ଜିୟା ଖାନ୍‌ଙ୍କ ମା' ବିରୋଧରେ ଗିରଫ ୱାରେଣ୍ଟ ଜାରି କରିବାକୁ ଅପିଲ

ମୁମ୍ବାଇ: ଅଭିନେତ୍ରୀ ଜିୟା ଖାନ୍‌ଙ୍କ ମୃତ୍ୟୁ ମାମଲା ଉପରେ ଆଜି ଯାଏଁ ସସ୍‌ପେନ୍ସ ଜାରି ରହିଛି। ୯ ବର୍ଷ ପୂର୍ବେ ଅଭିନେତ୍ରୀ ଜିୟା ଖାନ୍‌ଙ୍କ ହଠାତ ଆତ୍ମହତ୍ୟା ଖବର ପୂରା ବି-ଟାଉନ୍‌କୁ ଦୋହଲାଇ ଦେଇଥିଲା। ଏବେ ଏହି ମାମଲାରେ ଏକ ନୂଆ ମୋଡ ସାମ୍ନାକୁ ଆସିଛି। ଜିୟା ଖାନ୍‌ଙ୍କ ମୃତ୍ୟୁ ମାମଲାର ବିଚାରରେ ତାଙ୍କ ମା’ ରାବିୟା ବିଳମ୍ବ କରାଉଥିବା ଦର୍ଶାଇ ତାଙ୍କ ନାଁରେ ଜାମିନ୍‌ବିହୀନ ୱାରେଣ୍ଟ ଜାରି କରିବା ପାଇଁ ଅଭିନେତା ସୂରଜ ପାଞ୍ଚୋଲି ମୁମ୍ବାଇସ୍ଥିତ […]

jiah-khans-mother-rabia

Madhupriya Mistry
  • Published: Wednesday, 29 June 2022
  • , Updated: 29 June 2022, 01:54 PM IST

ମୁମ୍ବାଇ: ଅଭିନେତ୍ରୀ ଜିୟା ଖାନ୍‌ଙ୍କ ମୃତ୍ୟୁ ମାମଲା ଉପରେ ଆଜି ଯାଏଁ ସସ୍‌ପେନ୍ସ ଜାରି ରହିଛି। ୯ ବର୍ଷ ପୂର୍ବେ ଅଭିନେତ୍ରୀ ଜିୟା ଖାନ୍‌ଙ୍କ ହଠାତ ଆତ୍ମହତ୍ୟା ଖବର ପୂରା ବି-ଟାଉନ୍‌କୁ ଦୋହଲାଇ ଦେଇଥିଲା। ଏବେ ଏହି ମାମଲାରେ ଏକ ନୂଆ ମୋଡ ସାମ୍ନାକୁ ଆସିଛି। ଜିୟା ଖାନ୍‌ଙ୍କ ମୃତ୍ୟୁ ମାମଲାର ବିଚାରରେ ତାଙ୍କ ମା' ରାବିୟା ବିଳମ୍ବ କରାଉଥିବା ଦର୍ଶାଇ ତାଙ୍କ ନାଁରେ ଜାମିନ୍‌ବିହୀନ ୱାରେଣ୍ଟ ଜାରି କରିବା ପାଇଁ ଅଭିନେତା ସୂରଜ ପାଞ୍ଚୋଲି ମୁମ୍ବାଇସ୍ଥିତ ସ୍ୱତନ୍ତ୍ର ‘ସିବିଆଇ’ ଅଦାଲତରେ ମଙ୍ଗଳବାର ଦିନ ଦରଖାସ୍ତ କରିଥିଲେ।

ରାବିୟା ସମନ୍‌କୁ ଏଡ଼ାଉଛନ୍ତି ଏବଂ ଜାଣିଶୁଣି ସ୍ୱତନ୍ତ୍ର ‘ସିବିଆଇ’ ଅଦାଲତରେ ହାଜର ହେଉ ନାହାନ୍ତି ବୋଲି ପାଞ୍ଚୋଲି କହିଛନ୍ତି। ତେଣୁ, ଅଦାଲତ ତାଙ୍କ ନାଁରେ ଜାମିନ୍‌ବିହୀନ ଗିରଫ ପର୍‌ୱାନା ଜାରି କରିବାକୁ ସେ ନିବେଦନ କରିଛନ୍ତି।

