Advertisment

ଅଭିନେତ୍ରୀ ଜିଆ ଖାନ ଆତ୍ମହତ୍ୟା ମାମଲାରେ ସୂରଜ ପଞ୍ଚୋଲି ନିର୍ଦ୍ଦୋଷ

ଜିଆ ଖାନଙ୍କ ମୃତ୍ୟୁକୁ ଆଉ ଦୁଇ ମାସ ପରେ ୧୦ ବର୍ଷ ପୂରିବାକୁ ଥିବା ବେଳେ କୋର୍ଟ ସୂରଜଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Sooraj and Zia

Sooraj and Zia

ବହୁ ଚର୍ଚ୍ଚିତ ବଲିଉଡ୍ ଅଭିନେତ୍ରୀ ଜିଆ ଖାନ ଆତ୍ମହତ୍ୟା ଘଟଣାରେ ଅଭିନେତା ସୂରଜ ପଞ୍ଚୋଲିଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ। ଜିଆଙ୍କୁ ଆତ୍ମହତ୍ୟା କରିବା ପାଇଁ ସୂରଜ ଉସୁକାଇଥିବା ଅଭିଯୋଗ ରହିଥିଲା। ତେବେ ପ୍ରମାଣ ଅଭାବରୁ କୋର୍ଟ ସୂରଜଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି।

Advertisment

ସିବିଆଇ କୋର୍ଟଙ୍କ ରାୟ ଆସିବା ପରେ ଜିଆ ଖାନଙ୍କ ମା’ କହିଛନ୍ତି, ଏହା ହେଉଛି ଏକ ହତ୍ୟା ଘଟଣା। ମୁଁ ହାଇକୋର୍ଟ ଯିବି। ଏପର୍ଯ୍ୟନ୍ତ ଜିଆର ମୃତ୍ୟୁ ପଛର କାରଣ ଜଣାପଡ଼ିନାହିଁ।

୨୦୧୩ ଜୁନ ୩ ତାରିଖରେ ଜିଆ ଖାନଙ୍କ ଝୁଲନ୍ତା ମୃତଦେହ ତାଙ୍କର ଜୁହୁ ସ୍ଥିତ ଘରୁ ମିଳିଥିଲା। ପୁଲିସ୍‌କୁ ସେଠାରୁ ୬ ପୃଷ୍ଠାର ଏକ ଚିଠି ମିଳିଥିଲା। ଏଥିରେ ସେ ସୂରଜଙ୍କ ସହିତ ତାଙ୍କର ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ। ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଥିଲା। ସୂରଜ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ଜିଆ ଲେଖିଥିଲେ। ଉକ୍ତ ଚିଠି ଆଧାରରେ ପୁଲିସ ସୂରଜ ପଞ୍ଚୋଲିଙ୍କୁ ଗିରଫ କରିଥିଲା। ଜିଆଙ୍କୁ ଆତ୍ମହତ୍ୟା କରିବା ପାଇଁ ସେ ଉସୁକାଇଥିବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା। ତେବେ ୨୦୧୩ ଜୁନ ମାସରେ ଗିରଫ ହୋଇଥିବା ସୂରଜ ପଞ୍ଚୋଲିଙ୍କୁ ୨୦୧୩ ଜୁଲାଇ ମାସରେ ଜାମିନ ମିଳି ଯାଇଥିଲା।

Advertisment

ଗତ ସପ୍ତାହରେ ସିବିଆଇ କୋର୍ଟ ଏହି ମାମଲାରେ ଶେଷ ଥର ପାଇଁ ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ ଓ ରାୟ ସଂରକ୍ଷିତ ରଖିଥିଲେ। ଏପ୍ରିଲ ୧୨ ତାରିଖରେ ସୂରଜ କୋର୍ଟରେ ଶେଷ ଥର ପାଇଁ ତାଙ୍କ ପକ୍ଷ ରଖିଥିଲେ। ସେତେବେଳେ ସେ କହିଥିଲେ ଯେ ତାଙ୍କୁ ମିଛ ମାମଲରେ ଫସାଇ ଦିଆଯାଇଛି। ଜିଆଙ୍କୁ ସେ ଖୁବ ଭଲ ପାଉଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ସେ ଭାଙ୍ଗି ପଡ଼ିଥିଲେ।

ଜିଆଙ୍କ ମା’ ପ୍ରାରମ୍ଭରୁ ଏହା ଏକ ହତ୍ୟା ମାମଲା ବୋଲି ଦାବି କରି ଆସିଛନ୍ତି। ଏମିତିକି ଗତ ବର୍ଷ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ଏହି ମାମଲାରେ ପୁଣି ଥରେ ମୂଳରୁ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ। ତେବେ ହାଇକୋର୍ଟ ଏହାକୁ ଖାରଜ କରି ଦେଇଥିଲେ।

ସୂଚନାଯୋଗ୍ୟ, ସୂରଜ ପଞ୍ଚୋଲି ହେଉଛନ୍ତି ବଲିଉଡ ଅଭିନେତା ଆଦିତ୍ୟ ପଞ୍ଚୋଲି ଓ ଅଭିନେତ୍ରୀ ଜରୀନା ୱାହାବଙ୍କ ପୁଅ। 

Sooraj Pancholi Jiah Khan Bollywood Bollywood News