Advertisment

ଆଉ ନାହାନ୍ତି ମନୋଜ କୁମାର: ଜାତୀୟ ପୁରସ୍କାରର ଟଙ୍କା ଭଗତ ସିଂହଙ୍କ ପରିବାରକୁ ଦେଇଥିଲେ, ଶାହରୁଖ ଖାନଙ୍କ ବିରୋଧରେ କେସ କରିଥିଲେ

୧୯୬୫ରେ ରିଲିଜ ହୋଇଥିବା ସହିଦ ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର ବନାଇ ଦେଇଥିଲା। ଦେହାନ୍ତ ପରେ ତାଙ୍କ ପାର୍ଥିବ ଶରୀରକୁ ଜୁହୁ ସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଛି।

author-image
Hemant Lenka
Manoj Kumar

Manoj Kumar

ଦେଶାତ୍ମବୋଧ ଫିଲ୍ମ ପାଇଁ ଜଣା ଶୁଣା ପ୍ରଖ୍ୟାତ ଅଭିନେତା ମନୋଜ କୁମାର ଆଉ ନାହାନ୍ତି। ଅଭିନେତା ସହ ସେ ଜଣେ ଫିଲ୍ମ ନିର୍ମାତା ମଧ୍ୟ। ଶୁକ୍ରବାର ମୁମ୍ବାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ମନୋଜ କୁମାରଙ୍କ ଦେହାନ୍ତ ଖବରକୁ ତାଙ୍କ ପୁଅ କୁନାଲ ଗୋସ୍ୱାମୀ ନିଶ୍ଚିତ କରିଛନ୍ତି। ଦୀର୍ଘ ଦିନ ଧରି ମନୋଜ କୁମାର ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ। ଶୁକ୍ରବାର ଭୋର ୩.୩୦ରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।

Advertisment

ପୂରବ ଅର ପଶ୍ଚିମ, କ୍ରାନ୍ତି ଓ ରୁଟି, କପଡ଼ା ଅର ମକାନ ଭଳି ସିନେମା ପାଇଁ ସେ ବେଶ ପରିଚିତ। ୧୯୬୫ରେ ରିଲିଜ ହୋଇଥିବା ସହିଦ ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର ବନାଇ ଦେଇଥିଲା। ଦେହାନ୍ତ ପରେ ତାଙ୍କ ପାର୍ଥିବ ଶରୀରକୁ ଜୁହୁ ସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଛି। ଆସନ୍ତାକାଲି ଦିନ ୧୨ଟା ସମୟରେ ପବନ ହଂସ ଶଶ୍ମାନରେ ତାଙ୍କର ଅନ୍ତିମ ସଂସ୍କାର ହେବ।

ସବୁବେଳେ ଦେଶାତ୍ମବୋଧ ସିନେତା କରୁଥିବା ମନୋଜ କୁମାର ଭାରତ କୁମାର ନାଁରେ ଖ୍ୟାତି ଅର୍ଜନ କରିଥିଲେ। ସେ ଗୋଟିଏ ଥର ଜାତୀୟ ଫିଲ୍ମ ଆୱାର୍ଡ ଓ ୭ଥର ଫିଲ୍ମ ଫେୟାର ଆୱାର୍ଡ ଜିତିଥିଲେ। ଆଜି ତାଙ୍କ ବିୟୋଗରେ ଅନେକ ପୁରୁଣା ସ୍ମୃତି ତାଜା ହୋଇ ଯାଇଛି। ପୂରା ଦେଶ ମନୋଜ କୁମାରଙ୍କୁ ମନେ ପକାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସିନେମା ଜଗତ ଓ ବିଭିନ୍ନ ବର୍ଗର ଲୋକ ମନୋଜ କୁମାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।

Advertisment

ମନୋଜ କୁମାର କେବଳ ଜଣେ ଅଭିନେତା କିମ୍ବା ନିର୍ଦ୍ଦେଶକ ନଥିଲେ, ବରଂ ସେ ସ୍କ୍ରିନ ରାଇଟର, ସଂଳାପକାର ଓ ଏଡିଟର ଭାବେ ମଧ୍ୟ ଅନେକ ସିନେମାରେ ନିଜ ପାରଦର୍ଶିତା ଦେଖାଇଛନ୍ତି। ୧୯୯୨ରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ଓ ୨୦୧୫ରେ ଭାରତୀୟ ସିନେମା ପ୍ରତି ତାଙ୍କ ଅବଦାନ ପାଇଁ ସମ୍ମାନଜନକ ଦାଦା ସାହେବ ଫାଲକେ ସମ୍ମାନ ଦେଇଥିଲେ।

