/odisha-reporter/media/media_files/2026/01/28/arjit-singh-2026-01-28-14-13-06.jpg)
ଅରଜିତ ସିଂହ
ଅରିଜିତ ସିଂହ(Bollywood Singer Arijit Singh) ମଙ୍ଗଳବାର ରାତିରେ ସମସ୍ତ ଫ୍ୟାନ୍ସ ଓ ଦେଶବାସୀଙ୍କୁ ଚକିତ କରି ସିନେମାରେ ଆଉ ଗୀତ ଗାଇବେ ନାହିଁ ବୋଲି ଘୋଷଣା କରିଛନ୍ତି। ସୋଶାଲ ମିଡିଆରେ ଅରଜିତଙ୍କ ଏପରି ଘୋଷଣା ବଲିଉଡ ଠାରୁ ଆରମ୍ଭ କରି ସମସ୍ତ ସିନେମା ଇଣ୍ଡଷ୍ଟ୍ରୀରେ ହଇଚଇ ସୃଷ୍ଟି କରିଛି।
ଦୁଇ ଥର ଜାତୀୟ ପୁରସ୍କାର ପାଇଥିବା ଅରିଜିତ ସମସ୍ତଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ପରେ ସିନେମା ଜଗତରୁ ଅବସର ଘୋଷଣା କରି ସମସ୍ତଙ୍କ ହୃଦୟ ଭାଙ୍ଗି ଦେଇଛନ୍ତି। ଦିନକ ତଳେ ତାଙ୍କର ମାତୃଭୂମି ଗୀତ ରିଲିଜ ହୋଇଥିଲା। ସଲମାନ ଖାନଙ୍କ ବାଟେଲ ଅଫ ଗଲୱାନ ପାଇଁ ସେ ଶ୍ରେୟା ଘୋଷାଲଙ୍କ ସହ ଏହି ଗୀତ ଗାଇଥିଲେ।
କିନ୍ତୁ ଏପରି ସ୍ଥିତିରେ ଅରିଜିତ କାହିଁକି ସିନେମା ଜଗତରୁ ଅବସର ଘୋଷଣା କଲେ? ଏହି ପ୍ରଶ୍ନର ଉତ୍ତର ଅଧିକାଂଶ ଲୋକଙ୍କୁ ଚକିତ କରିପାରେ। ହେଲେ କଣ୍ଠଶିଳ୍ପୀ ଅରିଜିତଙ୍କୁ ଯେଉଁମାନେ ବେଶ ଭଲ ଭାବେ ଜାଣିଛନ୍ତି, ସେମାନଙ୍କ ପାଇଁ ଏହି ନିଷ୍ପତ୍ତି ଆଦୌ ବଡ଼ଧରଣର ସର୍ପାଇଜ ନୁହେଁ।
ଅରିଜିତଙ୍କ ପ୍ରାଇଭେଟ ଏକ୍ସ ଆକାଉଣ୍ଟର କିଛି ଚାଟ ଏବେ ବେଶ ଭାଇରାଲ ହେଉଛି। ଏହି ପୋଷ୍ଟରେ ଅରଜିତ ନିଜ ନିଷ୍ପତ୍ତି ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, “ଏହି ଘୋଷଣା ପଛରେ ଗୋଟିଏ କାରଣ ନୁହେଁ ବରଂ ଏକାଧିକ କାରଣ ସମେତ ମୁଁ ବହୁତ ପୂର୍ବରୁ ଏପରି କରିବାକୁ ଉଦ୍ୟମ କରୁଥିଲି। ଏବେ ମୁଁ ଉପଯୁକ୍ତ ସାହାସ ଦେଖାଇଛି। ଗୋଟିଏ ମୁଖ୍ୟ କାରଣ ହେଲା ମୁଁ ଖୁବଶୀଘ୍ର ବହୁତ ବୋର ହୋଇଯାଏ। ସେଥିପାଇଁ ମୁଁ ସମାନ ଗୀତର ବାରମ୍ବାର ବଦଳାଇ ଥାଏ ଓ ସେହି ଅନୁସାରେ ଷ୍ଟେଜରେ ଗାଇଥାଏ। ତେଣୁ ଏଠାରେ ଗୋଟିଏ କାରଣ ହେଲା, ମୁଁ ବୋର ହୋଇଯାଇଥିଲି।”
