Advertisment

Shilpa Shetty: ପ୍ରଥମେ ୬୦ କୋଟି ଦିଅ: ଶିଳ୍ପା ଶେଟ୍ଟୀଙ୍କୁ ବିଦେଶ ଯିବାକୁ ଅନୁମତି ଦେଲେନି କୋର୍ଟ

ଗତ ସପ୍ତାହରେ ଶିଳ୍ପା ଓ ରାଜ କୁନ୍ଦ୍ରା ଥାଇଲ୍ୟାଣ୍ଡ ଯିବାକୁ ଅନୁମତି ମାଗିଥିଲେ। କିନ୍ତୁ ସେମାନଙ୍କ ବିରୋଧରେ ସାଂଘାତିକ ମାମଲା ଥିବାରୁ କୋର୍ଟ ଏଥିପାଇଁ ବି ଅନୁମତି ଦେଇ ନଥିଲେ।

author-image
Hemant Lenka
Raj

ଶିଳ୍ପା ଓ ରାଜ କୁନ୍ଦ୍ରା (ଫାଇଲ ଫଟୋ)

ଠକେଇ ମାମଲାରେ ଫସିଥିବା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ(Shilpa Shetty)ଙ୍କୁ ବଡ଼ ଝଟକା। ସେ ବିଦେଶ ଯିବାକୁ ଅନୁମତି ମାଗିଥିଲେ ହେଁ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି ବମ୍ବେ ହାଇକୋର୍ଟ। ଶ୍ରୀଲଙ୍କାର କଲୋମ୍ବୋରେ ଆୟୋଜିତ ଗୋଟିଏ ୟୁଟ୍ୟୁବ କାର୍ଯ୍ୟକ୍ରମରେ ସେ ଯୋଗ ଦେବାକୁ ଚାହୁଁଥିଲେ।

Advertisment

ହେଲେ ତାଙ୍କ ନାଁରେ ୬୦ କୋଟି ଟଙ୍କାର ଠକେଇ ମାମଲା ରହିଥିବାରୁ କୋର୍ଟ ତାଙ୍କୁ ବିଦେଶ ଗସ୍ତରେ ଯିବାକୁ ଅନୁମତି ଦେଇ ନାହାନ୍ତି। ପ୍ରଥମେ ୬୦ କୋଟି ଟଙ୍କା ଦିଅ, ତା’ପରେ ଆବେଦନକୁ ବିଚାରକୁ ନିଆଯିବ ବୋଲି କୋର୍ଟ କହିଛନ୍ତି। 

ଅର୍ଥନୀତିକ ଅପରାଧ ଶାଖା ପୂର୍ବରୁ ଶିଳ୍ପା ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା(Raj Kundra) ଙ୍କ ନାଁରେ ଲୁକ ଆଉଟ ସର୍କ୍ୟୁଲାର ଜାରି କରିଛି। ଏଥିଯୋଗୁ କୋର୍ଟ କିମ୍ବା ତଦନ୍ତକାରୀ ଅଧିକାରୀଙ୍କ ବିନା ଅନୁମତିରେ ସେମାନେ ବିଦେଶ ଗସ୍ତରେ ଯାଇ ପାରିବେ ନାହିଁ। ଏଲଓସି ଜାରି ହୋଇଥିବାରୁ ଶିଳ୍ପା ସିଧା ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। 

Advertisment

ଶୁଣାଣି ବେଳେ ଶିଳ୍ପାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ଅକ୍ଟୋବର ୨୫ରୁ ୨୯ ଯାଏ କଲୋମ୍ବୋରେ ଆୟୋଜିତ ୟୁଟ୍ୟୁବ କାର୍ଯ୍ୟକ୍ରମରେ ଅଭିନେତ୍ରୀ ଜଣଙ୍କ ଯୋଗ ଦେବାର ଆବଶ୍ୟକତା ରହିଛି। ଏହା ଶୁଣି କୋର୍ଟ ନିମନ୍ତ୍ରଣ ପତ୍ର ମାଗିଥିଲେ। କିନ୍ତୁ ଓକିଲ କହିଥିଲେ ଯେ ଆୟୋଜକ ଓ ଶିଳ୍ପାଙ୍କ ମଧ୍ୟରେ ଫୋନ ଯୋଗେ କଥାବାର୍ତ୍ତା ହୋଇଛି। କୋର୍ଟ ବିଦେଶ ଗସ୍ତ ପାଇଁ ଅନୁମତି ଦେବା ପରେ ବିଧିବଦ୍ଧ  ନିମନ୍ତ୍ରଣପତ୍ର ଆୟୋଜକ ପଠାଇବେ। 

ତେବେ କୋର୍ଟ ଶିଳ୍ପାଙ୍କ ଓକିଲ କରିଥିବା ଅନୁରୋଧକୁ ଗ୍ରହଣ କରି ନଥିଲେ। ଦମ୍ପତିଙ୍କ ପ୍ରଥମେ ଠକେଇ ଅଭିଯୋଗ ପାଇଁ ୬୦ କୋଟି ଟଙ୍କା ଦିଅନ୍ତୁ। ଏହାପରେ ବିଦେଶ ଗସ୍ତ ପାଇଁ ଅନୁମତି ମାଗିବେ ବୋଲି କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୪ରେ ହେବ। ବମ୍ବେ ହାଇକୋର୍ଟ କେବଳ ଏପରି କଥା ଶୁଣାଣି ସମୟରେ କହିଛନ୍ତି। କୋର୍ଟଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ କିମ୍ବା ରୁଲିଂ ଦିଆଯାଇନାହିଁ। 

