତା ଲୀନା ମଣିମେକାଲଇଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଏଫଆଇଆର୍ ରୁଜୁ କରାଯାଇଥିଲା। ତାଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା। ଏବେ ଏହି ମାମଲରେ ସୁପ୍ରିମକୋର୍ଟ ତାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି।
ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଓ ପିଏସ୍ ନରସିଂହଙ୍କ ଖଣ୍ଡପୀଠ କହିଛନ୍ତି, ଏକାଧିକ ରାଜ୍ୟରେ ଏଫ୍ଆଇଆର୍ ପଞ୍ଜୀକରଣ ମନିମେକଲାଇଙ୍କ ପ୍ରତି ଗୁରୁତର ଭାବନା ସୃଷ୍ଟି କରିପାରେ। ତେଣୁ ଆଇନ ଅନୁଯାୟୀ ସମସ୍ତ ଏଫଆଇଆରଗୁଡ଼ିକୁ ଗୋଟିଏ ସ୍ଥାନରେ ଏକତ୍ର କରିବାକୁ ଆବେଦନ ଉପରେ ରାଜ୍ୟମାନଙ୍କୁ ନୋଟିସ ଜାରି କରାଯାଇଥିଲା। ପରବର୍ତ୍ତୀ ନିର୍ଦ୍ଦେଶ ବିଚାରାଧୀନ ଥିବାବେଳେ ଆବେଦନକାରୀଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ ପଦକ୍ଷେପ ଗ୍ରହଣ କରାଯିବ ନାହିଁ।
ଏହିପରି ରାଜ୍ୟଗୁଡିକର କାର୍ଯ୍ୟାନୁଷ୍ଠାନ ଭାରତୀୟ ସମ୍ବିଧାନର ଧାରା ୧୯(୧) ଅନୁଯାୟୀ ଫିଲ୍ମ ନିର୍ମାତା ଭାବରେ ସୃଜନଶୀଳ ବ୍ୟାଖ୍ୟା କରିବାର ଅଧିକାରକୁ ଉଲ୍ଲଂଘନ କରୁଛି। ଏହା ମଧ୍ୟ ଧାରା ୨୦ଆର୍/ଡବ୍ଲୁ୧୯(୧) ଅନୁଯାୟୀ ଜୀବନ, ସ୍ୱାଧୀନତା ଏବଂ ସମ୍ମାନ ଏବଂ ସୁରକ୍ଷା ଅଧିକାରକୁ ଉଲ୍ଲଂଘନ କରୁଛି ବୋଳି ଆବେଦନକାରୀ କହିଛନ୍ତି।
ତେଣୁ ଫିଲ୍ମ ମେକର୍ଙ୍କ ଜୀବନପ୍ରତି ବିପଦ ରହିଛି। ସେ ଏବେ କାନାଡାରୁ ଭାରତ ଫେରିବା ସ୍ଥିତିରେ ନଥିବା ଲାଗି ତାଙ୍କୁ ସୁରକ୍ଷାପ୍ରଦାନ କରିବାକୁ ଆବେଦନରେ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
