Advertisment

Rajpal Yadav: ଜେଲରେ ରାଜପାଲ ଯାଦବ, ଛୁଟିଲା ଟଙ୍କାର ସୁଅ

ଆସନ୍ତାକାଲି ରାଜପାଲଙ୍କୁ ଜେଲରୁ ମୁକୁଳିବାକୁ କୋର୍ଟ ନିର୍ଦ୍ଦେଶ ଦେଇପାରନ୍ତି। ଫେବୃଆରୀ ୧୨ରେ ରାଜପାଲଙ୍କ ଜାମିନ ଆବେଦନର ଶୁଣାଣି କୋର୍ଟ କରିବେ ବୋଲି ତାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି।

author-image
Hemant Lenka
Rajpal

ରାଜପାଲ ଯାଦବ

ଚେକ ବାଉନ୍ସ ମାମଲାରେ ତିହାର ଜେଲ(Tihar Jail)ରେ ଆତ୍ମସମର୍ପଣ କରିଥିବା ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ପାଖକୁ ଆର୍ଥିକ ସହାୟତାର ସୁଅ ଛୁଟିବାରେ ଲାଗିଛି। ଋଣ ଟଙ୍କା ପରିଶୋଧ କରି ନ ପାରି ଜେଲରେ ଥିବା ରାଜପାଲଙ୍କ ଆର୍ଥିକ ସଙ୍କଟ ବିଷୟରେ ଜାଣିବା ପରେ ଅନେକ ବଲିଉଡ କଲାକାର, ଇଣ୍ତଷ୍ଟ୍ରୀ ସହ ଜଡ଼ିତ ଲୋକ ଓ ରାଜନେତାମାନେ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି। ରାଜପାଲ ଜେଲରେ ଥିବା ବେଳେ ତାଙ୍କ ପାଇଁ କ୍ରାଉଡ ଫଣ୍ଡିଂ ମଧ୍ୟ ଆରମ୍ଭ ହୋଇଛି।

Advertisment

ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗତ ୫ ତାରିଖରେ ତିହାର ଜେଲରେ ରାଜପାଲ ଆତ୍ମସମର୍ପଣ କରିଥିଲେ। ଆଉ ଆତ୍ମସର୍ମପଣ ପୂର୍ବରୁ କୋହ ଭରା କଣ୍ଠରେ ଗଣମାଧ୍ୟମ ସମ୍ମୁଖରେ ସେ କହିଥିଲେ ଏତେ ଟଙ୍କା ଦେବା ପାଇଁ ମୋର ସାମର୍ଥ୍ୟ ନାହିଁ। ଯଦି କେହି ପାରିବେ ମୋତେ ସାହାଯ୍ୟ କରନ୍ତୁ। ହାସ୍ୟ କଳାକାର ରାଜପାଲଙ୍କ ଏଇ କେଇ ପଦ କଥା ଶୁଣିବା ପରେ ତାଙ୍କୁ ଏବେ ବଢ଼ୁଛି ସାହାଯ୍ୟର ହାତ।

ପ୍ରଥମେ ଅଭିନେତା ସୋନୁ ସୁଦ୍‌ ତାଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିବା ସହ ତାଙ୍କୁ ନିଜ ଅପ୍‌ କମିଂ ଫିଲ୍ମରେ କାମ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏହାରି ଭିତରେ ହାସ୍ୟ କଳାକାରଙ୍କ ଆର୍ଥିକ ବୋଝକୁ ଆହୁରି ହାଲୁକା କରିବା ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ଜେମଟ୍ୟୁନ୍ସ ମ୍ୟୁଜିକର ମାଲିକ ସଂଗୀତ ପ୍ରଯୋଜକ ରାଓ ଇନ୍ଦ୍ରଜିତ ସିଂହ ଯାଦବ। ରାଜପାଲଙ୍କୁ ଋଣ ମୁକ୍ତ କରିବା ପାଇଁ ସେ ୧.୧କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏନେଇ ସେ ତାଙ୍କ ସୋଶାଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ଏକ ସ୍କାନର ଦେଇଛନ୍ତି । ଏଥିସହ ରାଜପାଲଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି। 

