Advertisment

କମଲ ହାସନଙ୍କ ଉପରେ ବର୍ଷିଲେ କୋର୍ଟ, ତଥାପି ମାଗିଲେନି କ୍ଷମା

କୋର୍ଟ କହିଛନ୍ତି ଯେ କମଲ ହାସନ ଏକ ସ୍ପଷ୍ଟୀକରଣ ଦେଇପାରିଥା’ନ୍ତେ। ସେ କହିପାରିଥା’ନ୍ତେ ଯେ ଇତିହାସ ନ ପଢ଼ି ସେ ଏମିତି ଏକ କଥା କହି ଦେଇଛନ୍ତି।

ଅଦ୍ୟତନ ହୋଇଛି
Kamal Hasan

Kamal Hasan

Advertisment

ନିଜ ଫିଲ୍ମ ‘ଠଗ ଲାଇଫ’କୁ କର୍ଣ୍ଣାଟକାରେ ରିଲିଜ୍ କରିବାକୁ ଅନୁମତି ଦେବାକୁ କର୍ଣ୍ଣାଟକା ହାଇକୋର୍ଟରେ ଆବେଦନ କରିବା ବରିଷ୍ଠ ଅଭିନେତା କମଲ ହାସନଙ୍କୁ ମହଙ୍ଗା ପଡ଼ିଛି। କର୍ଣ୍ଣାଟକା ହାଇକୋର୍ଟ ତାଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ତଥାପି କ୍ଷମା ନାହାନ୍ତି କମଲ ହାସନ।

Advertisment

‘କନ୍ନଡ ଭାଷା ତାମିଲରୁ ସୃଷ୍ଟି’ ବୋଲି କହି ବିବାଦ ସୃଷ୍ଟି କରିଥିବା କମଲ ହାସନ ଏଥିପାଇଁ କ୍ଷମାପ୍ରାର୍ଥନା କରିବାକୁ ସିଧାସିଧା ମନା କରି ଦେଇଥିବା ବେଳେ କୋର୍ଟ ଏହାକୁ ନାପସନ୍ଦ କରିଛନ୍ତି। କମଲ ହାସନଙ୍କ ପିଟିସନ ଉପରେ ଶୁଣାଣି କଲା ବେଳେ ବିଚାରପତି ଜଷ୍ଟିସ୍ ଏମ୍ ନାଗପ୍ରସନ୍ନ କହିଥିଲେ, ଲୋକଙ୍କ ଭାବନାକୁ ଆଘାତ କରିବାର ଅଧିକାର କୌଣସି ନାଗରିକଙ୍କର ନାହିଁ। ଜଳ, ଜମି ଓ ଭାଷା- ନାଗରିକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ଦେଶର ବିଭକ୍ତିକରଣ ଭାଷା ଅନୁସାରେ ହୋଇଛି।

କନ୍ନଡ ଭାଷାକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ କମଲ ହାସନ ଯେଉଁ ଆଭିମୁଖ୍ୟ ଦେଖାଇଥିଲେ ତାକୁ ବିଚାରପତି ଜଷ୍ଟିସ୍ ଏମ୍‌ ନାଗପ୍ରସନ୍ନ ସମାଲୋଚନା କରିବା ସହିତ ତାଙ୍କ ଭଳି ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ ଦାୟିତ୍ୱ ଜ୍ଞାନ ଉପରେ ପ୍ରଶ୍ନ କରିଥିଲେ। ବିଚାରପତି କହିଥିଲେ, କୌଣସି ଭାଷା ଅନ୍ୟ ଏକ ଭାଷାରୁ ସୃଷ୍ଟି ହୋଇପାରିବ ନାହିଁ। ଏହି ଦାବିକୁ ସତ ପ୍ରମାଣିତ କରିବା ପାଇଁ କିଛି ତଥ୍ୟ ଅଛି କି? ଏବେ କ’ଣ ଘଟିଲା? ସୌହାର୍ଦ୍ଦ୍ୟ ବାତାବରଣ ନଷ୍ଟ ହେଲା। କର୍ଣ୍ଣାଟକାର ଲୋକମାନେ କ’ଣ ଦାବି କରିଥିଲେ? କେବଳ କ୍ଷମା।

Advertisment

କେବଳ ଏତିକି ନୁହେଁ, କମଲ ହାସନ କରିଥିବା ଦାବି ଉପରେ ମଧ୍ୟ ଜଷ୍ଟିସ୍ ନାଗପ୍ରସନ୍ନ ପ୍ରଶ୍ନ କରିଥିଲେ। ସେ କହିଥିଲେ, ଏହି ସ୍ଥିତି କମଲ ହାସନ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ସେ କ୍ଷମା ମାଗିବେ ନାହିଁ। ଆପଣ କର୍ଣ୍ଣାଟକା ଲୋକଙ୍କ ଭାବନାକୁ ଅଣଦେଖା କରୁଛନ୍ତି। କେଉଁ ଆଧାରରେ ଆପଣ ଏଭଳି କରୁଛନ୍ତି? ଆପଣ ଜଣେ ଐତିହାସିକ କି? ଆପଣ ଜଣେ ଭାଷାବିତ୍‌ କି?

କମଲ ହାସନଙ୍କ ତରଫରୁ ବରିଷ୍ଠ ଆଡଭୋକେଟ ଧ୍ୟାନ ଚିନାପ୍ପା କୋର୍ଟରେ କହିଥିଲେ ଯେ ତାଙ୍କ (କମଲ ହାସନଙ୍କ) ମନ୍ତବ୍ୟକୁ କୋର୍ଟ ଥରେ ସମୀକ୍ଷା କରି ଦେଖନ୍ତୁ। ଏହା କାହାକୁ ଅପମାନିତ କରିବା ଉଦ୍ଦେଶ୍ୟରେ କୁହାଯାଇ ନଥିଲା। ତାହା ସଂପୂର୍ଣ୍ଣ ଭୁଲ ମଧ୍ୟ ନଥିଲା।

ଜଷ୍ଟିସ୍ ନାଗପ୍ରସନ୍ନ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଯଦି ଆପଣ କ୍ଷମା ମାଗିବେ ନାହିଁ, ଆପଣ କାହିଁକି ଚାହୁଁଛନ୍ତି ଫିଲ୍ମଟି କର୍ଣ୍ଣାଟକାରେ ଚାଲୁ? ଏହାକୁ ଛାଡ଼ିଦିଅ। ବାକ୍‌ ସ୍ୱାଧୀନତାକୁ ଏତେ ପର୍ଯ୍ୟନ୍ତ ଟାଣି ହେବ ନାହିଁ ଯେ ତାହା ଜନସମୁଦାୟଙ୍କ ଭାବନାକୁ ଆଘାତ ଦେବ। ଆପଣ କ୍ଷମାମାଗନ୍ତୁ। ତା’ପରେ ଆଉ କିଛି ସମସ୍ୟା ରହିବ ନାହିଁ। ଆପଣ କର୍ଣ୍ଣାଟକାରୁ କିଛି କୋଟି ଟଙ୍କା ମଧ୍ୟ ଆୟ କରିବାକୁ ଚାହୁଁଛନ୍ତି।

ଏହା ସହିତ ଅଶାନ୍ତ ବାତାବରଣ ସୃଷ୍ଟି କରିବା ସତ୍ତ୍ୱେ କମଲ ହାସନ ପୁଲିସ ସୁରକ୍ଷା ଲୋଡ଼ିବା ଉପରେ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଜଷ୍ଟିସ୍ ନାଗପ୍ରସନ୍ନ କହିଛନ୍ତି, ବର୍ତ୍ତମାନ ଆପଣ ଏଠାରେ ଆପଣଙ୍କ ବ୍ୟବସାୟିକ ସ୍ୱାର୍ଥ ପାଇଁ ଅଛନ୍ତି। ଆପଣ ନିଜେ ଅଶାନ୍ତ ସ୍ଥିତି ସୃଷ୍ଟି କରି ନିଜ ପାଇଁ ପୁଲିସ ସୁରକ୍ଷା ଚାହୁଁଛନ୍ତି। ଗୋଟିଏ କ୍ଷମାପ୍ରାର୍ଥନା ସବୁ ସମସ୍ୟାର ସମାଧାନ କରି ଦେବ। ଆଇନ ଅନୁସାରେ ଆମେ ନିଷ୍ପତ୍ତି ନେବୁ। କିନ୍ତୁ ତାଙ୍କ (କମଲ ହାସନଙ୍କ) ଆଭିମୁଖ୍ୟକୁ ଦେଖନ୍ତୁ।

କୋର୍ଟ କହିଛନ୍ତି ଯେ କମଲ ହାସନ ଏକ ସ୍ପଷ୍ଟୀକରଣ ଦେଇପାରିଥା’ନ୍ତେ। ସେ କହିପାରିଥା’ନ୍ତେ ଯେ ଇତିହାସ ନ ପଢ଼ି ସେ ଏମିତି ଏକ କଥା କହି ଦେଇଛନ୍ତି।

