ମୁମ୍ବାଇ: ଓଡ଼ିଶା ଏହାର କଳା ଏବଂ ଐତିହ୍ୟ ପାଇଁ ପ୍ରସିଦ୍ଧ। ଏଠାକାର କାରିଗରୀ କୌଶଳ ଦେଶବିଦେଶରେ ଲୋକପ୍ରିୟ। ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ସମୟରେ ଏହାର କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ। ବାଲୁକା କଳା ଓ ଚାନ୍ଦୁଆ କାମ ପାଇଁ ଓଡ଼ିଶାକୁ ଲୋକମାନେ ଆନ୍ତର୍ଜାତିକ ସ୍ତରରେ ଜାଣନ୍ତି। ଏବେ ଓଡ଼ିଆ କଳା ସଂସ୍କୃତି ଆଉପାଦେ ଆଗକୁ ପଢ଼ିଛି। ଏକ ନିର୍ମାଣାଧୀନ ହିନ୍ଦି ଚଳଚ୍ଚିତ୍ରରେ ଖୁବ୍ଶୀଘ୍ର ଓଡ଼ିଆ କଳାର ଝଲକ୍ ଦେଖିବାକୁ ମିଳିବ।
ରିଲିଜ୍ ଅପେକ୍ଷାରେ ଥିବା ବଲିଉଡ୍ ଫିଲ୍ମ ‘ସୁଇ-ଧାଗା’ର ଲୋଗୋରେ ଆପଣ ଓଡ଼ିଆ କାରିଗରଙ୍କ ଦ୍ୱାରା ତିଆରି ହୋଇଥିବା ହସ୍ତତନ୍ତ ଦେଖିପାରିବେ। କେବଳ ଓଡ଼ିଶା ନୁହେଁ ଏହି ଫିଲ୍ମର ଲୋଗେରେ ଭାରତର ବିଭିନ୍ନ ରାଜ୍ୟର ପ୍ରସିଦ୍ଧ କଳା ଓ କାରିଗରୀ ଦେଖିବାକୁ ମିଳିବ। ନିକଟରେ ଅଭିନେତା ବରୁନ୍ ଧୱନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଏହି ଫିଲ୍ମର ଲୋଗୋ ସଂପର୍କରେ ବର୍ଣ୍ଣନା କରିଛନ୍ତି।
ନିକଟରେ ବରୁନ୍ ଏବଂ ଅନୁଷ୍କା ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ଏହି ଲୋଗୋ ପଛର କାହାଣୀ କହିଛନ୍ତି। ସେମାନେ କହିଛନ୍ତି, ଫିଲ୍ମର ନାଁ ଯେହେତୁ ‘ସୁଇ-ଧାଗା’, ଯାହାର ଓଡ଼ିଆ ଅର୍ଥ ‘ଛୁଞ୍ଚି-ସୁତା’, ତେଣୁ ଫିଲ୍ମର ଲୋଗୋକୁ କମ୍ପ୍ୟୁଟରରେ ଡିଜାଇନ୍ ନକରି ଛୁଞ୍ଚି ସୁତାରେ ବୁଣା ଯାଇଛି।
ଦେଶର ବିଭିନ୍ନ ପ୍ରାନ୍ତରୁ କଳାକାରମାନଙ୍କୁ ଏଥିପାଇଁ ସେମାନେ ସୁଯୋଗ ଦେଲେ। ବିଭିନ୍ନ ରାଜ୍ୟର କଳାକାର ସେମାନଙ୍କ ଅଞ୍ଚଳର ପ୍ରସିଦ୍ଧ କଳାକୃତି ସାହାଯ୍ୟରେ ଏକ ବଡ଼ ବ୍ୟାନର ‘ସୁଇ-ଧାଗା’ ଲେଖି ପଠାଇଥିଲେ। ସେହି ଲୋଗୋ ଗୁଡ଼ିକ ମଧ୍ୟରୁ ଯେଉଁଟା ସବୁଠୁ ସୁନ୍ଦର ଲାଗିବ ସେଇଟା ଫିଲ୍ମର ଲୋଗୋ ରଖିବାର ଯୋଜନା ହୋଇଥିଲା।
ତେବେ ଲୋଗୋ ଗୁଡ଼ିକ ଏତେ ସୁନ୍ଦର ଥିଲା ଯେ, ଫିଲ୍ମ ନିର୍ଦ୍ଦେଶକ ଏ ସମସ୍ତ ଲୋଗୋକୁ ଫିଲ୍ମରେ ସାମିଲ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁଥିରେ ଓଡ଼ିଶାର ଚାନ୍ଦୁଆ କାର୍ଯ୍ୟ ମଧ୍ୟ ସାମିଲ୍ ହୋଇଛି।
ସୂଚନାଯୋଗ୍ୟ ଯେ, ଫିଲ୍ମ ‘ସୁଇ-ଧାଗା’ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ରିଲିଜ୍ ହେବାକୁ ଯାଉଛି। ଏଥିରେ ବରୁନ୍ ଧୱନ ଏବଂ ଅନୁଷ୍କା ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଶରତ କଟାରିଆ।
https://www.youtube.com/watch?v=wotNruuQYv4
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।