Advertisment

The Kerala Story ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ଗତବର୍ଷ ନଭେମ୍ବରରେ ଟିଜର ରିଲିଜ ହେବା ଦିନଠାରୁ The Kerala Story ବିବାଦ ମଧ୍ୟରେ ରହିଆସିଛି। ଏଥିରେ କୁହାଯାଇଥିଲା ଯେ କେରଳରୁ ୩୨ ହଜାର ଝିଅ ନିଖୋଜ ହେବା ପଛର କାରଣ ଜଣାପଡ଼ିଯାଇଛି।

author-image
Hemant Lenka
The Kerala Story

The Kerala Story

ବିବାଦରେ ଥିବା The Kerala Story ଫିଲ୍ମ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ଏକାଧିକ ଭାଷାରେ ରିଲିଜ୍‌ ହେବାକୁ ଥିବା The Kerala Storyରେ ଘୃଣା ସୃଷ୍ଟିକାରୀ ବୟାନ ରହିଛି। ଏହା ଅଡିଓ ଭିଜୁଆଲରେ କରାଯାଉଥିବା ଅପପ୍ରଚାରର ଅଂଶବିଶେଷ ବୋଲି ଦାବି କରି ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Advertisment

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ କେଏମ ଯୋଶେଫ ଓ ଜଷ୍ଟିସ ବିଭି ନାଗରତ୍ନାଙ୍କ ଖଣ୍ଡପୀଠଙ୍କୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ନିଜାମ ପାଶା କହିଥିଲେ ଯେ ଏହି ଫିଲ୍ମଟି ମେ’ ୫ ତାରିଖରେ ରିଲିଜ ହେବ। ଏହାର ଟ୍ରେଲରକୁ ୧୬ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି। ଏହା ଅଡିଓ ଓ ଭିଜୁଆଲ ଦ୍ୱାରା କରାଯାଉଥିବା ଅପପ୍ରଚାରର ଅଂଶ ବିଶେଷ। ଏହା ହେଟସ୍ପିଚ୍‌କୁ ପ୍ରୋତ୍ସାହିତ କରୁଛି।

ଏହା ଶୁଣି ଖଣ୍ଡପୀଠ କହିଛି, “ଅନେକ ପ୍ରକାରର ହେଟ ସ୍ପିଚ ରହିଛି। ଏହି ଫିଲ୍ମକୁ ରିଲିଜ ପାଇଁ ପ୍ରମାଣପତ୍ର ମିଳିଛି। ବୋର୍ଡ ଏହାକୁ ଅନୁମତି ଦେଇଛି। ଜଣେ ବ୍ୟକ୍ତି ମଞ୍ଚରେ ଚଢ଼ିଗଲେ ଓ ଅନିୟନ୍ତ୍ରିତ ଭାବେ ଭାଷଣ ଦେଲା ଭଳି ପରିସ୍ଥିତି ଏହା ନୁହେଁ। ଆପଣ ଯଦି ଫିଲ୍ମର ରିଲିଜ୍‌କୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ଏହାର ପ୍ରମାଣପତ୍ରକୁ ଚ୍ୟାଲେଞ୍ଜ କରିପାରିବେ। ଏଥିପାଇଁ ଆପଣ ଉପଯୁକ୍ତ ଫୋରମକୁ ଯାଆନ୍ତୁ।”

Advertisment

ଜବାବରେ ଶିବଲ କହିଥିଲେ, “ଆମେ ଯାହା ବି ଦରକାର ସବୁ କିଛି କରିବୁ।” ଜଷ୍ଟିସ ନାଗରତ୍ନା କହିଥିଲେ, ଆବେଦନକାରୀ ପ୍ରଥମେ ହାଇକୋର୍ଟ ଯିବାର ଥିଲା। ଓକିଲ ନିଜାମ କହିଥିଲେ, ଏଥିପାଇଁ ଆଦୌ ସମୟ ନାହିଁ। କାରଣ ସିନେମା ୫ ତାରିଖରେ ରିଲିଜ ହେବାକୁ ଯାଉଛି।

ଖଣ୍ଡପୀଠ ପୁଣି କହିଥିଲେ, “ଏହା କୌଣସି ପଡ଼ିଆ ନୁହେଁ। ନଚେତ୍ ସମସ୍ତେ ସୁପ୍ରିମକୋର୍ଟ ଆସିବା ଆରମ୍ଭ କରିଦେବେ।” ଏହାପରେ କୋର୍ଟ ଫିଲ୍ମର ରିଲିଜ୍‌ ଉପରେ ରୋକ ଲାଗିପାରିବ ନାହିଁ ବୋଲି କହିଛନ୍ତି।

ଗତବର୍ଷ ନଭେମ୍ବରରେ ଟିଜର ରିଲିଜ ହେବା ଦିନଠାରୁ The Kerala Story ବିବାଦ ମଧ୍ୟରେ ରହିଆସିଛି। ଏଥିରେ କୁହାଯାଇଥିଲା ଯେ କେରଳରୁ ୩୨ ହଜାର ଝିଅ ନିଖୋଜ ହେବା ପଛର କାରଣ ଜଣାପଡ଼ିଯାଇଛି। ଏହି ଫିଲ୍ମ କହିଛି ଯେ କେରଳରୁ ଯେଉଁ ୩୨ ହଜାର ଯୁବତୀ ନିଖୋଜ ହୋଇଥିଲେ ସେମାନେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସ୍‌)ରେ ସାମିଲ ହୋଇଥିଲେ। ଏହାକୁ ନେଇ ଦେଖାଦେଇଥିଲା ବିବାଦ। ଆଉ ଉଠିଥିଲା ଅନେକ ପ୍ରଶ୍ନ।

କେରଳରୁ ଏତେ ସଂଖ୍ୟକ ଝିଅ କେବେ ନିଖୋଜ ହେଲେ? କେଉଁ ଆଧାରରେ ଏହି ସଂଖ୍ୟା ପ୍ରକାଶ କରାଗଲା? ଜାତିସଂଘ କିମ୍ବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା କୌଣସି ରିପୋର୍ଟରେ ଏହି ସଂଖ୍ୟା ନଥିବା ବେଳେ ଫିଲ୍ମ ନିର୍ମାତା ଏହାକୁ କେଉଁଠୁ ଆଣିଲେ? କେମିତି ସତ କାହାଣୀ ଉପରେ ଏହା ଆଧାରିତ ହେଲା?

କେରଳରେ ଏହି ସିନେମାକୁ ବ୍ୟାନ କରିବାକୁ ଦାବି ହୋଇଛି। ଉଭୟ କେରଳ ସରକାର ଓ ବିରୋଧୀ ଦଳଗୁଡ଼ିକ ଏହି ଫିଲ୍ମକୁ ବିରୋଧ କରିଛନ୍ତି। ଅନ୍ୟପକ୍ଷରେ କେରଳର ମୁସଲିମ ୟୁଥ ଲିଗ କହିଛି ଯେ ଯଦି କେହି ପ୍ରମାଣ କରି ଦେବେ ଯେ ଆଇଏସ୍ ରାଜ୍ୟର ୩୨ ହଜାର ଯୁବତୀଙ୍କୁ ନେଇ ସେମାନଙ୍କ ହାତରେ ଅସ୍ତ୍ର ଧରାଇଛି, ତା’ହେଲେ ତାଙ୍କୁ କୋଟିଏ ଟଙ୍କାର ପୁରସ୍କାର ଦିଆଯିବ।

Bollywood The Kerala Story