ପାଞ୍ଚୋଲିଙ୍କ ଉକ୍ତ ଦରଖାସ୍ତରେ ଉଲ୍ଲେଖ ଅଛି, ମୂଳ ଅଭିଯୋଗକାରିଣୀ ତଥା ରାବିୟାଙ୍କୁ ଅଦାଲତ ଅନେକ ଥର ସମନ୍‌ ଜାରି କଲେଣି, କିନ୍ତୁ, ସେ ବୟାନ ଦେବା ପାଇଁ ଅଦାଲତରେ ହାଜର ହେଉନାହାନ୍ତି। ତୁରନ୍ତ ବିଚାର ନିମନ୍ତେ ରାବିୟା ଅଦାଲତଙ୍କୁ ସହଯୋଗ ନ କରୁଥିବା ପରି ମନେହେଉଛି। ତେଣୁ, ବିଚାରରେ ବିଳମ୍ବ କରାଇବା ଲାଗି ସେ ଅଦାଲତରେ ହାଜର ହେଉନାହାନ୍ତି।

ପା‌ଞ୍ଚୋଲିଙ୍କ ଦରଖାସ୍ତର ଉତ୍ତର ଦେବା ପାଇଁ ସ୍ୱତନ୍ତ୍ର ‘ସିବିଆଇ’ ବିଚାରପତି ଏଏସ୍‌ ସାୟଦ ‘ସିବିଆଇ’କୁ କହିଛନ୍ତି। ଜୁଲାଇ ୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି।

ବୟାନ ଦେବା ପାଇଁ ୨୦୨୨ ଫେବ୍ରୁଆରୀରୁ କୋର୍ଟ ରାବିୟାଙ୍କୁ ସମନ୍‌ ପଠାଇ ଚାଲିଛନ୍ତି। ଏଯାବତ୍‌ ସେ ଦୁଇଟିର ହିଁ ଜବାବ ଦେଇଛନ୍ତି। ଥରେ ସେ କହିଥିଲେ ଯେ, ସେ ଲଣ୍ଡନ୍‌ରୁ ମୁମ୍ବାଇ ଯାଇ ପାରିବେ ନାହିଁ। ତାଙ୍କ ଇଣ୍ଟର୍‌ନେଟ୍‌ କାମ କରୁନାହିଁ। ଆଉ ଥରେ ସେ କହିଥିଲେ, ତାଙ୍କ ଘରେ ବଢ଼ିପାଣି ପଶିଯାଇଛି। ଏଯାବତ୍‌ ଅଭିନେତ୍ରୀ ଜିୟା ଖାନ ମୃତ୍ୟୁ ମାମଲା ବିଚାରରେ ଅଦାଲତରେ ୧୪ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ଆଉ ଅଳ୍ପ କେତେଜଣ ଅଦାଲତରେ ହାଜର ହୋଇ ବୟାନ ଦେବେ।

ଉଲ୍ଲେଖଯୋଗ୍ୟ, ୨୦୧୩ରେ ନିଜ ବାସଭବନରେ ଜିୟା ଖାନଙ୍କ ମୃତଦେହ ମିଳିଥିଲେ। ତାଙ୍କୁ ଆତ୍ମହତ୍ୟା କରାଇବାକୁ ବାଧ୍ୟ କରାଇଥିବା କହି ପୁଲିସ ତାଙ୍କ ପ୍ରେମିକ ସୂରଜ ପାଞ୍ଚୋଲିଙ୍କୁ ଗିରଫ କରିଥିଲା। ଘଟଣାର ‘ସିବିଆଇ’ ତଦନ୍ତ କରିବା ଲାଗି ଜିୟାଙ୍କ ମା’ ରାବିୟା ବମ୍ବେ ହାଇକୋର୍ଟଙ୍କୁ ନିବେଦନ କରିଥିଲେ।

Related story