Advertisment

ଏହାବାଦ ଅଭିନେତା ଗୁରମିତ୍‌ ଚୌଧୁରୀ ମଧ୍ୟ ଏହି ଧାରାରେ ଯୋଡ଼ି ହୋଇ ହାସ୍ୟ କଳାକାରଙ୍କ ପାଇଁ ସାହାଯ୍ୟ ମାଗିଛନ୍ତି। ପଲ୍ଟିସିଆନ  ତେଜ୍‌ ପ୍ରତାପ ଯାଦବ ୧୧ ଲକ୍ଷ ପ୍ରଦାନ କରିଥିବା ବେଳେ ସିନେ ସମୀକ୍ଷକ କମଲ ଆର ଖାନ ମଧ୍ୟ ୧୦ଲକ୍ଷର ସହାୟତା ରାଶି ଦେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।

ସଲମାନ ଖାନ, ବରୁଣ ଧୱନ, ଅଜୟ ଦେବଗାନଙ୍କ ଭଳି ବଲିଉଡ ଇଣ୍ଡଷ୍ଟ୍ରିର ଗୋଟିଏ ପରେ ଗୋଟିଏ ବଡ଼ ଚେହେରା ଏବେ ରାଜପାଲଙ୍କ ସପକ୍ଷରେ ବାହାରି ତାଙ୍କୁ ସହାୟତା ପ୍ରଦାନ କରୁଛନ୍ତି।  

ଗୋଟିଏ ପଟେ ରାଜପାଲଙ୍କ ସପକ୍ଷରେ ଆର୍ଥିକ ସହାୟତା ମିଳୁଥିବା ବେଳେ ଅନ୍ୟପଟେ ତାଙ୍କ ମ୍ୟାନେଜର ବଡ଼ କଥା କହିଛନ୍ତି। ଟଙ୍କା ଏବେ ଯୋଗାଡ଼ ହେଉଥିବାରୁ ଆସନ୍ତାକାଲି ରାଜପାଲଙ୍କୁ ଜେଲରୁ ମୁକୁଳିବାକୁ କୋର୍ଟ ନିର୍ଦ୍ଦେଶ ଦେଇପାରନ୍ତି। ଫେବୃଆରୀ ୧୨ରେ ରାଜପାଲଙ୍କ ଜାମିନ ଆବେଦନର ଶୁଣାଣି କୋର୍ଟ କରିବେ ବୋଲି ତାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି। 

୨୦୧୦ରେ ରାଜପାଲ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ 'ଅତା ପତା ଲାପତା'ପାଇଁ ଦିଲ୍ଲୀର ଏକ କମ୍ପାନୀ 'ମୁରଲୀ ପ୍ରୋଜେକ୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌' ଠାରୁ ପ୍ରାୟ ୫ କୋଟି ଟଙ୍କା ଋଣ ନେଇଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା। ଫଳରେ ସେ ଋଣ ଟଙ୍କା ସୁଝିପାରି ନଥିଲେ। ଋଣ ପରିଶୋଧ ପାଇଁ ସେ ଦେଇଥିବା ଅନେକ ଚେକ୍‌ ବାଉନ୍ସ ହୋଇଯାଇଥିଲା । ପରେ କମ୍ପାନୀ ଯାଇଥିଲା କୋର୍ଟ। ୨୦୧୮ରେ ମାଜିଷ୍ଟ୍ରେଟ୍‌ କୋର୍ଟ ରାଜପାଲ ଓ ତାଙ୍କ ପତ୍ନୀଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ୍‌ ଦଣ୍ଡ ଶୁଣାଇଥିଲେ। ସେତେବେଳେ ସେ କିଛି ଦିନ ଜେଲ୍‌ରେ ରହିବା ପରେ ହାଇକୋର୍ଟରୁ ଜାମିନ ପାଇଥିଲେ। 

ତେବେ ଦୀର୍ଘ ବର୍ଷ ଧରି ମାମଲା ଚାଲିବା ଓ ଟଙ୍କା ଫେରସ୍ତ ନକରିବା ଯୋଗୁ ସୁଧ ସହ ମୋଟ ବାକି ଟଙ୍କା ପ୍ରାୟ ୯ କୋଟିରେ ପହଂଚିଥିଲା। କୋର୍ଟ ଅନେକ ସୁଯୋଗ ଦେଇଥିଲେ ମଧ୍ୟ ରାଜପାଲ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରିବାରେ ବିଫଳ ହୋଇଥିଲେ। ଶେଷରେ ୪ ଫେବୃଆରୀ ୨୦୨୬ରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଆଉ ଅଧିକ ସମୟ ଦେବାକୁ ମନା କରିଦେଇଥିଲେ ଏବଂ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦିନକ ପରେ ସେ ତିହାର ଜେଲରେ ଆତ୍ମସମର୍ପଣ କରିଥିଲେ। 

Tihar Jail