Satish kaul
ମୁମ୍ବାଇ: ଆଉ ନାହାନ୍ତି `ମହାଭାରତ'ର ଇନ୍ଦ୍ରଦେବ। ଏହି ଚରିତ୍ରରେ ଅଭିନୟ କରିଥିବା ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ ହୋଇଛି । କରୋନାରେ ଭେଟେରାନ୍ ଅଭିନେତା ସତୀଶ କୌଲଙ୍କ ଆଜି ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା।
ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ସତୀଶ କୌଲ ଗତ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ ଆଜି ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ଫିଲ୍ମ ଜଗତର ଶୋକର ଛାୟା ଖେଳିଯାଇଛି। ଅନେକ କଳାକାର ଟୁଇଟ୍ କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।
ସତୀଶ କୌଲ ଏକଦା ହିନ୍ଦୀ ଏବଂ ପଞ୍ଜାବୀ ଚଳଚ୍ଚିତ୍ରରେ ଏକ ଜଣାଶୁଣା ନାଁ ଥିଲା | ୧୯୭୪ ରୁ ୧୯୮୮ ପର୍ଯ୍ୟନ୍ତ ସତୀଶ ୩୦୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। କେବଳ ସେତିକି ନୁହେଁ ଲୋକପ୍ରିୟ ଆଧ୍ୟାତ୍ମିକ ଟିଭି ସିରିଏଲ୍ `ମହାଭାରତ'ରେ ସେ ଇନ୍ଦ୍ରଦେବ ଚରିତ୍ରରେ ଅଭିନୟ କରି ଢ଼େର ପ୍ରଶଂସା ମଧ୍ୟ ସାଉଁଟି ଥିଲେ।
ଗତ ବର୍ଷ ସେ ସୋସିଆଲ ମିଡିଆରେ ଆର୍ଥିକ ସହାୟତା ଲୋଡିଥିଲେ। କରୋନା ଯୋଗୁଁ ସୃଷ୍ଟି ହୋଇଥିବା ଲଗଡାଉନ୍ ତାଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେଇଥିଲା। ସତୀଶଙ୍କ ପାଖରେ ଯେତିକି ଜମା ଟଙ୍କା ଥିଲା, ତାହା ଏକ ବ୍ୟବସାୟରେ ବୁଡ଼ି ଯାଇଥିଲା। ଏହା ପରେ ସେ ଆର୍ଥୀକ ସମସ୍ୟା ଦେଇ ଗତି କରୁଥିଲେ। ଗତ ବର୍ଷ ସତୀଶ ଲୋକମାନଙ୍କ ନିକଟରେ ନିବେଦନ କରି କହିଥିଲେ, 'ଜଣେ ଅଭିନେତା ରୂପେ ମୋତେ ଅନେକ ଭଲ ପାଇବା ମିଳିଛି। ଏବେ କିନ୍ତୁ ଜଣେ ମଣିଷ ରୂପେ ମୋତେ ସାହାଯ୍ୟ ଦରକାର।'
ସତୀଶ କୌଲ ଦୀର୍ଘ ସମୟ ଧରି ଲୁଧିଆନାରେ ରହୁଥିଲେ। ସେ ୨୦୧୧ରେ ମୁମ୍ବାଇ ଛାଡି ପଞ୍ଚାବ ଚାଲିଯାଇଥିଲେ। ସେଠାରେ ସେ ଏକ ଆକ୍ଟିଂ ସ୍କୁଲ ମଧ୍ୟ ଖୋଲିଥିଲେ। ସତିଶ କୌଲ `କର୍ମା', `ରାମ ଲଖନ୍', `ପ୍ୟାର୍ ତୋ ହୋନା ହିଁ ଥା', `ଆଣ୍ଟି ନମ୍ବର-୧' ଭଳି ଅନେକ ସୁପରହିଟ୍ ବଲିଉଡ ଫିଲ୍ମରେ କାମ କରିଛନ୍ତି।
https://twitter.com/ashokepandit/status/1380821471006662661?s=20
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/Satish-kaul.jpg)