ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ନିହ୍ନାଙ୍କ ବାହାଘରକୁ ନେଇ ବି-ଟାଉନରେ ଖୁବ୍ ଚର୍ଚ୍ଚା ହେଉଛି। ଖୁବ୍ ଶୀଘ୍ର ଜାହିର ଇକବଲଙ୍କ ସହ ତାଙ୍କ ହାତଗଣ୍ଠି ପଡ଼ିବ ବୋଲି କୁହାଯାଉଛି। ଏହାରି ମଧ୍ୟରେ ସୋନାକ୍ଷୀଙ୍କ ବାପା ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା ଝିଅର ବାହାଘରକୁ ନେଇ ମୁହଁ ଖୋଲିଛନ୍ତି।
ଏକ ସାକ୍ଷାତକାରରେ ଝିଅ ବାହାଘରକୁ ନେଇ ପଚରାଯିବାରୁ ସେ କହିଛନ୍ତି, "ମୁଁ ଏବାବଦରେ ଅବଗତ ନାହିଁ। କେବଳ ଯାହା ଗଣମାଧ୍ୟମରୁ ଶୁଣିବାକୁ ପାଇଛି। ଯେତେବେଳେ ସେମାନେ ମୋତେ ଜଣାଇବେ, ମୁଁ ନିଶ୍ଚୟ ଆଶୀର୍ବାଦ କରିବି। ବର୍ତ୍ତମାନ ମୁଁ ଦିଲ୍ଲୀରେ ଅଛି। ନିର୍ବାଚନ ଫଳାଫଳ ପରେ ମୁଁ ଏଠାକୁ ଆସିଛି। ମୋ ଝିଅର ଯୋଜନା ବିଷୟରେ ମୁଁ କାହା ସହିତ କଥାବାର୍ତ୍ତା କରି ନାହିଁ। ସେ ବି ମୋତେ ଏ ବିଷୟରେ କିଛି କହି ନାହିଁ।"
ସେ ଆହୁରି କହିଛନ୍ତି, "ଝିଅ ବାହାଘର ବିଷୟରେ ମୁଁ ସେତିକି ଜାଣିଛି, ଯେତିକି ଗଣମାଧ୍ୟମ ନିକଟରେ ପହଞ୍ଚିଛି। ଯଦି ସେ ମୋତେ ଜଣାଏ, ତେବେ ମୁଁ ଆଉ ମୋ ପତ୍ନୀ ଦମ୍ପତିଙ୍କୁ ଆଶୀର୍ବାଦ କରିବୁ। ଆମେ ସବୁବେଳେ ସେମାନଙ୍କ ଖୁସି କାମନା କରୁଛୁ। ଆମର ତା ନିଷ୍ପତ୍ତି ଉପରେ ସମ୍ପୂର୍ଣ୍ଣ ଭରସା ଅଛି। ସେ କଦାପି ସାମ୍ବିଧାନିକ ନିୟମର ବାହାରେ କିମ୍ବା ବେଆଇନ ନିଷ୍ପତ୍ତି ନେବେ ନାହିଁ। ସାବାଳିକା ହିସାବରେ ନିଜ ନିଷ୍ପତ୍ତି ନେବାର ଅଧିକାର ପାଇଛି।"
ଏତେ ସବୁ କହିସାରିବା ପରେ ମୁଁ କହିବାକୁ ଚାହିଁବି ଯେ, ମୋ ଝିଅ ଯେଉଁଠି ବି ବାହା ହେବ ମୁଁ ବରଯାତ୍ରୀରେ ନାଚିବି। ମୋତେ ମୋର ଘନିଷ୍ଠ ବନ୍ଧୁମାନେ ପଚାରୁଛନ୍ତି, ମୁଁ କାହିଁକି ଝିଅ ବାହାଘର ବିଷୟରେ ଜାଣି ନାହିଁ, ଗଣମାଧ୍ୟରୁ ଜାଣୁଛି। କହିବାକୁ ଚାହିଁବି କି, ଆଜିକାଲିକା ପିଲାମାନେ ବାପାମାଆଙ୍କ ସହମତି ନିଅନ୍ତିନି, କେବଳ ସୂଚନା ଦେଇଦିଅନ୍ତି। ଆମେ ସେହି ସୂଚନାକୁ ଅପେକ୍ଷା କରିଛୁ ବୋଲି ଶତ୍ରୁଘ୍ନ ସିହ୍ନା କହିଛନ୍ତି।
ପ୍ରକାଶ ଥାଉକି, ସୋନାକ୍ଷୀ ସିହ୍ନା ଅଭିନେତା ଜାହିର ଇକବଲଙ୍କ ସହ ବାହାଘରକୁ ନେଇ ଗଣମାଧ୍ୟମରେ କିମ୍ବା ବ୍ୟକ୍ତିଗତ ଭାବେ କୌଣସି ପୋଷ୍ଟ କରି ସୂଚନା ଦେଇନାହାନ୍ତି। କିନ୍ତୁ ଚଳିତ ମାସ ମୁମ୍ବାଇରେ ଉଭୟଙ୍କ ବିବାହ ହେବା ନେଇ ଚର୍ଚ୍ଚା ହେଉଛି। ଏପରିକି ବାହାଘର କାର୍ଡ ମଧ୍ୟ ଛପା ସରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।