ଗତ ସପ୍ତାହରେ ଶିଳ୍ପା ଓ ରାଜ କୁନ୍ଦ୍ରା ଥାଇଲ୍ୟାଣ୍ଡ ଯିବାକୁ ଅନୁମତି ମାଗିଥିଲେ। କିନ୍ତୁ ସେମାନଙ୍କ ବିରୋଧରେ ସାଂଘାତିକ ମାମଲା ଥିବାରୁ କୋର୍ଟ ଏଥିପାଇଁ ବି ଅନୁମତି ଦେଇ ନଥିଲେ। ଲଥିସହ ମୁମ୍ବାଇ ପୁଲିସ୍‌ର ଅର୍ଥନୀତିକ ଅପରାଧ ଶାଖା ଜାରି କରିଥିବା ଏଲଓସି ଉପରେ ମଧ୍ୟ କୋର୍ଟ ରୋକ ଲଗାଇବାକୁ ମନା କରିଦେଇଥିଲେ। 
ଏହି ସେଲେବ୍ରିଟି ଦମ୍ପତି ଜଣେ ବ୍ୟବସାୟୀଙ୍କୁ ୬୦ କୋଟି ଟଙ୍କାର ଚୂନ ଲଗାଇଥିବା ଅଭିଯୋଗ ହୋଇଛି।

 ବର୍ତ୍ତମାନ ବନ୍ଦ ହୋଇ ସାରିଥିବା ଦମ୍ପତିଙ୍କ ବେଷ୍ଟ ଡିଲ ଟିଭି ପ୍ରାଇଭେଟ ଲିଃ ସହ ଗୋଟିଏ ପୁଞ୍ଜି ନିବେଶ ବୁଝାମଣା ଜରିଆରେ ଏପରି ଠକେଇ ହୋଇଥିବା କୁହାଯାଉଛି। ବ୍ୟବସାୟୀ ଦୀପକ କୋଠାରୀ ଅଭିଯୋଗ କରିଛନ୍ତି ଯେ ୨୦୧୫ରୁ ୨୦୨୩ ମଧ୍ୟରେ ଶିଳ୍ପା ଓ ରାଜ ତାଙ୍କ ଠାରୁ ବ୍ୟବସାୟ ସଂପ୍ରସାରଣ ପାଇଁ ୬୦ କୋଟି ଟଙ୍କା ନେଇଥିଲେ। କିନ୍ତୁ ଏହାକୁ ସେମାନେ ବ୍ୟବସାୟ ବଦଳରେ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଥିଲେ। ପ୍ରଥମେ ଏହାକୁ ସେମାନେ ଋଣ ଆକାରରେ ଶ୍ରୀ କୋଠାରୀଙ୍କୁ ଠାରୁ ନେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହାକୁ କମ୍ପାନୀରେ ନିବେଶ ଭାବେ ଦର୍ଶାଇଥିଲେ।

ଋଣ ନେବା ବେଳେ ଶିଳ୍ପା ଓ ରାଜ ମିଳିତ ଭାବେ କୋଠାରୀଙ୍କୁ କହିଥିଲେ ଯେ ଗୋଟିଏ ସୀମିତ ସମୟ ମଧ୍ୟରେ ୧୨% ସୁଧ ସହ ତାଙ୍କୁ ସେମାନେ ଟଙ୍କା ଫେରସ୍ତ କରିବେ। ଏପରି କି ୨୦୧୬ ଏପ୍ରିଲ ମାସରେ ଶିଳ୍ପା ଶେଟ୍ଟୀ ଲିଖିତ ଭାବେ ଟଙ୍କା ଫେରସ୍ତର ଗ୍ୟାରେଣ୍ଟୀ ଦେଇଥିଲେ। କିନ୍ତୁ କିଛି ମାସ ପରେ କମ୍ପାନୀର ନିର୍ଦ୍ଦେଶକ ପଦରୁ ଶିଳ୍ପା ଇସ୍ତଫା ଦେଇଥିଲେ।

ବ୍ୟବସାୟୀ ଜଣଙ୍କ ଦାବି କରିଛନ୍ତି ଯେ ପରବର୍ତ୍ତୀ ସମୟରେ କମ୍ପାନୀ ବିରୋଧରେ ୧.୨୮ କୋଟିର ଗୋଟିଏ ଦେବାଳିଆ ମାମଲା ଚାଲିଥିବା ସେ ଜାଣିବାକୁ ପାଇଥିଲେ। କିନ୍ତୁ ଏ ସମ୍ପର୍କରେ ତାଙ୍କୁ ଆଗୁଆ କୁହାଯାଇ ନଥିଲା। ଏନେଇ ସେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ।

ବ୍ୟବସାୟୀ କୋଠାରୀ ଏପରି ଅଭିଯୋଗ ଆଣିଥିବା ବେଳେ ଶିଳ୍ପା ଓ ରାଜ ଏହାକୁ ଖଣ୍ଡନ କରିଛନ୍ତି। ସେମାନଙ୍କ ଛବିକୁ ମଳିନ କରିବା ପାଇଁ ବ୍ୟବସାୟୀ ଜଣଙ୍କ ଏପରି ଅଭିଯୋଗ ଆଣିଥିବା ଉଭୟ କହିଛନ୍ତି। 

Raj Kundra Shilpa Shetty