ଫିଲ୍ମରେ ଅରିଜିତ ସିଂହଙ୍କ ଯାତ୍ରା
ଅରିଜିତଙ୍କ ଅବସର ନିଷ୍ପତ୍ତିକୁ ବୁଝିବାକୁ ହେଲେ ତାଙ୍କ ଫିଲ୍ମ କ୍ୟାରିୟର ଯାତ୍ରକୁ ଭଲ ଭାବେ ଦେଖିବା ଗୁରୁତ୍ୱପୂର୍ଣ୍ଣ। ୨୦୦୫ର ରିୟଲିଟୀ ଶୋ ଫେମ ଗୁରୁକୁଲରେ ସେ ଜଣେ ପ୍ରତିଯୋଗୀ ଥିଲେ। କିନ୍ତୁ ଫାଇନାଲ ପୂର୍ବରୁ ଭୋଟ ଦ୍ୱାରା ସେ ଶୋ’ରୁ ବିଦାୟ ନେଇଥିଲେ। ୨୦୧୦ରେ ଅରିଜିତ ସିଂହଙ୍କ ପ୍ଲେବ୍ୟାକ ସିଙ୍ଗିଙ୍ଗରେ ଡେବ୍ୟୁ କରିଥିଲେ।
ତେଲୁଗୁ ଫିଲ୍ମ କେଡି ପାଇଁ ସେ ଗୀତ ଗାଇଥିଲେ। କିନ୍ତୁ ତାଙ୍କୁ ବଲିଉଡରେ ବ୍ରେକ ମର୍ଡର ୨ର ସୁପରହିଟ ଗୀତ ଫିର ମହବତ କରନେ ଚାଲା ହେ ଦିଲରେ ମିଳିଥିଲା। ଏହାକୁ ସେ ମହମ୍ମଦ ଇରଫାନଙ୍କ ସହ ଗାଇଥିଲେ। ୨୦୧୩ରେ ରିଲିଜ ହୋଇଥିବା ଆଶିକ ୨ରେ ସେ ଗାଇଥିବା ଗୀତ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା।
ଆଜି ଯାଏ ସେ ୮୦୦ରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି। ଏହାର ଅର୍ଥ ସେ ବର୍ଷକୁ ପ୍ରାୟ ୫୩ଟି ଗୀତ ଗାଇଛନ୍ତି। ସନ୍ୟା ମାଲହୋତ୍ରାଙ୍କ ଅଭିନୀତ Pagglaitରେ ସେ ସଂଗୀତ ନିର୍ଦ୍ଦେଶକ ରହିଥିଲେ। ଏହାବାଦ ଅରିଜିତ ସିଂହ ନିୟମିତ ଭାବେ ଦେଶ ଓ ବିଦେଶରେ ଲାଇଭ ଶୋ’ କରନ୍ତି।
ତାଙ୍କ ୧୫ ବର୍ଷର କ୍ୟାରିୟରକୁ ବିଚାରକୁ ନେଲ ଏମିତି କୌଣସି ବର୍ଷ ନାହିଁ, ଯେଉଁଠି ଫ୍ୟାନ୍ସ ତାଙ୍କ ସ୍ୱରରେ ଝୁମି ନାହାନ୍ତି। ଅରିଜିତଙ୍କୁ ମାତ୍ର ୩୮ ବର୍ଷ। ଏହି ବୟସରେ ବିଭିନ୍ନ ସିଙ୍ଗର ନିଜର କ୍ୟାରିୟରକୁ ଆରମ୍ଭ କରିବାକୁ ସଂଘର୍ଷ କରୁଛନ୍ତି। କିନ୍ତୁ ଅରଜିତ ଏହି ବୟସରେ ଲୋକଙ୍କ ହୃଦୟ ଓ ମସ୍ତିସ୍କରେ ପ୍ରବେଶ କରି ସ୍ୱତନ୍ତ୍ର ସ୍ଥାନ ଦଖଲ କରି ନେଇଛନ୍ତି।
ଅରିଜିତ ସିଂହ ଓ ବଲିଉଡ ସହ ସମ୍ପର୍କ
ଅରିଜିତ ସିଂହଙ୍କ ଗୀତ ଭଳି ତାଙ୍କ ବ୍ୟକ୍ତିତ୍ୱ ମଧ୍ୟ ବେଶ ଚମକପ୍ରଦ। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଜନ୍ମ ଗ୍ରହଣ କରିଥିବା ଅରିଜିତ ମୁମ୍ବାଇର ଚାକଚକରେ ମଧ୍ୟ ନିଜ ଅସ୍ଥିତ୍ୱକୁ କେବେ ଭୁଲି ନାହାନ୍ତି। ସେଲିବ୍ରେଟୀ ପାର୍ଟିରେ ସେ ଖୁବ ସାମିଲ ହୁଅନ୍ତି। ଗଣମାଧ୍ୟମ ଆଗରେ କିଛି କହିବା ଓ ସାକ୍ଷାତକାର ଦେବାକୁ ମଧ୍ୟ ସେ ପସନ୍ଦ କରନ୍ତି ନାହିଁ।