୧୯୩୭ରେ ପାକିସ୍ତାନର ଅବ୍ବୋଟାବାଦରେ ମନୋଜ କୁମାର ହରିକ୍ରିଷ୍ଣ ଗିରି ଗୋସ୍ୱାମୀ ନାମରେ ଜନ୍ମ ଗ୍ରହଣ କରିଥିଲେ। ବିଭାଜନ ପରେ ସେ ପରିବାର ସହ ଦିଲ୍ଲୀ ଚାଲି ଆସିଥିଲେ। ୧୯୫୭ରେ ଫିଲ୍ମ ଫ୍ୟାଶନ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ତାଙ୍କୁ ସେତେଟା ସଫଳତା ମିଳି ନଥିଲା। ୧୯୬୧ରେ ରିଲିଜ ହୋଇଥିବା କାଚ କି ଗୁଡିୟା ଜରିଆରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରି ଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ ସିନେମା ଦର୍ଶକଙ୍କୁ ଭେଟି ଦେଇଥିଲେ। ଅଭିନୟ ବ୍ୟତୀତ ସେ ଉପକାର, ଶୋର, ଜୟ ହିନ୍ଦୀ ଭଳି ସିନେମାର ନିର୍ଦ୍ଦେଶନା ଦେବା ସହ ଏଡିଂ କରିଛନ୍ତି। ପ୍ରେମ ନାଥ, ପ୍ରେମ ଚୋପ୍ରା, କାମିନୀ କୌଶଲ, ହେମା ମାଳିନୀ ଓ ଆହୁରି ଅନେକ କଳାକାରଙ୍କ ସହ ମନୋଜ କୁମାର କାମ କରିଥିଲେ।

ଶାହରୁଖ ଖାନଙ୍କ ନାଁରେ ମାନହାନୀ କେସ୍‌ କରିଥିଲେ ମନୋଜ କୁମାର

୨୦୦୭ ମସିହାର କଥା। ଶାହରୁଖ ଖାନଙ୍କ ଓମ ଶାନ୍ତି ଓମ ଫିଲ୍ମ ରିଲିଜ ହେବା ସହ ବକ୍ସ ଅଫିସରେ ଧୂମ ମଚାଇଥିଲେ। ଫିଲ୍ମକୁ ଫ୍ୟାନ୍ସ ସେମାନଙ୍କ ଭଲ ପାଇବା ଦେଇଥିଲେ। କିନ୍ତୁ ଭେଟରାନ ଅଭିନେତା ମନୋଜ କୁମାର ଫିଲ୍ମର କିଛି ଦୃଶ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିପାଇଁ ସେ ଅଭିନେତା ଶାହରୁଖ ଓ ଫିଲ୍ମର ନିର୍ଦ୍ଦେଶକ ଫାରା ଖାନଙ୍କ ବିରୋଧରେ ମାନହାନୀ କେସ୍‌ କରିଥିଲେ।

ଶାହରୁଖ ଖାନଙ୍କ ଚରିତ୍ର ଓମ ପ୍ରକାଶ ମଖିଜାକୁ ନେଇ ପ୍ରଶ୍ନ ଉଠିଥିଲା। ଓମ ପ୍ରକାଶ ମଖିଜା ଗୋଟିଏ ମୁଭି ପ୍ରିମିୟରକୁ ମନୋଜ କୁମାରଙ୍କ ପାସ୍‌କୁ ବ୍ୟବହାର କରି ପ୍ରବେଶ କରୁଛନ୍ତି। ହେଲେ ପୁଲିସ୍‌ ତାଙ୍କୁ ଚିହ୍ନ ପାରି ନଥିଲା। ତାଙ୍କ ଉପରେ ଲାଠି ଚାର୍ଜ ହେବା ସହ ସେଠାରୁ ତାଙ୍କୁ ବିଦା କରି ଦିଆଯାଇଥିଲା।

ଏହାକୁ ଦେଖି ମନୋଜ କୁମାର ତାଙ୍କ ଓକିଲଙ୍କ ଜରିଆରେ କହିଥିଲେ ଯେ “ମୁଁ ଆଘାତ ପାଇଛି। ଶାହରୁଖ ଖାନ ମୋ ଆତ୍ମାକୁ ଆଘାତ ଦେଇଛନ୍ତି। ମୋତେ ଅପମାନିତ ଓ ଉପହାସ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର। ଏହା ଫିଲ୍ମ ନୁହେଁ। ସିନେମା ଜଗତ ପ୍ରତି ମୋର ୫୦ ବର୍ଷର ଉତ୍ସର୍ଗକୁ ଏହା ଅପମାନିତ କରିଛି।” ସେ ୧ ଟଙ୍କାର ମାନହାନୀ କେସ୍‌ କରିଥିଲେ।

ମନୋଜ କୁମାର ସିନେମାରୁ ଉକ୍ତ ଦୃଶ୍ୟକୁ ହଟାଇବାକୁ ଅନୁରୋଧ କରିଥିଲେ। ଫିଲ୍ମ ନିର୍ମାତା ଏଥିରେ ରାଜି ମଧ୍ୟ ହୋଇଥିଲେ। ଶାହରୁଖ ଖାନ ମଧ୍ୟ ଘଟଣା ପାଇଁ କ୍ଷମା ମାଗିଥିଲେ। କ୍ଷମା ମାଗିବା ସତ୍ତ୍ୱେ ୨୦୧୩ରେ ପୁଣି ବିବାଦ ଦେଖା ଯାଇଥିଲା। ଜାପାନରେ ଓମ ଶାନ୍ତି ଓମ ରିଲିଜ ହେବା ବେଳେ ହଟା ଯାଇଥିବା ଦୃଶ୍ୟ ପୁଣି ସାମ୍ନାକୁ ଆସିଥିଲା। ମନୋଜ କୁମାର ଏହାପରେ ୧୦୦ କୋଟିର କ୍ଷତିପୂରଣ ଶାହରୁଖ ଓ ଇରୋସ ଇଣ୍ଟରନ୍ୟାଶନାଲକୁ ମାଗିଥିଲେ। ମନୋଜ କୁମାର ନିଜର ନିରାଶ ଭାବ ପ୍ରଦର୍ଶନ କରିଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ସେ ମାମଲାକୁ ପ୍ରତ୍ୟାହାର କରି ନେଇଥିଲେ।

ଜାତୀୟ ପୁରସ୍କାର ବାବଦର ଅର୍ଥକୁ ଭଗତ ସିଂହଙ୍କ ପରିବାର ଲୋକଙ୍କୁ ଦେଇଥିଲେ

ନିଜର ଦୀର୍ଘ ବର୍ଷର ଫିଲ୍ମ କ୍ୟାରିୟରରେ ମନୋଜ କୁମାର ଅନେକ ଚରିତ୍ରରେ ଅଭିନୟ କରିଛନ୍ତି। ସେ ଦେଶ ଉପରେ ଆଧାରିତ ଅନେକ ଫିଲ୍ମ କରିଥିବାରୁ ତାଙ୍କୁ ସମସ୍ତେ ଭାରତ କୁମାର ଡାକୁଥିଲେ। ଦେଶ ପ୍ରତି ଥିବା ତାଙ୍କ ଭଲ ପାଇବାର ଗୋଟିଏ ଜ୍ୱଳନ୍ତ ଉଦାହରଣ ହେଉଛି ଫିଲ୍ମ ସହିଦ। ସେ ଏହି ସିନେମାରେ ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ଚରିତ୍ରରେ ନଜର ଆସିଥିଲେ।

ମନୋଜ କୁମାର ଏହି ସିନେମାରେ ଏମିତି ଜୀବନ୍ତ ଅଭିନୟ କରିଥିଲେ ଯେ ଏଥିପାଇଁ ତାଙ୍କୁ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା। ତେବେ ସେ ମହାନତା ଦେଖାଇ ପୁରସ୍କାର ବାବଦରେ ମିଳିଥିବା ସମସ୍ତ ଟଙ୍କାକୁ ଭଗତ ସିଂହଙ୍କ ପରିବାରକୁ ଦାନ କରି ଦେଇଥିଲେ। ଏସ୍‌ ରାମ ଶର୍ମାଙ୍କ ନିର୍ଦ୍ଦେଶିତ ସହିଦ ୧୯୬୫ ମସିହା ଜାନୁଆରୀ ୧ରେ ରିଲିଜ ହୋଇଥିଲା। ଏହି ସେନେମାରେ ମନୋଜ କୁମାରଙ୍କ ବ୍ୟତୀତ କାମିନୀ କୌଶଲ, ପ୍ରେମ ଚୋପ୍ରା, ମନମୋହନ ମଦନ ପୁରୀ ଓ କରନ ଦେୱାନ ପ୍ରମୁଖ ଅଭିନୟ କରିଥିଲେ।

Bollywood News Entertainment Bollywood Manoj Kumar