ଏହି କଥା କହିବା ବେଳେ କୋର୍ଟ ରାଜଗୋପାଲ ଆଚାର୍ଯ୍ୟଙ୍କର ଏକ ଉଦାହରଣ ଦେଇଥିଲେ। କୋର୍ଟ କହିଥିଲେ, କିଛି ଦଶନ୍ଧି ତଳେ ରାଜଗୋପାଳ ଆଚାର୍ଯ୍ୟ ଏଭଳି ଏକ ମନ୍ତବ ଦେଇ କ୍ଷମା ମାଗିଥିଲେ। ଭାଷା ଏକ ଭାବନା ଯାହା ଲୋକଙ୍କ ସହିତ ଜାବୁଡ଼ି ହୋଇ ରହିଥାଏ। ଆପଣ (କମଲ ହାସନ) କିଛି କହିଛନ୍ତି, ଯାହା ଲୋକଙ୍କ ଭାବନାକୁ ଆଘାତ ଦେଇଛି।

କ୍ଷମା ମାଗିବାକୁ ନାରାଜ କମଲ ହାସନ

ତେବେ କୋର୍ଟଙ୍କ ସମାଲୋଚନା ସତ୍ତ୍ୱେ କ୍ଷମା ମାଗି ନାହାନ୍ତି ଅଭିନେତା କମଲ ହାସନ। ଓଲଟି ସେ ବର୍ତ୍ତମାନ ପାଇଁ କର୍ଣ୍ଣାଟକାରେ ଫିଲ୍ମ ‘ଠଗ ଲାଇଫ’ ରିଲିଜ୍ ନକରିବା ପାଇଁ ନିଷ୍ପତ୍ତି ନେଇଥିବା ତାଙ୍କ ଓକିଲଙ୍କ ମାଧ୍ୟମରେ କୋର୍ଟକୁ ଜଣାଇଥିଲେ। ଦିନ ଅଢ଼େଟାରେ ପୁଣି ଥରେ ତାଙ୍କ ଆବେଦନ ଉପରେ ଶୁଣାଣି ଆରମ୍ଭ ହେବା ପରେ ତାଙ୍କ ପକ୍ଷରୁ ଆଡଭୋକେଟ ଧ୍ୟାନ ଚିନାପ୍ପା କୋର୍ଟଙ୍କୁ କହିଥିଲେ, ସେ (କମଲ ହାସନ) କହିଛନ୍ତି ଯେ ସେ ଅପେକ୍ଷା କରିପାରିବେ ଓ କର୍ଣ୍ଣାଟକାରେ ଫିଲ୍ମ ରିଲିଜ୍ କରିବାକୁ ମଧ୍ୟ ଅପେକ୍ଷା କରାଯାଇପାରିବ।

କୋର୍ଟରେ ଏହି କଥା ରଖିବା ବେଳେ ଧ୍ୟାନ ଚିନାପ୍ପା ସେହି ଚିଠି ବିଷୟରେ ଉଲ୍ଲେଖ କରିଥିଲେ ଯାହା କମଲ ହାସନ କର୍ଣ୍ଣାଟକା ଫିଲ୍ମ ଚାମ୍ବର ଅଫ୍ କମର୍ସ (କେଏଫସିସି)କୁ ଲେଖିଥିଲେ। ଆଜି ସକାଳେ ତାଙ୍କ ଆବେଦନ ଉପରେ ଶୁଣାଣି ପରେ କମଲ ଏହି ଚିଠି ଲେଖିଥିଲେ। ଏଥିରେ ସେ ଲେଖିଥିଲେ, କନ୍ନଡ ଭାଷାକୁ ନେଇ ମୋ ମନ୍ତବ୍ୟକୁ ଭୁଲ୍ ବୁଝାଯାଇଛି ଓ ଏହାକୁ ସନ୍ଦର୍ଭ ବାହାରକୁ ନିଆଯାଇଛି। ‘ଠଗ ଲାଇଫ୍‌’ର ଅଡିଓ ଲଞ୍ଚ୍ ବେଳେ ମୋ ମନ୍ତବ୍ୟକୁ ଭୁଲ୍ ବୁଝା ଯାଇଥିବାରୁ ମୁଁ ଦୁଃଖିତ। ଡକ୍ଟର ରାଜକୁମାରଙ୍କ ପରିବାର, ବିଶେଷ କରି ଶିବ ରାଜକୁମାରଙ୍କ ପ୍ରତି ଥିବା ମୋ ଭଲ ପାଇବାରୁ ମୁଁ ଏମିତି କହିଥିଲି। ମୁଁ କହିବାକୁ ଚାହିଁଥିଲି ଯେ ଆମେ ସମସ୍ତେ ଗୋଟିଏ ପରିବାରର। ମୁଁ କନ୍ନଡ ଭାଷାକୁ କୌଣସିମତେ ନ୍ୟୁନ କରି ନାହିଁ। କନ୍ନଡ ଭାଷାର ସମୃଦ୍ଧ ଐତିହକୁ ନେଇ କୌଣସି ବିବାଦ ବା ବିତର୍କ ନାହିଁ। ତାମିଲ ଭଳି କନ୍ନଡର ଏକ ସମୃଦ୍ଧ ସାହିତ୍ୟ ଓ ସାଂସ୍କୃତିକ ପରମ୍ପରା ରହିଛି ଯାହାର ମୁଁ ଦୀର୍ଘ ବର୍ଷର ପ୍ରଶଂସକ।  