ନିଜର ସ୍ୱର ପାଇଁ ଜଣାଶୁଣା ଅରିଜିତ ନିଜର ଅଧିକାଂଶ ଗୀତ ମୁର୍ଶିଦାବାଦ ଷ୍ଟୁଡିଓରେ ହିଁ ରେକର୍ଡ କରନ୍ତି। ଅତି ଆବଶ୍ୟକ ପଡ଼ିଲେ ସେ ମୁମ୍ବାଇ ଆସନ୍ତି କିମ୍ବା କୌଣସି ଶୋ’ ଓ ଟୁର ପାଇଁ ରାଜ୍ୟ ବାହାରକୁ ଯାଆନ୍ତି। ନିଜ ସହର, ଘର ଓ ଷ୍ଟୁଡିଓ ହିଁ ତାଙ୍କର ବିଶ୍ୱ।
No No No Arijit ....you cannot do this .... Bro just say it's prank 🥲... #arijitsingh#whoamipic.twitter.com/JrYB7XujHh
— VIRENDRA SHAH (@Virendr36129334) January 27, 2026
ଅରିଜିତ ସିଂହଙ୍କ ସହ ଘନିଷ୍ଠ ଭାବେ ଜଡ଼ିତ ଲୋକଙ୍କ କହିବା କଥା ଯେ ସେ ନିଜର କ୍ୟାରିୟରର ପିକ୍ ସ୍ତରକୁ ଦେଖିବା ସହ ଖ୍ୟାତି ଓ ଟଙ୍କା ଦେଖି ସାରିଛନ୍ତି। କିନ୍ତୁ ନିରବଚ୍ଛିନ ଭାବେ ୧୫ ବର୍ଷ କାମ କରିବା ପରେ ଯେକୌଣସି କାଳାକାର ଭିତରେ ଭିତରେ ଥକାପଣ ଅନୁଭବ କରିବା ସ୍ୱାଭାବିକ।
ଫିଲ୍ମ ଗୀତ ସାଧାରଣତଃ ପ୍ରଯୋଜକ, ନିର୍ଦ୍ଦେଶକ, କାହଣୀର ଚାହିଦା ଓ ମାର୍କେଟର ଆବଶ୍ୟକତା ଅନୁସାରେ ହୋଇଥାଏ। ବେଳବେଳେ ଏହି ସବୁ କାରଣ ଜଣେ କଳାକାରକୁ ନିଜ ଇଚ୍ଛାରେ କାମ କରିବାକୁ ସୁଯୋଗ ଦେଇ ନଥାଏ। ଏପରି ଏକ ସମୟ ଆସିଯାଏ, ଯେଉଁ ସମୟରେ ଜଣେ କଳାକାର ବ୍ରେକ ଆବଶ୍ୟକ କରେ ଓ ନିଜ ହାର୍ଟବିଟ ଅନୁସାରେ ନିଷ୍ପତ୍ତି ନେବାକୁ ପସନ୍ଦ କରେ। ଏବେ ଅରିଜିତ ସିଂହଙ୍କ କ୍ଷେତ୍ରରେ ମଧ୍ୟ ସମାନ କିଛି ଘଟିଛି।
ସେ ସଂଗୀତ ଦୁନିଆରୁ ନିଜକୁ ଦୂରେଇ ନାହାନ୍ତି, ବରଂ ସେ କେବଳ ସିନେମା ଦୁନିଆରୁ ଦୂରତା ଅବଲମ୍ବନ କରିଛନ୍ତି। ଏହାଦ୍ୱାରା ସେ ନିଜସ୍ୱ ମ୍ୟୁଜିକ ତିଆରି କରିପାରିବେ ଓ ନିଜ ଇଚ୍ଛାରେ ଫିଲ୍ମରେ କେବଳ ସୀମିତ ରହୁ ନଥିବା କାମ କରିବାକୁ ସକ୍ଷମ ହେବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
