ନିର୍ଦ୍ଦେଶକ ଓମ୍ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଥମୁନି ବିବାଦ । ଫିଲ୍ମର ଡାଏଲଗ ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବନାକୁ ଆଘାତ ଦେଉଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ କୋର୍ଟରେ ବି ମାମଲା ରୁଜୁ ହୋଇଛି। ଏପରି ସ୍ଥିତିରେ ସର୍ବସମ୍ମୁଖରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ଫିଲ୍ମର ସ୍କ୍ରିପ୍ଟ ଲେଖକ ତଥା ଗୀତିକାର ମନୋଜ ମୁନ୍ତସିର ।
ନିଜ ଟ୍ୱିଟ ଆକାଉଣ୍ଟରେ ମନୋଜ, ଫିଲ୍ମ ଯୋଗୁ ଲୋକଙ୍କ ଭାବନାକୁ କଷ୍ଟ ପହଞ୍ଚାଇଥିବାରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିନିମନ୍ତେ ସେ ନିଜ ଭୁଲ୍ ସ୍ୱୀକାର କରିଛନ୍ତି। ଏପରିକି ଏଥିଯୋଗୁ ଭାଇ-ଭଉଣୀ, ଗୁରୁଜନ, ସାଧୁସନ୍ଥ ତଥା ରାମ ଭକ୍ତଙ୍କୁ ହାତ ଯୋଡ଼ି କ୍ଷମା ମାଗୁଥିବା ଉଲ୍ଲେଖ କରିଛନ୍ତି। ଏଥିସହ ସେ ଏକ ହାତଯୋଡ଼ା ଇମୋଜି ବି ପୋଷ୍ଟ କରିଛନ୍ତି।
କଥା ଏତିକିରେ ସରିନି । ଏହାପରେ ମନୋଜ ନିଜ ଟ୍ୱିଟରେ ସନାତନ ଧର୍ମ ଓ ଦେଶର ରକ୍ଷା କରିବା କଥା ଉଲ୍ଲେଖ କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ଭଗବାନ ବଜରଙ୍ଗବାଲୀ ଆମ ସମସ୍ତଙ୍କ ଉପରେ କୃପା ନଜର ରଖନ୍ତୁ। ଆମକୁ ଅତୁଟ ରହି ନିଜର ପବିତ୍ର ସନାତନ ଓ ମହାନ ଦେଶର ସେବା କରିବାର ଶକ୍ତି ଦିଅନ୍ତୁ ।
ପ୍ରଭାସ ଓ କ୍ରିତି ସାନନ ଅଭିନୀତ ‘ଆଦିପୁରୁଷ’ ଆରମ୍ଭରୁ ହିଁ ବିବାଦରେ ଫସି ରହିଛି। ହେଲେ ଫିଲ୍ମର ଡାଏଲଗକୁ ନେଇ ବିବାଦ ଦେଖାଦେଇଥିଲା। ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନ ସମେତ ନେପାଳରେ ବି ଫିଲ୍ମକୁ ଜୋରଦାର ବିରୋଧ କରାଯାଇଥିଲା।