ଏଭଳି ଭାବେ ସେ ଏକ ଦୀର୍ଘ ଚିଠି କେଏଫସିସିକୁ ଲେଖିଥିଲେ ହେଁ କେଉଁଠି ସିଧାସଳଖ ନିଜ ମନ୍ତବ୍ୟ ପାଇଁ ଭୁଲ୍ ମାଗି ନାହାନ୍ତି। ଏହାକୁ କୋର୍ଟ ଧରିଥିଲେ ଓ କହିଥିଲେ, ଏଥିରେ ସବୁ ଠିକ୍ ଅଛି। କେବଳ ଗୋଟିଏ ଧାଡ଼ି ଉଲ୍ଲେଖ ନାହିଁ। କ୍ଷମା ପ୍ରାର୍ଥନା ବାଧ୍ୟତାମୂଳକ ନୁହେଁ। ଏହା ତାଙ୍କର ଅନୁଗ୍ରହ ହେବା ଉଚିତ୍ ଥିଲା ଯାହାକୁ ସେ ଅନୁସରଣ କରିବା ଉଚିତ୍ ଥିଲା। ସ୍ପଷ୍ଟୀକରଣ ଦେବାର ଅନେକ ବାଟ ରହିଛି, କିନ୍ତୁ କ୍ଷମା ପ୍ରାର୍ଥନାର ବାଟ କେବଳ ଗୋଟିଏ।    

କମଲ ହାସନ କୌଣସି ଭୁଲ୍ କରି ନାହାନ୍ତି ବୋଲି ତାଙ୍କ ଆଡଭୋକେଟ ବହୁତ ଯୁକ୍ତି ବାଢ଼ିଥିଲେ ହେଁ କୋର୍ଟ ସେଥିରେ ଏକମତ ହୋଇନଥିଲେ। କୋର୍ଟ କହିଥିଲେ ଯେ ସେ (କମଲ ହାସନ) ତାଙ୍କ ଅହଙ୍କାରକୁ ଜାବୁଡ଼ି ଧରିଛନ୍ତି। ଲୋକଙ୍କ ଭାବନାକୁ ସେ ଗୌଣ ମନେ କରିଛନ୍ତି।

ଅହଙ୍କାର କଥାକୁ କମଲ ହାସନଙ୍କ ଓକିଲ ଗ୍ରହଣ କରି ନଥିଲେ। ସେ କହିଥିଲେ, ଏକ ସ୍ପଷ୍ଟୀକରଣ ଦିଆସରିଛି। ଏକ ଭାଷାକୁ ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ତାଙ୍କର (କମଲ ହାସନଙ୍କର) ନଥିଲା।  

ଏହା ପରେ କୋର୍ଟ କହିଥିଲେ ଯେ ତା’ହେଲେ କ୍ଷମା ମାଗି ଏହି ଘଟଣାକୁ ଏଠାରେ କାହିଁକି ସମାପ୍ତ କରୁନାହଁ। ତତ୍‌ପରେ କମଲ ହାସନଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ ‘ଠଗ ଲାଇଫ’ ଏବେ କର୍ଣ୍ଣାଟକାରେ ରିଲିଜ୍ ହେବ ନାହିଁ। ଏଥିପାଇଁ ଅପେକ୍ଷା କରାଯିବ। କେଏଫସିସି ସହିତ ଆଲୋଚନା କରାଯିବ। 

ଜୁନ୍ ୧୦ ତାରିଖରେ ଏହି ମାମଲାରେ ପୁଣି ଶୁଣାଣି ହେବ।  

ସୂଚନାଯୋଗ୍ୟ, କନ୍ନଡ ଭାଷା ତାମିଲରୁ ସୃଷ୍ଟି ବୋଲି କମଲ ହାସନ କହିବା ପରେ କେଏଫ୍‌ସିସି ପକ୍ଷରୁ ତାଙ୍କ ଫିଲ୍ମ ‘ଠଗ ଲାଇଫ’କୁ କର୍ଣ୍ଣାଟକାରେ ବ୍ୟାନ୍ କରି ଦିଆଯାଇଛି।    

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe