Advertisment

କାହିଁକି ଦାଦା ସାହେବ ଫାଲ୍‌କେ ପୁରସ୍କାର ପ୍ରତ୍ୟାଖ୍ୟାନ କରିଥିଲେ ସୁଚିତ୍ରା ସେନ?

ବହୁ ସୁପରହିଟ୍‌ ସିନେମାର ନାୟିକା ସାଜିଥିବା ସୁଚିତ୍ରା ସେନ୍‌ କିନ୍ତୁ ନିଜ ନିଷ୍ପତ୍ତିରେ ସବୁବେଳେ ଅଟଳ ରହୁଥିଲେ। ଏଥିପାଇଁ ଦିନେ ସେ ଦାଦା ସାହେବ ଫାଲକେ ଆୱାର୍ଡ ନେବାକୁ ବି ମନା କରି ଦେଇଥିଲେ।

ଅଦ୍ୟତନ ହୋଇଛି
Suchitra Sen

Suchitra Sen

Advertisment

ବଙ୍ଗଳା ସହ ହିନ୍ଦୀ ଫିଲ୍ମରେ ବି ସେ ଛାଡ଼ି ଯାଇଛନ୍ତି ନିଜ ଅଭିନୟର ଛାପ। ‘ଆନ୍ଧୀ’, ‘ଦେବଦାସ’ ପରି ସୁପରହିଟ୍‌ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିବା ଲାସ୍ୟମୟୀ ଅଭିନେତ୍ରୀ ସୁଚିତ୍ରା ସେନ ବଙ୍ଗଳା ଫିଲ୍ମରେ ବି ଥିଲେ ଆଗ ଧାଡ଼ିର ନାୟିକା । ବହୁ ସୁପରହିଟ୍‌ ସିନେମାର ନାୟିକା ସାଜିଥିବା ସୁଚିତ୍ରା ସେନ୍‌ କିନ୍ତୁ ନିଜ ନିଷ୍ପତ୍ତିରେ ସବୁବେଳେ ଅଟଳ ରହୁଥିଲେ। ଏଥିପାଇଁ ବହୁ ବଡ଼ ବଡ଼ ପ୍ରୋଜେକ୍ଟକୁ ସେ ହାତ ଛଡ଼ା କରିଥିବା ବେଳେ ଦାଦା ସାହେବ ଫାଲକେ ଆୱାର୍ଡ ନେବାକୁ ବି ମନା କରି ଦେଇଥିଲେ। ବହୁ ହୃଦୟରେ ଏବେ ବି ରାଜ କରୁଥିବା ସୁଚିତ୍ରା ସେନଙ୍କର ଆଜି ହେଉଛି ଜନ୍ମଦିନ।  

Advertisment

ସୁଚିତ୍ରା ସେନ ୧୯୩୧ ମସିହା ଏପ୍ରିଲ ୬ରେ ବାଙ୍ଗଲାଦେଶର ପବନା ଜିଲ୍ଲାରେ ଜନ୍ମ ହୋଇଥିଲେ। ଜନ୍ମ ସମୟରେ ତାଙ୍କ ନାଁ ରୋମା ଦାସଗୁପ୍ତା ଥିଲା। ତାଙ୍କ ବାପା ଜଣେ ଶିକ୍ଷକ ଥିଲେ। ସୁଚିତ୍ରା ନିଜ ବାପାମା’ଙ୍କ ପଞ୍ଚମ ସନ୍ତାନ ଥିଲେ। ପିଲା ଦିନରୁ ଅଭିନୟ ପ୍ରତି ଆକୃଷ୍ଟ ଥିବା ସୁଚିତ୍ର ସେନ କିନ୍ତୁ ଏଥିପାଇଁ ସୁଯୋଗ ପାଇ ପାରି ନ ଥିଲେ। ମାତ୍ର ୧୫ ବର୍ଷ ବୟସରେ ସୁଚିତ୍ରାଙ୍କର କୋଲକତାର ଜଣେ ଧନୀ ବ୍ୟବସାୟୀ ଦିବାନାଥ ସେନଙ୍କ ସହ ବିବାହ ହୋଇଥିଲା।

ବିବାହ ପରେ ହିଁ ସେ ଅଭିନୟ ଜଗତରେ ପାଦ ଦେଇ ଲୋକଙ୍କ ହୃଦୟର ରାଣୀ ପାଲଟି ଯାଇଥିଲେ। ଅଭିନୟ ଦୁନିଆରେ ପାଦ ଦେବା ନିମନ୍ତେ ସୁଚିତ୍ରାଙ୍କୁ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ହିଁ ସବୁଠୁ ଅଧିକ ଉତ୍ସାହିତ କରିଥିଲେ। ଉଭୟଙ୍କ ସମର୍ଥନ ପାଇ ସେ ଅଭିନୟ ଦୁନିଆରେ ପାଦ ଦେବାକୁ ଘରୁ ଗୋଡ଼ କାଢ଼ିଥିଲେ। ଏହାପରେ ଆଉ ସେ ପଛକୁ ଫେରି ଚାହିଁ ନାହାନ୍ତି।

Advertisment

'ଚୈତୌର’ ନାମକ ଏକ ଚଳଚ୍ଚିତ୍ର ସହିତ ଅଭିନୟ ଜଗତରେ ଡେବ୍ୟୁ କରିଥିବା ସୁଚିତ୍ରା ଆଉ ପଛକୁ ଚାହିଁ ନଥିଲେ। ଏହି ଚଳଚ୍ଚିତ୍ରରେ ସେ ଅଭିନେତା ଉତ୍ତମ କୁମାରଙ୍କ ସହ ଅଭିନୟ କରିଥିଲେ। ଦର୍ଶକ ଏହି ଯୋଡିକୁ ଏତେ ପସନ୍ଦ କରିଥିଲେ ଯେ ପରେ ଦୁହେଁ ଅନେକ ଫିଲ୍ମରେ ଏକାଠି କାମ କରିଥିଲେ।

ସୁଚିତ୍ରା ନିଜ କ୍ୟାରିଅରରେ ୬୦ଟି ଫିଲ୍ମରେ ଅଭିନୟ କରିଥିବା ବେଳେ ସେଥିମଧ୍ୟରୁ ୩୦ଟି ଫିଲ୍ମରେ ସେ ଉତ୍ତମ କୁମାରଙ୍କ ଅପୋଜିଟରେ ନଜର ଆସିଥିଲେ। ସୁଚିତ୍ରା ଓ ଉତ୍ତମ କୁମାରଙ୍କ ଯୋଡ଼ିକୁ ବଙ୍ଗଳା ଫିଲ୍ମର ସବୁଠୁ ରୋମାଣ୍ଟିକ ଯୋଡ଼ି ଭାବେ ବିବେଚନା କରାଯାଏ। ସୁଚିତ୍ରା ହିଁ ବିମଳ ରାୟଙ୍କ ଫିଲ୍ମ ଦେବଦାସରେ ପାରୋ ଭୂମିକା ନିର୍ବାହ କରିଥିଲେ। ୧୯୭୫ ମସିହାରେ ରିଲିଜ ହୋଇଥିବା ‘ଆନ୍ଧୀ’ ଫିଲ୍ମରେ ସୁଚିତ୍ରାଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣି ନେଇଥିଲା।

Suchitra Senସୁଚିତ୍ରା ସେନ ।

୧୯୬୩ ମସିହାରେ ମସ୍କୋ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମ ‘ସାତ ପାକେ ବାନ୍ଧା’ ତାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମିଳିଥିଲା। ଏହି ଆୱାର୍ଡ ହାସଲ କରିବାରେ ସେ ପ୍ରଥମ ଭାରତୀୟ ଅଭିନେତ୍ରୀ ହୋଇ ପାରିଥିଲେ।

୧୯୮୦ ମସିହା ପରଠୁ ଗ୍ଲାମର ଦୁନିଆକୁ ବାଏ ବାଏ କହି ଦେଇଥିବା ସୁଚିତ୍ରା ସେନ୍‌ ସବୁବେଳେ ବାହାର ଦୁନିଆରୁ ଦୂରେଇ ରହୁଥିଲେ। ଏପରିକି ସେ ଆଉ କେବେ ବି ଲୋକଲୋଚନକୁ ଆସିବେନି ବୋଲି ଶପଥ ନେଇଥିଲ। ନିଜ ପ୍ରତିଜ୍ଞାରେ ସବୁବେଳେ ଅଟଳ ରହୁଥିବା ସୁଚିତ୍ରାଙ୍କୁ ଏଥିନିମନ୍ତେ ବହୁ ମୂଲ୍ୟ ଦେବାକୁ ପଡ଼ିଛି।

୨୦୦୫ ମସିହାରେ ତାଙ୍କୁ ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ମାତ୍ର ସୁଚିତ୍ରା ସେନ୍‌ ଏହି ପୁରସ୍କାର ଗ୍ରହଣ କରିବାକୁ ମନା କରି ଦେଇଥିଲେ। କାରଣ ଏଥିନିମନ୍ତେ ତାଙ୍କୁ କୋଲକତାରୁ ଦିଲ୍ଲୀ ଯିବାକୁ ପଡ଼ିଥାନ୍ତା ଓ ଲୋକଲୋଚନକୁ ଆସିବାକୁ ପଡ଼ିଥାନ୍ତା। ଯାହାକି ତାଙ୍କୁ ପସନ୍ଦ ନ ଥିଲା।

ନିଜ ସିଦ୍ଧାନ୍ତରେ ସବୁବେଳେ ଅଟଳ ରହୁଥିବା ସୁଚିତ୍ରା କେବଳ ୬ଟି ହିନ୍ଦୀ ଫିଲ୍ମରେ କାମ କରିଛନ୍ତି। ବଡ଼ ବଡ଼ ନିର୍ଦ୍ଦେଶକ ନିଜ ଫିଲ୍ମରେ ତାଙ୍କୁ କାଷ୍ଟ କରିବାକୁ ଚାହୁଁଥିବା ବେଳେ ସେ କିନ୍ତୁ ନିଜ ଇଚ୍ଛା ଅନୁଯାୟୀ କାମ କରୁଥିଲେ। ନିଜ ପସନ୍ଦ ହେଲେ ହିଁ ସେ ସ୍କ୍ରିପ୍ଟକୁ ହଁ କରୁଥିଲେ। ସୁଚିତ୍ରା ସେନ ୨୦୧୪ ମସିହା ଜାନୁୟାରୀ ୧୭ରେ ୮୨ବର୍ଷ ବୟସରେ ହୃଦଘାତରେ ଆଖି ବୁଜିଥିଲେ।

ସୁଚିତ୍ରା ସେନ୍‌ଙ୍କ ଝିଅ ମୁନମୁନ ସେନ ପ୍ରସିଦ୍ଧ ବଙ୍ଗଳା ଅଭିନେତ୍ରୀ ହୋଇଥିବା ବେଳେ ତାଙ୍କ ଝିଅ ରିଆ ଓ ରାଇମା ସେନ ବି ଗ୍ଲାମର ଦୁନିଆରେ ବେଶ୍‌ ଆକ୍ଟିଭ।

Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe