ଆଉ ନାହାନ୍ତି ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ, ଚିତ୍ରନାଟ୍ୟ ଲେଖକ ଓ ବୃତ୍ତଚିତ୍ର ନିର୍ମାତା ଶ୍ୟାମ ବେନେଗଲ। ଆଜି ସନ୍ଧ୍ୟା ୬.୩୦ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ବେନେଗଲ ଦୀର୍ଘଦିନ ହେଲା କିଡ୍ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ଆଜି ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ପରପାରିକୁ ଚାଲି ଯାଇଥିବା ତାଙ୍କ ଝିଅ ପିଆ ବେନେଗଲ ସୂଚନା ଦେଇଛନ୍ତି।
ଦି ୱେଲକମ ଟୁ ସାଜନପୁର ନିର୍ଦ୍ଦେଶକ ଶ୍ୟାମ ବେନେଗଲ ଡିସେମ୍ବର ୧୪ରେ ତାଙ୍କର ୯୦ତମ ଜନ୍ମ ଉତ୍ସବ ସାଙ୍ଗ ଓ ପରିବାର ଲୋକଙ୍କ ସହ ପାଳନ କରିଥିଲେ। ଏହି ଉତ୍ସବରେ ଅଭିନେତା କୁଲଭୂଷଣ ଖରବନ୍ଦା, ନସିରୁଦ୍ଦିନ ଶାହ, ଦିବ୍ୟା ଦତ୍ତା, ଶାବନା ଅଜିମ, ରଞ୍ଜିତ କପୁର, ଅତୁଲ ତିୱାରୀ, କୁନା କପୁର ଓ ଅନ୍ୟମାନେ ସାମିଲ ହୋଇଥିଲେ।
ଫିଲ୍ମ ଜଗତ ପ୍ରତି ତାଙ୍କ ଅବଦାନ ପାଇଁ ଭାରତ ସରକାର ୧୯୭୬ରେ ବେନେଗଲଙ୍କୁ ପଦ୍ମଶ୍ରୀ ଓ ୧୯୯୧ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ୨୦୦୫ରେ ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ମିଳିଥିଲା। ବେନେଗଲ ରେକର୍ଡ ୧୮ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ଗୋଟିଏ ଥର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ।
ସମାନ୍ତରାଳ ଚଳଚ୍ଚିତ୍ର ପାଇଁ ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଶ୍ୟାମ ବେନେଗଲଙ୍କ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭ ହୋଇଥିଲା ୧୯୭୫ରେ ‘ଅଙ୍କୁର’ ଫିଲ୍ମରୁ। ଏହାପରେ ଅନେକ ହିଟ ଫିଲ୍ମ ସେ ଭାରତୀୟ ଦର୍ଶକଙ୍କୁ ଭେଟି ଦେଇଥିଲେ। ତା’ ମଧ୍ୟରେ ରହିଛି ନିଶାନ୍ତ, ମନ୍ଥନ, ଭୂମିକା- ଦ ରୋଲ, ଜୁନୁନ, ଆରୋହଣ, ନେତାଜୀ ସୁଭାଷଚନ୍ଦ୍ର ବୋସ୍,ୱେଲ୍ ଡନ୍ ଆବ୍ବା, ସରର୍ଦ୍ଦାରୀ ବେଗମ, ମଣ୍ଡି, ଜୁବୈଦା ଓ ୱେଲ୍ କମ୍ ଟୁ ସଜ୍ଜନପୁର।
୧୯୩୪ ଡିସେମ୍ବର ୧୪ ତାରିଖରେ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ ଶ୍ୟାମ ବେନେଗଲ। ତାଙ୍କ ବାପାଙ୍କ ନାଁ ଶ୍ରୀଧର ବି. ବେନେଗଲ। ତାଙ୍କ ବାପା ଜଣେ ଜଣାଶୁଣା ଫଟୋଗ୍ରାଫର ଥିଲେ। ସେ କର୍ଣ୍ଣାଟକର ହୋଇଥିଲେ ହେଁ ହାଇଦ୍ରାବାଦରେ ରହୁଥିଲେ। ଶ୍ୟାମ ବେନେଗଲ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଏମ୍ଏ କରିଥିଲେ। ସେ ଜଣେ କପିରାଇଟର ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ଏକ ବିଜ୍ଞାପନ ସଂସ୍ଥାରେ।ଗୁଜରାଟୀ ଭାଷାରେ ସେ ତାଙ୍କ ପ୍ରଥମ ବୃତ୍ତଚିତ୍ର ‘ଘର ବେଠା ଗଙ୍ଗା’ ନିର୍ମାଣ କରିଥିଲେ ୧୯୬୨ ମସିହାରେ। ତାଙ୍କର ପ୍ରଥମ ଚାରିଟି ଫିଲ୍ମ ‘ଅଙ୍କୁର’ (୧୯୭୩), ‘ନିଶାନ୍ତ’ (୧୯୭୫), ମନ୍ଥନ (୧୯୭୬) ଓ ଭୂମିକା (୧୯୭୭) ସେତେବେଳେ ଭାରତରେ ସମାନ୍ତରାଳ ଚଳଚ୍ଚିତ୍ର କ୍ଷେତ୍ରରେ ଏକ ବିପ୍ଳବ ଆଣିଥିଲା।
୧୯୬୬ରୁ ୧୯୭୩ ମଧ୍ୟରେ ଶ୍ୟାମ ବେନେଗଲ ପୁନେ ସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫଟିଆଆଇ)ରେ ଅଧ୍ୟାପନା କରିଥିଲେ। ସେ ଦୁଇ ଥର (୧୯୮୦-୮୩ ଓ ୧୯୮୯-୯୨) ଏହି ଅନୁଷ୍ଠାନର ଚେୟାରମ୍ୟାନ ରହିଥିଲେ।