Advertisment

ଫିଲ୍ମ ସେନସର ବୋର୍ଡ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ଅଭିନେତା ବିଶାଲ, ତଦନ୍ତ ଆରମ୍ଭ କଲା କେନ୍ଦ୍ର

ବିଶାଲଙ୍କ ଏପରି ଦାବି ପରେ ତୁରନ୍ତ ଆକ୍ସନ ମୋଡକୁ ଆସିଛନ୍ତି କେନ୍ଦ୍ର ସରକାର। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜଣେ ବରିଷ୍ଠ ଅଧିକାରୀଙ୍କୁ ମୁମ୍ବାଇ ପଠାଇଛି। ଆଜି ଠାରୁ ହିଁ ବିଶାଲଙ୍କ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି।

author-image
Hemant Lenka
Vishal

Vishal

ତାମିଲ ଅଭିନେତା ତଥା ପ୍ରଯୋଜକ ବିଶାଲ ଫିଲ୍ମ ସେନସର ବୋର୍ଡ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ଫିଲ୍ମ ମାର୍କ ଆଣ୍ଟୋନୀକୁ ରିଲିଜ ପାଇଁ ପ୍ରମାଣପତ୍ର ଦେବାକୁ ସେନସର ବୋର୍ଡ ୬.୫ ଲକ୍ଷ ଟଙ୍କା ନେଇଥିବା ବିଶାଲ ଦାବି କରିଛନ୍ତି।

Advertisment

ବିଶାଲଙ୍କ ଏପରି ଦାବି ପରେ ତୁରନ୍ତ ଆକ୍ସନ ମୋଡକୁ ଆସିଛନ୍ତି କେନ୍ଦ୍ର ସରକାର। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜଣେ ବରିଷ୍ଠ ଅଧିକାରୀଙ୍କୁ ମୁମ୍ବାଇ ପଠାଇଛି। ଆଜି ଠାରୁ ହିଁ ବିଶାଲଙ୍କ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି।

ଶୁକ୍ରବାର ମଧ୍ୟାହ୍ନରେ ମନ୍ତ୍ରଣାଳୟ ପକ୍ଷରୁ ସୋଶାଲ ମିଡିଆ ଏକ୍ସରେ ଗୋଟିଏ ପୋଷ୍ଟ କରି କୁହାଯାଇଛି ଯେ ବିଶାଲ ତାଙ୍କ ଫିଲ୍ମ ମାର୍କ ଆଣ୍ଟୋନୀର ହିନ୍ଦୀ ଭର୍ସନ ପ୍ରମାଣପତ୍ର ପାଇଁ ସେନସର ବୋର୍ଡକୁ ୬.୫ ଲକ୍ଷ ଟଙ୍କା ଦେଇଥିବା କହିବାର ୨୪ ଘଣ୍ଟା ମଧ୍ୟରେ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

Advertisment

ମନ୍ତ୍ରଣାଳୟ ଏପରି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଦୁର୍ନୀତି ପ୍ରତି ସରକାର ସବୁବେଳେ ଶୂନ ସହନଶୀଳତା ଅବଲମ୍ବନ କରୁଥିବା କହିଛନ୍ତି।ଏଥିସହ ପୂର୍ବରୁ ଏପରି ସ୍ଥିତିର ସମ୍ମୁଖୀନ ହୋଇଥିବା ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ମଧ୍ୟ ମନ୍ତ୍ରଣାଳୟ ଆହ୍ୱାନ ଦେଇଛି।

ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ବିଶାଲ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ନିଜର ଗୋଟିଏ ଭିଡିଓ ଅପଲୋଡ କରିଥିଲେ। ଏଥିରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ବୋଧନ କରି ନିଜ ସହ ଘଟିଥିବା ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ।

ସେ ଏହି ଭିଡିଓରେ ସେନସର ବୋର୍ଡର ଦୁଇ ଜଣ ଅଧିକାରୀଙ୍କ ନାଁ ନେବା ସହ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିବାର ବିସ୍ତୃତ ତଥ୍ୟ ଦେଇଥିଲେ। ବିଶାଲଙ୍କ କହିବା କଥା ଯେ ସେ ଏମ ରାଜନ ନାମକ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩ ଲକ୍ଷ ଟଙ୍କା ଓ ଜେଜା ରାମଦାସଙ୍କ ଆକାଉଣ୍ଟକୁ ୩.୫ ଲକ୍ଷ ଟଙ୍କା ପଠାଇଛନ୍ତି। ଉଭୟଙ୍କ ଆକାଉଣ୍ଟ ମୁମ୍ବାଇରେ ରହିଛି।

