Advertisment

ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଇ-ମେଲ୍‌, ବଢ଼ିଲା ସୁରକ୍ଷା ‍ବ୍ୟବସ୍ଥା

ଶନିବାର ସଲମାନଙ୍କ ଘନିଷ୍ଠ ପ୍ରଶାନ୍ତ ଗୁଞ୍ଜଲକରଙ୍କ ପାଖକୁ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା। ଏହାକୁ ପଠାଇଥିବା ବ୍ୟକ୍ତି ଜଣଙ୍କ ନିଜକୁ ରୋହିତ ଗର୍ଗ ବୋଲି କହିଛି।

author-image
Hemant Lenka
Salman Khan

Salman Khan

ବଲିଉଡର ଭାଇଜାନ୍‌ ସଲମାନ ଖାନଙ୍କୁ ଇ-ମେଲ ଯୋଗେ ମିଳିଛି ଧମକ। ସଲମାନଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କ ପାଖକୁ ଏହି ଇ-ମେଲ ଆସିଛି। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗୋଟିଏ ଇଣ୍ଟରଭ୍ୟୁରେ ଦେଇଥିବା ବୟାନ କଥା ମଧ୍ୟ ଏହି ଇ-ମେଲରେ କୁହାଯାଇଛି। ସଲମାନ ସମୟ ଥାଉ ଥାଉ ସବୁ କିଛିର ସମାଧାନ କରନ୍ତୁ, ନଚେତ ଆଗକୁ ପରିଣାମ ଭୟଙ୍କର ହେବ ବୋଲି ଇ-ମେଲ ପଠାଇଥିବା ବ୍ୟକ୍ତି ଜଣଙ୍କ ଧମକ ଦେଇଛନ୍ତି। 

Advertisment

ନିଲକଟରେ ଲରେନ୍ସ ତା’ର ଇଣ୍ଟରଭ୍ୟୁରେ ସଲମାନଙ୍କୁ ଖୋଲା ଧମକ ଦେଇଥିଲା। ଏଥିସହ ତାଙ୍କୁ ହତ୍ୟା କରିବା ହିଁ ତା’ ଜୀବନର ଏକମାତ୍ର ଲକ୍ଷ୍ୟ ବୋଲି ସେ କ୍ୟାମେରା ସାମ୍ନାରେ କହିଥିଲେ। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ସଲମାନଙ୍କୁ ପୁଣିଥରେ ଧମକ ମିଳିଛି। 

ବାରମ୍ବାର ସଲାମାନଙ୍କୁ ଧମକ ମିଳିଥିବାରୁ ମୁମ୍ବାଇ ପୁଲିସ୍‌ ଲରେନ୍ସ ଓ ଅନ୍ୟତମ ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର ବିରୋଧରେ ମାମଲା ରୁଜୁ କରିଛି। ସେହିପରି ଧମକ ମିଳିବା ପରେ ସଲମାନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

Advertisment

ଶନିବାର ସଲମାନଙ୍କ ଘନିଷ୍ଠ ପ୍ରଶାନ୍ତ ଗୁଞ୍ଜଲକରଙ୍କ ପାଖକୁ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା। ଏହାକୁ ପଠାଇଥିବା ବ୍ୟକ୍ତି ଜଣଙ୍କ ନିଜକୁ ରୋହିତ ଗର୍ଗ ବୋଲି କହିଛି। ଇ-ମେଲ ମିଳିବା ମାତ୍ରେ ସଲମାନଙ୍କ ଟିମ ତୁରନ୍ତ ଏ ସଂକ୍ରାନ୍ତରେ ପୁଲିସ୍‌କୁ ଅବଗତ କରାଇଥିଲା। ଏଥିସହ ଗର୍ଗ, ଲରେନ୍ସ ଓ ବ୍ରାର ଏହି ଇ-ମେଲ ପଛରେ ରହିଥିବା ସଲମାନଙ୍କ ଟିମ ଅଭିଯୋଗ କରିଛି। 

ରୋହିତ ଗର୍ଗ ପଠାଇଥିବା ଇ-ମେଲରେ କୁହାଯାଇଛି ଯେ ସଲମାନଙ୍କ ସହ ଗ୍ୟାଙ୍ଗଷ୍ଟର ବ୍ରାର କଥା ହେବାକୁ ଚାହୁଁଛି। ଏଥିସହ ତାଙ୍କୁ ହତ୍ୟା କରିବା ପାଇଁ ବିଭିନ୍ନ ପ୍ରକାରର ଧମକ ମଧ୍ୟ ଏଥିରେ ରହିଛି।

ଇ-ମେଲରେ ଲେଖାଯାଇଛି ଯେ “ଗୋଲ୍ଡୀ ବ୍ରାର ତୁମ ବସ୍‌(ସଲମାନ ଖାନ)ଙ୍କ ସହ କଥା ହେବାକୁ ଚାହୁଁଛନ୍ତି। ସେ ନିଶ୍ଚିତ ଭାବେ ବିଷ୍ଣୋଇଙ୍କ ସାକ୍ଷାତକାର ଦେଖିଥିବେ। ଯଦି ସେ ଦେଖି ନାହାନ୍ତି, ତା’ହେଲେ ତାଙ୍କୁ ଦେଖିବାକୁ କୁହ। ଯଦି ସେ ଚାହୁଁଛନ୍ତି ପୂରା ମାମଲା ଏଠାରେ ବନ୍ଦ ହୋଇଯାଉ, ତା’ହେଲେ ତୁରନ୍ତ ବ୍ରାରଙ୍କ ସହ କଥା ହୁଅନ୍ତୁ।

ଯଦି ସେ ମୁହାଁମୁହିଁ କଥା ହେବାକୁ ଚାହୁଁଛନ୍ତି, ତା’ହେଲେ ସେକଥା ମଧ୍ୟ ଆମକୁ ଜଣାଅ। ଏହାର ବ୍ୟବସ୍ଥା ଆମେ କରିବୁ। ଆମେ ଏଥର ଠିକଣା ସମୟରେ ତୁମକୁ ସବୁ କଥା କହି ଦେଉଛୁ। ପରବର୍ତ୍ତୀ ସମୟରେ ତୁମେ କେବଳ ଘଟଣା ଦେଖି ସ୍ତବ୍ଧ ହେବ।” ଏହି ଧମକ ପରେ ବାନ୍ଦ୍ର ପୁଲିସ୍‌ ଆଇପିସିର ଧାରା ୫୦୬(୨), ୧୨୦(ବି) ଓ ୩୪ ଅନୁସାରେ ମାମଲା କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସଲମାନଙ୍କ ଗ୍ୟାଲେକ୍ସି ସାମ୍ନାରେ ଅଧିକ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି।

Bollywood Salman Khan