Advertisment

ଅଡୁଆରେ ଆଲିଆଙ୍କ ଫିଲ୍ମ, ମେକର୍ସଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ଫିଲ୍ମର ନିର୍ମାତା ନର୍ଥଇଷ୍ଟର କଳାକାରଙ୍କ ସହ ଭେଦଭାବ କରୁଥିବା ମଣିପୁର ଅଭିନେତା ବିଜୌ ଥାଙ୍ଗଜମ ଅଭିଯୋଗ ଆଣିଛନ୍ତି।

author-image
Madhupriya Mistry
bijou-thaangjam and  Alia Bhat

bijou-thaangjam and Alia Bhat

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବହୁପ୍ରତିକ୍ଷିତ ଫିଲ୍ମ 'ଜିଗରା'। ଏହାକୁ ନେଇ ଲାଗି ରହିଛି ବିବାଦ। ଏହି ଫିଲ୍ମକୁ ନେଇ ବଢ଼ିବାରେ ଲାଗିଛି ଅଡୁଆ। ରିଲିଜ ପୂର୍ବରୁ ହିଁ ଫିଲ୍ମଟି ବିବାଦ ଯୋଗୁ ଚର୍ଚ୍ଚାରେ ରହିଛି। ଶୁକ୍ରବାର ଫିଲ୍ମଟି ରିଲିଜ ହୋଇଥିବା ବେଳେ ଏହାକୁ ମିକ୍ସ ରିଭ୍ୟୁ ମିଳିଛି। ଦମ୍‌ଦାର ଓପନିଂ କରିବାରେ ଏହା ବିଫଳ ହୋଇଛି। ଏହାରି ଭିତରେ ଏବେ ମଣିପୁର ଅଭିନେତା ଏହି ଫିଲ୍ମର ମେକର୍ସଙ୍କୁ ନେଇ ଆଣିଛନ୍ତି ଗୁରୁତର ଅଭିଯୋଗ।

Advertisment

ମଣିପୁର ଅଭିନେତା ବିଜୌ ଥାଙ୍ଗଜମ। ଫିଲ୍ମର ନିର୍ମାତା ନର୍ଥଇଷ୍ଟର କଳାକାରଙ୍କ ସହ ଭେଦଭାବ କରୁଥିବା ସେ ଅଭିଯୋଗ ଆଣିଛନ୍ତି। ବିଜୌ ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ତାଙ୍କୁ 'ଜିଗ୍‌ରା' ଫିଲ୍ମରେ ଏକ ଭୂମିକାରେ ଅଭିନୟ କରିବାକୁ ଆପ୍ରୋଚ କରାଯାଇଥିଲା। ଏଥିପାଇଁ ତାଙ୍କୁ ଷ୍ଟାଣ୍ଡବାଏରେ ରହିବାକୁ କୁହାଯାଇଥିଲା। ଏହି ଚକ୍କର୍‌ରେ ସେ ଅନ୍ୟ ପ୍ରୋଜେକ୍ଟ ମଧ୍ୟ ହାତଛଡ଼ା କରିଦେଇଥିଲେ। ହେଲେ ଶେଷରେ ତାଙ୍କୁ ଆଉ ଡକାଯାଇନଥିଲା। 

ବିଜୌ ସୋଶାଲ ମିଡିଆ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ, ଜିଗରାକୁ ନେଇ ଲାଗି ରହିଥିବା ବିବାଦରେ ସାମିଲ ହେବା ପାଇଁ ସେ ଏଭଳି ପୋଷ୍ଟ କରିନାହାନ୍ତି। ନର୍ଥ-ଇଷ୍ଟର ଅଭିନେତାମାନଙ୍କୁ କିଭଳି ବଡ଼ ବଡ଼ ପ୍ରଡକ୍ସନ ହାଉସ ବ୍ୟବହାର କରନ୍ତି ତାହା ସେ ତାଙ୍କ ପୋଷ୍ଟ ମାଧ୍ୟମରେ ଦର୍ଶାଇବାକୁ ଚାହିଁଛନ୍ତି।

Advertisment

ମଣିପୁର ଅଭିନେତା କହିଛନ୍ତି ଯେ, ୨୦୨୩ରେ ଟିମ୍‌ ଜିଗ୍‌ରା ଫିଲ୍ମରେ ଏକ ଭୂମିକା ପାଇଁ ଅଡିସନ୍ ଲାଗି ମୋ ପାଖକୁ ଆସିଥିଲେ। ସେମାନଙ୍କର ଟାଇମ୍‌ଲାଇନ୍‌ ଅନୁଯାୟୀ ମୁଁ ୪ ମାସରେ ଦୁଇଥର ମୋର ଅଡିସନ୍ ଟେପ୍ ପଠାଇଥିଲି। ନଭେମ୍ବର ଶେଷରେ ସେମାନେ ମୋତେ କହିଥିଲେ ମୁଁ ଡିସେମ୍ବରରେ ଶୁଟିଂ କରିବି। ଯଦିଓ ସେ ମୋତେ ଶୁଟିଂର ପ୍ରକୃତ ତାରିଖ କହି ନଥିଲେ। ତଥାପି ସେମାନେ ମୋତେ ଡିସେମ୍ବର ପାଇଁ ବୁକ୍ କରିଥିଲେ, ଏହି ଆଶାରେ ମୁଁ ଅନ୍ୟ କୌଣସି ଶୁଟିଂ କରିନଥିଲି। ଫଳରେ ଅନ୍ୟ ପ୍ରଜେକ୍ଟଗୁଡିକ ମୋ ହାତରୁ ଚାଲି ଯାଇଥିଲା।

୨୬ ଡିସେମ୍ବରରେ ତାଙ୍କୁ ଶେଷ ମେସେଜ ମିଳିଥିଲା ଅପେକ୍ଷା କର ବୋଲି। ଏହାପରେ ଟିମ୍‌ ତାଙ୍କ ସହ ଆଉ କୌଣସି କଥା ହୋଇନଥିଲା। ନର୍ଥ-ଇଷ୍ଟରୁ ଆସୁଥିବା ଅଭିନେତାଙ୍କ ପାଇଁ ଏହା ରିଜେକ୍‌ସନ୍‌ ଭଳି ଥିଲା। ମୋର ସମୟ ନଷ୍ଟ ହେଲା ବୋଲି ମଣିପୁର ଅଭିନେତା କହିଛନ୍ତି।

କହିରଖୁ ଯେ, ଫିଲ୍ମ 'ଜିଗରା'କୁ ନେଇ ପୂର୍ବରୁ ବିବାଦ ଲାଗି ରହିଛି। ଟି-ସିରିଜ ମାଳିକାଣି ତଥା ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ତାଙ୍କ ଫିଲ୍ମ 'ସାବି'ରୁ ଏହାକୁ କପି କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ବି-ଟାଉନରେ ତୁ ତୁ ମେଁ ମେଁ ଜାରି ରହିଛି।

ଜିଗ୍‌ରା ଫିଲ୍ମରେ ଅଭିନେତ୍ରୀ ଆଲିଆ ଭଟ୍ଟ ଲିଡ୍‌ ରୋଲରେ ଅଛନ୍ତି। ସେହିପରି ଅପୋଜିଟ୍‌ରେ ବେଦାଙ୍ଗର ରୈନା ଅଛନ୍ତି। ସେ ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି। ଫିଲ୍ମଟି ଭାଇ-ଭଉଣୀର କାହାଣୀ ଓ ଜେଲ୍‌ ବ୍ରେକ୍‌ ଉପରେ ଆଧାରିତ।

Alia Bhatt Bollywood Jigra Release Bijou Thaangjam