ବିଶାଲ କହିଛନ୍ତି, “ସୋମାବାର ଯେତେବେଳେ ମୋ ଏଜେଣ୍ଟ ସିବିଏଫସି ଅଫିସକୁ ଯାଇଥିଲେ ସେତେବେଳେ ଆମ ପାଖରେ ୬.୫ ଲକ୍ଷ ଟଙ୍କା ଦେବା ଛଡ଼ା ଆଉ କୌଣସି ଉପାୟ ନଥିଲା। କାରଣ ସନ୍ଧ୍ୟା ସୁଦ୍ଧା ଆମକୁ ଫିଲ୍ମ ରିଲିଜ ପାଇଁ ପ୍ରମାଣପତ୍ରର ଆବଶ୍ୟକତା ରହିଥିଲା।

ଫିଲ୍ମକୁ ଦେଖିବା ପାଇଁ ପ୍ରଥମେ ଆମକୁ ୩ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ଏହାପରେ ପ୍ରମାଣପତ୍ର ପାଇଁ ଆଉ ୩.୫ ଲକ୍ଷ ଟଙ୍କା ମଗା ଯାଇଥିଲା। ଜଣେ ମହିଳା ଆମକୁ ଏପରି କହିଥିଲେ। ତାଙ୍କ ନାଁ ଶ୍ରୀମତର ମେହେତା। କଥାବାର୍ତ୍ତାକୁ ରେକର୍ଡ କରିଥିବାରୁ ମୁଁ କ୍ଷମା ମାଗୁଛି। କାରଣ କଲକୁ ରେକର୍ଡ କରିବା ଆମ ପରମ୍ପରା ନୁହେଁ।

କିନ୍ତୁ ମୁମ୍ବାଇ ସେନସର ବୋର୍ଡ ଅଫିସରେ କ’ଣ ସବୁ ହେଉଛି, ସେକଥା ମଧ୍ୟ ପୂରା ବିଶ୍ୱ ଜାଣିବା ଦରକାର। ଯଦି ମୋ ସହ ଏମିତି ଘଟୁଛି, ତା’ହେଲେ ଅନ୍ୟ ଲୋକଙ୍କ ସହ କ’ଣ ସବୁ ଘଟୁଥିବ? ଫିଲ୍ମ ରିଲିଜର୧୫ ଦିନ ପୂର୍ବରୁ ଆବେଦନ କରୁଥିବା ଲୋକଙ୍କୁ ୪ ଲକ୍ଷ ଟଙ୍କା ଦେବାକୁ କୁହାଯାଉଛି। ମୁଁ ୬.୫ ଲକ୍ଷ ଟଙ୍କା ଦେଇଛି ଓ ପ୍ରମାଣପତ୍ର ପାଇଛି।

ମୁଁ ପରିଶ୍ରମ କରି ଅର୍ଜନ କରିଥିବା ଟଙ୍କା ଦୁର୍ନୀତିରେ ଖର୍ଚ୍ଚ ହୋଇଛି। ମୁଁ ମୋର ଫିଲ୍ମ କିମ୍ବା ମୋ ପାଇଁ ଏମିତି କରୁନି। ଏହା ପ୍ରଯୋଜକଙ୍କ ଭବିଷ୍ୟତ ପାଇଁ କରୁଛି। ଖାଲି ଭାବୁଛି ଅନ୍ୟ ଫିଲ୍ମ ଗୁଡ଼ିକ ସହ କ’ଣ ସବୁ ହେଉଥିବ।

ମୋ ପ୍ରଧାନମନ୍ତ୍ରୀ ସବୁବେଳେ ଦୁର୍ନୀତି ବିରୋଧରେ ଛିଡ଼ା ହୋଇଛନ୍ତି। ସବୁ ରାଜନେତାମାନେ ମଧ୍ୟ ଦୁର୍ନୀତି ବିରୋଧରେ ରହିଥିବା କହୁଛନ୍ତି। ଏଠାରେ ଦୁର୍ନୀତି ହୋଇଛି। ତେଣୁ ମୋର ଆଶା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Mumbai Entertainment Film